ପଞ୍ଚମ ପାଳିରେ ସକ୍ରିୟ ନବୀନ ସରକାର, ଦୁର୍ନୀତି କଲେ ନିସ୍ତାର ନାହିଁ, ପ୍ରମାଣିତ ହେଲେ ଚାକିରି ଯିବ ।

500

କନକ ବ୍ୟୁରୋ: ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ୧୫ ଜଣଙ୍କୁ ଚାକିରିରୁ ବରଖାସ୍ତ କରିବା ସହ ଅବସର ନେଇଥିବା ୨ ଜଣ ଅଧିକାରୀଙ୍କ ପେନସନ୍ ବନ୍ଦ କରିଛନ୍ତି ସରକାର । ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲେରାନ୍ସ ବା ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ଏପରି କାର୍ଯ୍ୟାନୁଷ୍ଠାନ, ସରକାରୀ କର୍ମଚାରୀଙ୍କ ମନରେ ଭୟ ସୃଷ୍ଟି କରିଛି ।

ପିସି କାରବାରକୁ ନେଇ ସାରା ରାଜ୍ୟରୁ ପୁଳା ପୁଳା ଅଭିଯୋଗ ହୋଇଆସୁଛି । ବଡ଼ ବଡ଼ ଅଫିସରଙ୍କ ଠାରୁ କନିଷ୍ଠ କିରାଣି ପର୍ଯ୍ୟନ୍ତ ଲମ୍ବିଛି ଦୁର୍ନୀତିର ଚେର । ବିଧାନସଭାରେ ସରକାର ଉତର ରଖି କହିଥିଲେ, ୯ ଆଇଏଏସ୍ ଅଧିକାରୀଙ୍କ ନାଁରେ ୧୧ଟି ଭିଜିଲାନ୍ସ ମାମଲା ଥିବା ବେଳେ ୨୨୭ ମାମଲା ରହିଛି ଓଏଏସ୍ ଅଫିସରଙ୍କ ନାଁରେ ।

ଗୋଟିଏ ପଟେ ଏଭଳି ଦୁର୍ନୀତି ବିରୋଧୀ ଆଭିମୁଖ୍ୟକୁ ‘୫-ଟି’ର ପ୍ରଭାବ ବୋଲି ବର୍ଣ୍ଣନା କରିଛନ୍ତି ଶାସକ ଦଳ, ଅନ୍ୟପଟେ ଏହା ପ୍ରଚାର ସର୍ବସ୍ୱ ବୋଲି ଆକ୍ଷେପ କରିଛନ୍ତି ବିରୋଧୀ । ବଡ଼ବାବୁଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି । ଏବେ ପ୍ରଶ୍ନ ଉଠୁଛି, ଦୁର୍ନୀତିରେ ବୁଡ଼ି ରହିଥିବା କିଛି ବଡ଼ ଅଧିକାରୀଙ୍କ ଉପରେ କେବେ ପଡ଼ିବ ସରକାରଙ୍କ ଛାଟ ।