ଆପଣାଇ ନେଇଥିଲେ ପ୍ରଧାନମନ୍ତ୍ରୀ , ମୁହଁ ମୋଡ଼ିଦେଲେ ମୁଖ୍ୟମନ୍ତ୍ରୀ! ବିଜେପିର ବିପ୍ଲବ ସରକାର ଆସିବା ପରେ ଅଲୋଡ଼ା ଓ ଅପମାନିତ ହେଲେ ଓଡ଼ିଆ ଅଫିସର, ବାଧ୍ୟ ହୋଇ ଦେଲେ ଇସ୍ତଫା

214

କନକ ବ୍ୟୁରୋ ; ସରକାର ବଦଳିଗଲେ, ଅଫିସରଙ୍କ ଭାଗ୍ୟ ବଦଳିଯାଏ । ହଠାତ୍ ସବୁକିଛି ଓଲଟିଯାଏ । ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅଧିକାରୀ, ଅଲୋଡ଼ା ହୋଇଯାଆନ୍ତି । ତ୍ରିପୁରାରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ସଂଜୟ ପଣ୍ଡାଙ୍କ କ୍ଷେତ୍ରରେ ମଧ୍ୟ ଠିକ୍ ଏହିପରି ହୋଇଥିଲା । ମାନିକ ସରକାର ବଦଳି ବିପ୍ଳବ ଦେବଙ୍କ ସରକାର ଆସିବା ପରେ ଅସହାୟ ଓ ଅଲୋଡ଼ା ହୋଇ ପଡ଼ିଥିଲେ ସଂଜୟ ପଣ୍ଡା । ବାରମ୍ବାର ଅପମାନିତ ହେବା ପରେ ତ୍ରିପୁରା ସ୍କିଲ୍ ଡେଭେଲପମେଂଟ ମିସନର ଅଧ୍ୟକ୍ଷ ପଦରୁ ସେ ଇସ୍ତଫା ଦେଇ ଓଡ଼ିଶା ଫେରି ଆସିଥିଲେ । ନିଜ ଫେସବୁକ୍ ପୋଷ୍ଟରେ ପୂରା କାହାଣୀ ବର୍ଣ୍ଣନା କରିଛନ୍ତି ଏହି ବରିଷ୍ଠ ଓଡ଼ିଆ ଅଧିକାରୀ ।

ସରକାର ବଦଳିବା ସହ ବଦଳିଲା ଅଫିସରଙ୍କ ଭାଗ୍ୟ । ତ୍ରିପୁରାର ଜଣେ ପୂର୍ବତନ ବରିଷ୍ଠ ଓଡ଼ିଶା ଆଇଏଏସ ଅଧିକାରୀ ସଂଜୟ ପଣ୍ଡାଙ୍କ ଫେସବୁକ୍ ପୋଷ୍ଟ ଏକଥାକୁ ସମ୍ପୂର୍ଣ୍ଣ ପ୍ରମାଣିତ କରୁଛି । ସୋସିଆଲ ମିଡିଆରେ ଏହି ପୋଷ୍ଟ, କୌଣସି ସାଧାରଣ ପୋଷ୍ଟ ନୁହେଁ, ଏଥିରେ ରହିଛି ତ୍ରିପୁରାରେ ସର୍ବୋଚ୍ଚ ପଦବୀରେ ରହିଥିବା ଜଣେ ଓଡ଼ିଆ ଅଫିସର ଓ ନୂଆ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ସଂପର୍କର କାହାଣୀ । କିପରି ସରକାର ବଦଳିଗଲା ପରେ ଚିଫ୍ ସେକ୍ରେଟାରୀଠାରୁ ଆରମ୍ଭ କରି ରାଜ୍ୟରେ ଦୀର୍ଘବର୍ଷ ଧରି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ଅଫିସର ଅଲୋଡ଼ା ହୋଇଗଲେ, ତା’ର ପୂରା କାହାଣୀ ଲେଖିଛନ୍ତି ଡକ୍ଟର ସଂଜୟ କୁମାର ପଣ୍ଡା ।

କିପରି ସରକାର ବଦଳିଗଲେ ଅଫିସରଙ୍କ ଭାଗ୍ୟ ବଦଳିଯାଏ, ତା’ର ଏ ହେଉଛି ବଡ଼ ଉଦାହରଣ । ଦୀର୍ଘ ବର୍ଷ ଧରି ମାନିକ ସରକାରଙ୍କ ଅମଳରେ ରହିଥିବା ବରିଷ୍ଠ ବ୍ୟୁରୋକ୍ରାଟ୍ ସଂଜୟ ପଣ୍ଡାଙ୍କ କ୍ଷେତ୍ରରେ ଠିକ୍ ଏହିପରି ହୋଇଥିଲା । ତ୍ରିପୁରା ଅମଲାତନ୍ତ୍ରରେ ୨୨ ବର୍ଷ କାଳ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ ଆଇଏଏସ୍ ସଂଜୟ ପଣ୍ଡା । ଅମଲାତନ୍ତ୍ରର ଶିଖରରେ ପହଁଚି ସାଢେ ୪ ବର୍ଷ କାଳ ଚିଫ୍ ସେକ୍ରେଟାରୀ ଭାବେ କାର୍ଯ୍ୟ କରିଥିଲେ । ଏହା ପରେ ଦେଢ଼ ବର୍ଷ ଧରି କେନ୍ଦ୍ରରେ ବୟନଶିଳ୍ପ ସଚିବ ରହିଥିଲେ ସଂଜୟ । ଅବସର ପରେ ପୁଣି ପାଇଥିଲେ ମାନିକ ସରକାରଙ୍କ ଡକରା । ତାଙ୍କର ଦୀର୍ଘ ଦିନର ପ୍ରଶାସନିକ ଅଭିଜ୍ଞତାକୁ ଉପଯୋଗ କରିବା ପାଇଁ ତ୍ରିପୁରା ସ୍କିଲ୍ ଡେଭେଲୋପମେଂଟ ମିସନର ଅଧ୍ୟକ୍ଷ ପଦରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା । ସବୁ ଠିକ୍ଠାକ୍ ଚାଲିଥିଲା । ହେଲେ ମାନିକ ସରକାରଙ୍କ କମ୍ୟୁନିଷ୍ଟ ଶାସନ ବଦଳିଲା, ତାଙ୍କ ସ୍ଥାନରେ ଆସିଲେ ବିଜେପିର ବିପ୍ଳବ ଦେବ ।

ତ୍ରିପୁରାରେ ବିପ୍ଳବ ଦେବ ସରକାର ଆସିବା ପରେ ଅଲୋଡା ହୋଇପଡିଲେ ବରିଷ୍ଠ ଅଫିସର ସଂଜୟ ପଣ୍ଡା । ସମ୍ଭବତଃ ଦୀର୍ଘ ବର୍ଷ ଧରି ମାନିକ ସରକାରଙ୍କ ଅଧିନରେ ଅଫିସର ରହିଥିବା ସଂଜୟ ପଣ୍ଡାଙ୍କୁ ବିଶ୍ୱାସକୁ ନେଇ ପାରୁନଥିଲେ ବିପ୍ଳବ ଦେବ । ଏପରିକି ତାଙ୍କ ସହ ମୁର୍ହାଁମୁହିଁ ହେବାକୁ ମଧ୍ୟ ଚାହୁଁ ନଥିଲେ ନୂଆ ମୁଖ୍ୟମନ୍ତ୍ରୀ । ଏହି କଥା ସେତିକି ବେଳେ ଜଣାପଡିଥିଲା ଯେତେବେଳେ ଉକ୍ରଳ ଦିବସ ପାଳନ ଉତ୍ସବରେ ଓଡ଼ିଆ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ନିମନ୍ତ୍ରଣ କରାଯାଇଥିଲା । ୮ ବର୍ଷ ତଳେ ତ୍ରିପୁରାରେ ଓଡ଼ିଆ କଳା ସଂସ୍କୃତି ବିନିମୟ ପାଇଁ ଗଢା ହୋଇଥିବା ଓଡ଼ିଆ ସମାଜର ଚିଫ୍ ପାଟ୍ରୋନ ଥିଲେ ସଂଜୟ ପଣ୍ଡା । ତ୍ରିପୁରାରେ ଅନୁଷ୍ଠିତ ଉକ୍ରଳ ଦିବସ ଉତ୍ସବରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ବିପ୍ଳବ ଦେବଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସର୍ତ ରଖାଯାଇଥିଲା, ସଂଜୟ ପଣ୍ଡାଙ୍କୁ ଦୂରେଇ ରଖିବାକୁ । ଶେଷରେ ତାହା ହିଁ ହୋଇଥିଲା, ମୁଖ୍ୟମନ୍ତ୍ରୀ ଉତ୍ସବରେ ଯୋଗ ଦେଇଥିଲେ, ମାତ୍ର ଉକ୍ରଳ ଦିବସ ଉତ୍ସବରେ ସାମିଲ ହୋଇନଥିଲେ ଓଡ଼ିଶା ସମାଜର ଚିଫ୍ ପାଟ୍ରୋନ । ଫେସବୁକରେ ଏ ନେଇ ସବିଶେଷ କାହାଣୀ ଲେଖିଛନ୍ତି ନିଜେ ସଂଜୟ ପଣ୍ଡା ।

ଏପରିକି ସ୍କିଲ ଡେଭେଲୋପମେଂଟ କାର୍ଯ୍ୟକ୍ରମରେ ସ୍କିଲ୍ ଡେଭେଲୋପମେଂଟ ମିସନର ଅଧ୍ୟକ୍ଷ ଥିବା ସଂଜୟ ପଣ୍ଡାଙ୍କ ନାଁକୁ ଖବରକାଗଜ ବିଜ୍ଞାପନ ଓ ନିମନ୍ତ୍ରଣ ପତ୍ରରୁ ହଟାଇ ଦିଆଯାଇଥିଲା । ସଂଜୟ ପଣ୍ଡା ଲେଖିଛନ୍ତି କିପରି ତାଙ୍କ ପାଇଁ ଅପମାନଜନକ ସ୍ଥିତି ସୃଷ୍ଟି କରାଯାଇଥିଲା । ସେ ଆହୁରି ମଧ୍ୟ ଲେଖିଛନ୍ତି, ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ନିଜ ପକ୍ଷ ରଖିବାକୁ ଚାହୁଁଥିଲେ ବି ତାଙ୍କୁ ସେ ସୁଯୋଗ ଦିଆଯାଇନଥିଲା । ଅଲୋଡ଼ା, ଅସହାୟ ଓ ଅପମାନିତ ହେବା ପରେ ଅପ୍ରେଲ ୧୩ ତାରିଖରେ ନିଜ ପଦବୀରୁ ଇସ୍ତଫା ଦେଇ ଓଡ଼ିଶା ଫେରି ଆସିଛନ୍ତି ସଂଜୟ ପଣ୍ଡା । ଏହାର ମାସକ ପରେ ଅର୍ଥାତ ମେ’ ୧୩ ତାରିଖରେ ଫେସବୁକ୍ ପୋଷ୍ଟରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ତେବେ କେନ୍ଦ୍ର ସରକାର ଅଧିନରେ ସଚିବ ପଦରୁ ଅବସର ନେବା ପରେ କିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ ୧୦ ମିନିଟ କଟାଇଥିଲେ, ସେହି ମଧୁର ସ୍ମୃତି ମଧ୍ୟ ବର୍ଣ୍ଣନା କରିଛନ୍ତି ସଂଜୟ ।