ଏମିତି ନିର୍ମାଣ ହେବ ରାମ ମନ୍ଦିର । ସାମ୍ନାକୁ ଆସିଲା ମନ୍ଦିରର ନକ୍ସା । କିଏ ଏହି ବ୍ୟକ୍ତି ? ଯିଏ ଆଙ୍କିଛନ୍ତି ମନ୍ଦିରର ମାନଚିତ୍ର

3,052

କନକ ବ୍ୟୁରୋ: ରାୟ ଆସିଲା, ରାମମନ୍ଦିର ପାଇଁ ରାସ୍ତା ଫିଟିଲା । ଗତକାଲି ସୁପ୍ରିମକୋର୍ଟରେ ବହୁପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ଶୁଣାଣି ପରେ ଏବେ କେମିତି ଏବଂ କେଉଁ ଢ଼ାଞ୍ଚାରେ ନିର୍ମାଣ ହେବ ଏହାକୁ ନେଇ ଉତ୍କଣ୍ଠା ବଢ଼ୁଥିବାବେଳେ ଏହାର ନକ୍ସା ଚନ୍ଦ୍ରକାନ୍ତ ଭାଇ ସୋମପୁରାଙ୍କ ପାଖରେ ରହିଛି । ଯିଏ ୩୦ ବର୍ଷ ପୂର୍ବେ ରାମ ମନ୍ଦିର ନିର୍ମାଣ ନକ୍ସାର ନାୟକ ଥିଲେ ସେ ହିଁ ଆଜି ଏହାର ଖୁଲାସା କରିଛନ୍ତି ।

ସୂଚନାନୁସାରେ, ଚନ୍ଦ୍ରକାନ୍ତ ଭାଈ ସୋମପୁରା ରାମ ମନ୍ଦିର ନିର୍ମାଣ କରୁଥିବା ଡିଜାଇନର ଉନ୍ମୋଚନ କରିଛନ୍ତି । ଏହି ମନ୍ଦିର ନଗର ଶୈଳୀରେ ଅଷ୍ଟ କୋଣୀୟ ରୂପେ ନିର୍ମିତ ହେବ । ମନ୍ଦିରରେ ଭଗବାନ ରାମଙ୍କ ମୃର୍ତ୍ତି ଏବଂ ରାମଙ୍କ ଦରବାର ରହିବ । ମନ୍ଦିରର ମୁଖ୍ୟ ପାଶ୍ୱର୍ ଠାରୁ ଆରମ୍ଭ କରି ସୀତା, ଲକ୍ଷ୍ମଣ, ଭରତ ଏବଂ ଭଗବାନ ଗଣେଶ ମନ୍ଦିରର ନିର୍ମାଣ ହେବ । ଏହି ମନ୍ଦିର ଅକ୍ଷରଧାମ ମନ୍ଦିର ଶୈଳୀରେ ତିଆରି ହେବ । ଏଥିସହିତ ମନ୍ଦିର ପରିସରରେ ସନ୍ଥ ମାନଙ୍କ ନିବାସ, ଶୌଧ କେନ୍ଦ୍ର, ଏବଂ ମନ୍ଦିର ଟ୍ରଷ୍ଟ କର୍ମଚାରୀମାନଙ୍କ ଆବାସ ରୋଷ ଘରେ ମଧ୍ୟ ନିର୍ମାଣ କରାଯିବ ।

ଚନ୍ଦ୍ରକାନ୍ତ ଭାଈ ସୋମପୁରା ତିଆରି କରିଥିବା ଅଯୋଧ୍ୟା ରାମ ମନ୍ଦିରର ନକ୍ସା ଅନୁସାରେ, ଏହି ମନ୍ଦିର ଦୁଇ ମହଲା ବିଶିଷ୍ଟ ତିଆରି ହେବ । ମନ୍ଦିରର ଲମ୍ବା ୨୭୦ମିଟର ଓ ଓସାର ୧୪୦ମିଟର ଏବଂ ଉଚ୍ଚତା ୧୨୫ମିଟରର ତିଆରି ହେବ । ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ୫ଟି ଦ୍ୱାର ଖୋଲାଯିବ । ଏହା ଭିତରେ ସିଂହ ଦ୍ୱାର, ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, କୋଲୀ, ଗର୍ଭ ଗୃହ ଏବଂ ପରିକ୍ରମା ମାର୍ଗ ହେବ । ଭବିଷ୍ୟତରେ ମନ୍ଦିରରେ କଳଙ୍କି ଲାଗିବାର ସମ୍ଭାବନା ରହିଥିବାରୁ ବିନା ଲୁହାରେ ଏହି ମନ୍ଦିରର ନିର୍ମାଣ କରାଯିବ ।

ସବୁଠାରୁ ବଡ଼କଥା ହେଲା କି, ଦୁଇ ମହଲା ବିଶିଷ୍ଟ ଏହି ମନ୍ଦିରରେ ପ୍ରଭୁ ରାମଙ୍କ ପ୍ରତିମା ତଳ ମହଲାରେ ନିର୍ମିତ ହେବ । ଉପର ମହଲାରେ ରାମଙ୍କ ଦରବାର ହେବ । ୨୨୧ ଖମ୍ବ ବା ପିଲର ବିଶିଷ୍ଟ ମନ୍ଦିରରେ ଯିବା ଆସିବା ପାଇଁ ୨୪ଟି ଦ୍ୱାର ଖୋଲାଯିବ । ମନ୍ଦିରର ପ୍ରତ୍ୟେକ ଖମ୍ବରେ ଦେବାଦେବୀଙ୍କ ପ୍ରତିମୃର୍ତ୍ତିର ସ୍ଥାପନା କରାଯିବ । ମନ୍ଦିର ନିର୍ମାଣରେ ରାଜସ୍ଥାନ ଭରତପୁର ଅନ୍ତର୍ଗତ ବଂଶୀ ପାହାଡପୁର ପଥର ବ୍ୟବହୃତ ହେବ ବୋଲି ସୂଚନା ମିଳିଛି ।