ଡ୍ୟାନ୍ସିଙ୍ଗ୍ ଅଙ୍କଲ୍ ପରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲେ ଡ୍ୟାନ୍ସିଙ୍ଗ୍ ଡାକ୍ତର ! ଦକ୍ଷିଣ ଅଭିନେତା ଏଏନଆରଙ୍କ ଅବିକଳ ଡ୍ୟାନ୍ସ କରି ଚର୍ଚ୍ଚା ସାଉଁଟିଲେ ଡାକ୍ତର ।

269

ଡ୍ୟାନ୍ସିଙ୍ଗ୍ ଅଙ୍କଲଙ୍କ କଥା ତ ଆପଣଙ୍କ ମନେ ଥିବ । ଏକ ବିବାହ ରିସେପ୍ସନରେ ଜବରଦସ୍ତ ଡ୍ୟାନ୍ସ କରି କିଭଳି ରାତାରାତି ସୋସିଆଲ୍ ମିଡିଆ ଷ୍ଟାର ବନିଥିଲେ ଡବ୍ୱୁ ଅଙ୍କଲ୍ । ଏବେ ଡ୍ୟାନ୍ସିଙ୍ଗ୍ ଅଙ୍କଲଙ୍କ ଭଳି ଭାଇରାଲ୍ ଲିଷ୍ଟରେ ସାମିଲ୍ ହୋଇଛନ୍ତି ଡ୍ୟାନ୍ସିଙ୍ଗ୍ ଡାକ୍ତର । ବିଶାଖାପାଟଣାର କିଙ୍ଗ୍ ଜର୍ଜ ଡାକ୍ତରଖାନାର ଚର୍ମ ବିଭାଗରେ କାର୍ଯ୍ୟରତ ଥିବା ଆସିଷ୍ଟାଣ୍ଟ୍ ପ୍ରଫେସର୍ ଡାକ୍ତର ଜି.ସୂର୍ଯ୍ୟନାରାୟଣ ଅଭିନେତା ଏ ନାଗେଶ୍ୱର ରାଓଙ୍କ ଅବିକଳ ଡ୍ୟାନ୍ସ କରି ଲୋକଙ୍କ ଧ୍ୟାନ ନିଜ ଆଡକୁ କେନ୍ଦ୍ରୀତ କରିଛନ୍ତି ।

ସ୍ୱାଧୀନତା ଦିବସ ଅବସରରେ ଏହି ଡ୍ୟାନ୍ସିଙ୍ଗ୍ ଡାକ୍ତରଙ୍କ ଭିଡିଓ ଭାଇରାଲ୍ ହୋଇଛି । ଲୋକପ୍ରିୟ ଦକ୍ଷିଣ ଅଭିନେତା ଏ ନାଗେଶ୍ୱର ରାଓ (ଏଏନଆର)ଙ୍କ ପ୍ରସିଦ୍ଧ ତେଲୁଗୁ ଗୀତରେ ଅବିକଳ ତାଙ୍କ ଡ୍ୟାନ୍ସ ଷ୍ଟାଇଲକୁ କପି କରି ଏହି ଡାକ୍ତର ଏବେ ଖୁବ୍ ଚର୍ଚ୍ଚା ସାଉଁଟିଛନ୍ତି । ୧୯୭୧ ରେ ଆସିଥିବା ସିନେମା ପ୍ରେମନଗରରେ ଏଏନଆରଙ୍କ ଏହି ଡ୍ୟାନ୍ସ ଖୁବ୍ ଲୋକପ୍ରିୟ ହୋଇଥିଲା । ବର୍ତ୍ତମାନ ଏହି ଡାକ୍ତରଙ୍କ ଡ୍ୟାନ୍ସ ଏବେ ଲୋକଙ୍କୁ ଏଏନଆରଙ୍କ କଥା ମନେ ପକାଉଛି ।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହି ଭାଇରାଲ୍ ଡାକ୍ତର ଜଣଙ୍କ ପିଲାବେଳୁ ନାଚ ପ୍ରତି ତାଙ୍କ ଅହେତୁକ ଦୁର୍ବଳତା ଥିବା କଥା କହିଥିଲେ । ସେ ଏଏନଆରଙ୍କ ବହୁତ ବଡ ପ୍ରଶଂସକ ଏବଂ ୧୯୮୧ ରେ ପ୍ରଥମଥର ପାଇଁ ସେ ମେଡିକାଲ୍ କଲେଜରେ ଡ୍ୟାନ୍ସ କରିଥିଲେ । ସୂର୍ଯ୍ୟନାରାୟଣ ୨୦୦ ରୁ ଅଧିକ ପ୍ରୋଗ୍ରାମରେ ନାଚିଥିବା କଥା କୁହନ୍ତି । ନୃତ୍ୟ ସୌଖିନ ଜି.ସୂର୍ଯ୍ୟନାରାୟଣ ପ୍ରତିଦିନ ଟଙ୍କା ଖର୍ଚ୍ଚ କରି ଥିଏଟର୍ ଯାଇ ଅଭିନେତା ଏଏନଆରଙ୍କ ସିନେମାକୁ ବାରମ୍ବାର ଦେଖି ଡ୍ୟାନ୍ସ ଷ୍ଟେପ୍ ଶିଖୁଥିଲେ । ସିଲଭର୍ ସ୍କ୍ରିନ୍ ରେ ମଧ୍ୟ ସେ କାମ କରିଥିବା କଥା କୁହନ୍ତି । ୨୦୦୬ ରେ ସେ ଏକ ସିନେମାରେ ଜିଲ୍ଲାପାଳ ଭୂମିକା ନିଭାଇଥିଲେ ।