ଭାରତ ଫେରିଲେ ଦେଶର ହିରୋ । ଅଭିନନ୍ଦନଙ୍କୁ ଭାରତର ଅଭିନନ୍ଦନ, ୱାଘା ବର୍ଡରରେ ତ୍ରିରଙ୍ଗା ଧରି ବୀର ପୁଅକୁ ସ୍ୱାଗତ କଲେ ଦେଶବାସୀ

1,394

କନକ ବ୍ୟୁରୋ : ଭାରତ ଫେରିଲେ ଦେଶର ସାହସୀ ପୁଅ ଅଭିନନ୍ଦନ । ଅଟାରୀ-ୱାଘା ବର୍ଡର ରାସ୍ତା ଦେଇ ଭାରତରେ ପହଞ୍ଚିଛନ୍ତି ଭାରତର ବୀର ପୁଅ । ସ୍ୱତନ୍ତ୍ର ସୁରକ୍ଷାବଳୟ ମଧ୍ୟରେ ଅଭିନନ୍ଦନଙ୍କୁ ୱାଘା ବର୍ଡରକୁ ଅଣାଯାଇଥିଲା । ସେଠାରୁ ତାଙ୍କୁ ଭାରତର ବାୟୁସେନାର ଅଧିକାରୀ ମାନେ ଅଭିନନ୍ଦନଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶକୁ ପାଛୋଟି ଆଣିଛନ୍ତି । ୱାଘା ବର୍ଡରରେ ହାତରେ ତ୍ରିରଙ୍ଗା ଧରି ବୀର ପାଇଲଟ ପୁଅଙ୍କୁ ସାବାସୀ ଦେବା ସହ ଅଭିନନ୍ଦନ ଜଣାଇଛନ୍ତି ଦେଶବାସୀ । ଅଭିନନ୍ଦନଙ୍କ ପାଇଁ ୱାଘା ବର୍ଡରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଅନ୍ୟପଟେ ପୁଅକୁ ୱାଘା ବର୍ଡରରେ ସ୍ୱାଗତ କରିଛନ୍ତି ଅଭିନନ୍ଦନଙ୍କ ବାପା ଓ ମା । ଅଭିନନ୍ଦନଙ୍କୁ ୱାଘା ବର୍ଡରରୁ ଅମୃତସର ବିମାନବନ୍ଦର ନିଆଯିବ । ସେଠାରୁ ତାଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ଅଭିମୁଖେ ନିଆଯିବ । ସେଠାରେ ତାଙ୍କର ମେଡିକାଲ ଚେକଅପ କରାଯିବ ବୋଲି ସ୍ଥିର କରାଯାଇଛି । ଅଭିନନ୍ଦନଙ୍କ ସ୍ୱଦେଶ ପରିବର୍ତ୍ତନ ପରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ଅସୁବିଧା ନୁହୁଏ, ସେଥିପ୍ରତି କଡ଼ା ଦୃଷ୍ଟି ଦିଆଯାଉଛି ।

ଏହାପୂର୍ବରୁ ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନ ବୁଧବାର ପାକିସ୍ତାନ ଅଧିକୃତ କଶ୍ମୀର ଅଂଚଳରେ ଭୁଲ ବଶତଃ ଅବତରଣ କରିଥିଲେ । ଭାରତୀୟ ସୀମା ଭିତରକୁ ପଶିଆସିଥିବା ପାକିସ୍ତାନ ଯୁଦ୍ଧ ବିମାନ ଏଫ-୧୬କୁ ଧ୍ୱଂସ କରିବା ପାଇଁ ପିଓକେ ଭିତରକୁ ପଶିଯାଇଥିଲେ ଅଭିନନ୍ଦନ । ତାଙ୍କୁ ସେଠାରୁ ପାକ୍ ସେନା କବଜା କରି ନେଇଥିଲା । ପାକିସ୍ତାନ କବଜାରେ ଭାରତୀୟ ପାଇଲଟ୍ ଥିବା ନେଇ ଭିଡିଓ ଭାଇରାଲ ହେବା ପରେ ନିସର୍ତରେ ତାଙ୍କୁ ମୁକ୍ତ କରିବାକୁ ଭାରତ ସରକାର ଦାବି କରିଥିଲେ । ପ୍ରବଳ ଆନ୍ତର୍ଜାତୀକ ଚାପ ଓ ଭାରତର ଯୁଦ୍ଧ ପ୍ରସ୍ତୁତି ଦେଖି ଶେଷରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆଜି ଅଭିନନ୍ଦନଙ୍କୁ ମୁକ୍ତ କରିବେ ବୋଲି ଗତକାଲି ଘୋଷଣା କରିଥିଲେ ।