ବଗ୍ ସ୍କାନ୍, ଡିବ୍ରିଫିଙ୍ଗ ଓ ସାଇକୋ ଟେଷ୍ଟ- ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଆଜି ଏହିସବୁ ପରୀକ୍ଷା ଦେବାକୁ ପଡିବ

457

ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଶୁକ୍ରବାର ରାତି ପାକିସ୍ତାନରୁ ୱାଘା ବର୍ଡର ଜରିଆରେ ଭାରତ ଫେରିଲେ । ଅଟାରୀ-ୱାଘା ବର୍ଡର ଅତିକ୍ରମ କରିବା କ୍ଷଣି ତାଙ୍କୁ ବାୟୁସେନାର ହେଲିକପ୍ଟରରେ ଦିଳ୍ଲୀ ଅଣାଗଲା । ବାୟୁସେନାର ନିୟମ ଅଧିନରେ ଶନିବାର ଦିନ ୱିଙ୍ଗ କମାଣ୍ଡରଙ୍କୁ ଡିବ୍ରିଫିଙ୍ଗ ଓ ବଗ୍ ସ୍କାନିଙ୍ଗ ପରୀକ୍ଷା ଦେବାକୁ ପଡିବ । ଏହି ସମୟରେ ସେନା ଓ ଗୁପ୍ତ ଏଜେନ୍ସି ଗୁଡିକର ଅଧିକାରୀ ତାଙ୍କୁ ପଚରାଉଚୁରା କରିବେ । ଏହାପରେ ମେଡିକାଲ ଚେକଅପ୍ ହେବ ।

ଭାରତୀୟ ବାୟୁସେନାର ନିୟମ ଅଧିନରେ ତାଙ୍କୁ କିଛି କଡା ପରୀକ୍ଷା ଦେବାକୁ ହେବ । ଏହି ବିଷୟରେ ରିସର୍ଚ୍ଚ ଆଣ୍ଡ ଏନାଲିସିସ୍ ୱିଙ୍ଗ ପାଇଁ କାମ କରୁଥିବା ବରିଷ୍ଠ ଆଇପିଏସ୍ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକାରୀ କହିଛନ୍ତି କି, ଅଭିନନ୍ଦନ ଫେରିଲା ପରେ ଅନେକ ପ୍ରକାରର ପରୀକ୍ଷା ତାଙ୍କୁ ଦେବାକୁ ହେବ । ଏହା ଠିକ୍ ନୁହେଁ, ବରଂ ଭାରତୀୟ ବାୟୁସେନାର ନିୟମ ବହୁତ କଡା । ତାଙ୍କୁ ଯୁଦ୍ଧ ସମୟରେ ଅନ୍ୟ ଦେଶରେ ବନ୍ଦୀ ବନାଇବା ପରେ ପୁଣି ଫେରିବା ସମୟରେ ପରୀକ୍ଷା ଦେବାକୁ ପଡିବ । ଏହାର କୌଣସି ବିକଳ୍ପ ନାହିଁ ।

ଏହି ଯାଂଚ ପ୍ରକ୍ରିୟା ଦେଇ ଅତିକ୍ରମ କରିବାକୁ ହେବ :

• ଶନିବାର ଦିନ ତାଙ୍କ ସହ ଡିବ୍ରିଫିଙ୍ଗ ହେବ । ଏହି ସମୟରେ ବାୟୁସେନାର ଅଧିକାରୀ ତାଙ୍କୁ ପାକିସ୍ତାନରେ ବିତାଇଥିବା ସମୟକୁ ନେଇ ପଚରାଉଚୁରା କରିବେ । ବାୟୁସେନାର ଇଂଟେଲିଜେନ୍ସର ଡିବ୍ରିଫିଙ୍ଗ ପରୀକ୍ଷା ବହୁତ ଯନ୍ତ୍ରଣାଦାୟକ ହୋଇଥାଏ । ବିଶେଷ କଥା ଏହା ଯେ, ବାୟୁସେନା ନିୟମଗୁଡିକ ଅନୁସାରେ ଏହା ଅନିବାର୍ଯ୍ୟ । ଏଥିରେ ଜଣାଯାଏ କି, ଶତ୍ରୁମାନେ କାରାବାସ ସମୟରେ ତାଙ୍କ ଠାରୁ କେଉଁ କେଉଁ ତଥ୍ୟ ହାସଲ କରିଛନ୍ତି । ଏହି କଥାର ବିଶ୍ୱାସ ସୃଷ୍ଟି କରିବାକୁ ପଡେ କି, ଶତ୍ରୁ ଦେଶର ସେନା ତାଙ୍କୁ ନିଜ ସେନାରେ ସାମିଲ ତ କରିନାହାଁନ୍ତି ।

• ଏହାପରେ ୱିଙ୍ଗ କମାଣ୍ଡରଙ୍କୁ ଅନେକ ପ୍ରକାରର ମେଡିକାଲ ପରୀକ୍ଷାର ସାମନା କରିବାକୁ ପଡିବ । ଏଥିରେ ପୁରା ଶରୀରର ଚେକଅପ୍ ସାମିଲ ଅଛି ।

• ପୁଣି ଅଭିନନ୍ଦନଙ୍କ ସ୍କାନିଙ୍ଗ ହେବ । ଏଥିରେ ଏହା ଜାଣିବାକୁ ଚେଷ୍ଟା କରିବେ କି, ପାକିସ୍ତାନୀ ଆର୍ମି ତାଙ୍କ ଉପରେ କୌଣସି ବଗ୍ ଫିଟ୍ କରିଦେଇ ନାହାଁନ୍ତି ତ ।

• ୱିଙ୍ଗ କମାଣ୍ଡରଙ୍କ ସାଇକୋଲଜିକାଲ ଟେଷ୍ଟ ମଧ୍ୟ କରାଯିବ । କାହିଁକିନା ସେ ଶତ୍ରୁଙ୍କ ଅଂଚଳରେ ଏକୁଟିଆ ଥିଲେ । ତାଙ୍କୁ ସେଠି ବନ୍ଦୀ ରୂପେ ରଖାଯାଇଛି । ଏହାର ଆଶଙ୍କା ଅଛି ଯେ, ଜାତୀୟ ସୁରକ୍ଷା ସହିତ ସଂପର୍କିତ ଗୁପ୍ତ ତଥ୍ୟ ପାଇଁ ତାଙ୍କୁ ମାନସିକ ଓ ଶାରୀରିକ ଭାବେ ନିର୍ଯ୍ୟାତନା ଦିଆଯାଇଥିବ । ଏହାଦ୍ୱାରା ତାଙ୍କୁ ଆଘାତ ଲାଗିଥିବ । ଏହା ଜାଣିବା ଜରୁରୀ ଯେ, ତାଙ୍କ ମାନସିକ ସ୍ଥିତି ଏବେ କେମିତି ଅଛି ।

• ଏହା ବ୍ୟତୀତ ୱିଙ୍ଗ କମାଣ୍ଡରଙ୍କୁ ଇଂଟେଲିଜେନ୍ସ ବ୍ୟୁରୋ ଓ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ ମଧ୍ୟ ଅଲଗା ପଚରାଉଚୁରା କରିପାରନ୍ତି ।