ମୁଁ ଚୁପ ବସିବିନି… ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ କହିଲେ ପରବିନ୍ଦର ପାଲ ସିଂହ । ଜାମିନ ନେଇ ପ୍ରଶ୍ନ ଉଠିବା ପରେ ୩ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ପୁଲିସ

2,611

କନକ ବ୍ୟୁରୋ: ହାଇକୋର୍ଟ ଯିବେ ପରବିନ୍ଦର ପାଲ ସିଂହ । ଭୁବନେଶ୍ୱର ଲକ୍ଷ୍ମୀସାଗର ଆକ୍ରମଣ ଘଟଣାରେ ଆହତ ହୋଇଥିବା ପରବିନ୍ଦର ପାଲ ସିଂହ ହାଇକୋର୍ଟଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । ରାତାରାତି ଅଭିଯୁକ୍ତଙ୍କୁ କେମିତି ଜାମିନ ମିଳିଲା ବୋଲି ସେ ପ୍ରଶ୍ନ ଉଠାଇବା ସହ ଅଭିଯୁକ୍ତଙ୍କ ବିରୋଧରେ ଠିକ୍ ଧାରା ଲାଗି ନଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ମାଡ଼ ମରାଯିବା ପରେ ସେ ଦେଇଥିବା ଏଫଆଇଆରରେ ଅନେକ କିଛି ଉଲ୍ଲେଖ କରିପାରିନଥିଲେ ବୋଲି ଆଜି କ୍ୟାମେରା ଆଗରେ କହିଛନ୍ତି ପରବିନ୍ଦର । ନିଜ ଅବସ୍ଥା ଠିକ ନଥିବାରୁ ସେତେବେଳେ ସେ ନିଜ କଥା ଲେଖି ପାରିନଥିଲେ । ଅନ୍ୟ ଜଣେ ଏଫଆଇଆର ଲେଖିଥିବାରୁ ମୋ ଇମୋସନ ଏବଂ ମୁଁ ଲେଖିବାକୁ ଚାହିଁ ନଥିବା କଥା ସେଥିରେ ଉଲ୍ଲେଖ ନଥିଲା ବୋଲି କହିଛନ୍ତି ପରବିନ୍ଦର ।

ସେପଟେ ଆଜି ୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି କମିଶନରେଟ ପୋଲିସ । ସିସିଟିଭି ଫୁଟେଜ, ସାକ୍ଷୀ ଓ ମେଡିକାଲ ରିପୋର୍ଟ ଆଧାରରେ ଚାର୍ଜସିଟ ଦାଖଲ କରାଯାଇଛି । ପୁଲିସ କମିସନରଙ୍କ ନିର୍ଦ୍ଦେଶ ଅନୁଯାୟୀ ୩ ଦିନ ଭିତରେ ଚାର୍ଜସିଟ୍ ଦାଖଲ କରିଛି ପୋଲିସ ।

ଅନ୍ୟପଟେ ଆଜି ପରବିନ୍ଦରଙ୍କ ସମର୍ଥନରେ ଖାରବେଳନଗର ଗୁରୁଦ୍ୱାର ନିକଟରୁ ଏକ କ୍ୟାଣ୍ଡେଲ ରାଲି କରିଛନ୍ତି ଶିଖ୍ ସମ୍ପ୍ରଦାୟର ଲୋକେ । ଶୋଭାଯାତ୍ରାକାରୀମାନେ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୦୭ ଲାଗୁ କରିବା ସହ ପଗଡି ସେମାନଙ୍କ ଗାରିମା ବୋଲି ଲେଖାଥିବା ପ୍ଲାକାର୍ଡ ଧରି ଶୋଭାଯାତ୍ରା କରିଛନ୍ତି । ଆଇନ ଉପରେ ଭରସା ନଥିବାରୁ ଆଖିରେ କଳା ପଟି ବାନ୍ଧି ଥିବା ନେଇ ପରବିନ୍ଦରଙ୍କ ପତ୍ନୀ କହିଛନ୍ତି । ତେବେ ୧୦୦ ନମ୍ବରୁ ଫୋନ କରି ମୋ ସ୍ୱାମୀଙ୍କୁ ପ୍ରବଳ ପିଟା ଯାଇଥିବା କଥା କହି କାହା ଉପରେ ଭରସା କରିବା ବୋଲି ପ୍ରଶ୍ନ କରିଛନ୍ତି ପରବିନ୍ଦରଙ୍କ ପତ୍ନୀ ।