କାହିଁକି ସାଇବାବାଙ୍କୁ ଭଗବାନ ମାନିଲେ ଭକ୍ତ ? ଜାଣନ୍ତୁ ଶିରିଡିରେ ସାଇବାବାଙ୍କ ଲୀଳାର ସବୁ କାହାଣୀ ।

615

କନକ ବ୍ୟୁରୋ : ମାତ୍ର ୧୬ ବର୍ଷ ବୟସରେ ମହାରାଷ୍ଟ୍ର ଅହମଦନଗରରେ ଥିବା ଶିରିଡି ଗାଁକୁ ଆସିଥିଲେ ସାଇ ବାବା । ଏହିଠାରେ ପ୍ରଥମେ ଏକ ନିମ ଗଛ ମୂଳେ ତାଙ୍କ ଆସ୍ଥାନ ଜମାଇଥିଲେ । ଖରା, ବର୍ଷାକୁ ଖାତିର ନକରି କଠୋର ତପସ୍ୟାରେ ଲିନ ହୋଇଗଲେ । ଏତେ ଅଳ୍ପ ବୟସରେ ଏଭଳି କଠିନ ତପସ୍ୟା ଦେଖି ଗାଁର କିଛି ମାଆ ତାଙ୍କୁ ଖାଇବାକୁ ଦେଉଥିଲେ । ଏମିତି କିଛିଦିନ ଚାଲିଥିବା ବାବାଙ୍କ ତପସ୍ୟା ସମସ୍ତଙ୍କୁ ରହସ୍ୟରେ ପକାଇଥିଲା । ହେଲେ ଅଚାନକ ଦିନେ ଗାଏବ ହୋଇଗଲେ ବାବା ।

ମାନ୍ୟତା ରହିଛି ଗାଏବ ହେବାର ପ୍ରାୟ ବର୍ଷେ ପରେ ଗୋଟିଏ ବାହାଘର ଶୋଭାଯାତ୍ରା ସହିତ ଗାଁକୁ ଫେରିଥିଲେ ଓ ସେବେଠାରୁ ଶିରିଡିରେ ହିଁ ରହିଗଲେ । ତାଙ୍କ ଫରିକ ବେଶ ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା । କାରଣ ତାଙ୍କ ବେଶଭୁସା ଦେଖି କେହିକେହି ତାଙ୍କୁ ହିନ୍ଦୁ ବୋଲି ଭାବୁଥିଲେ, ତ ଆଉ କେହି ମୁସଲମାନ । ବାବା କେଉଁଠୁ ଆସିଥିଲେ, ତାଙ୍କ ଜନ୍ମସ୍ଥାନ କେଉଁଠି, ତାଙ୍କ ମାତା ପିତା କିଏ, କାହାରିକୁ କିଛି ଜଣାନଥିଲା । ତାଙ୍କ ଜାତି ବାବଦରେ ମଧ୍ୟ କେହି କିଛି ଜାଣିନଥିଲେ । ପଚାରିଲେ ବାବା ସବୁବେଳେ କହୁଥିଲେ ସବକା ମାଲିକ ଏକ ।

ଶିରିଡି ଗାଁରେ ଏକ ଭଙ୍ଗାରୁଜା ମନ୍ଦିରରେ ବାବା ରହିବାକୁ ଲାଗିଲେ । ସାଇ ବାବା ଏହାକୁ ଦ୍ୱାରକା ମାଇ ବୋଲି କହୁଥିଲେ । ଗାଁରେ ଭିକ୍ଷା ବୃତି କରି ବାବା ସାଧନା ଜାରି ରଖିବା ସହ ନିଜକୁ ଲୋକ କଲ୍ୟାଣରେ ନିୟୋଜିତ କଲେ । କୁହାଯାଉଛି ବାବା ତାଙ୍କ ଆସ୍ଥାନ ମନ୍ଦିରରେ ଏକ ଦୀପ ପ୍ରଜ୍ୱଳନ କରି ତାର ବିଭୂତି ଭକ୍ତଙ୍କୁ ଦେଉଥିଲେ । ଏହି ବିଭୂତିର ଚମତ୍କାର ବଳରେ ଲୋକଙ୍କ ଦୂରାରୋଗ୍ୟ ସବୁ ଭଲ ହୋଇଯାଉଥିଲା ।

ଶିରିଡିର ସାଇ ବାବାଙ୍କ କିଛି ଏହିଭଳି ଚେହେରା ଆମେ ଟିଭି ପରଦାରେ ଦେଖି ଆସିଛୁ । ଧଳା ଲୁଗା ସାଙ୍ଗକୁ ଧଳା ପଞ୍ଜାବୀ ଓ ମୁଣ୍ଡରେ ଫକୀର ପଗଡି । ଅତି ସାଧାସିଧା ଥିଲା ବାବାଙ୍କ ଜୀବନ । ଚିରା ଲୁଗା ପିନ୍ଧି ଭିକ୍ଷା ବୃତି କରୁଥିବା ସାଇ ବାବା ଚମତ୍କାର କରିବାକୁ ଲାଗିଲେ । ଦେଖୁ ଦେଖୁ ଲୋକେ ତାଙ୍କୁ ଈଶ୍ୱରଙ୍କ ଅବତାର ବୋଲି ବିବେଚନା କଲେ । ଆଉ ବାବାଙ୍କ କ୍ଷାତି ଶିରିଡି ଗାଁର ସୀମା ଡେଇଁ ଚାରିଆଡେ ବ୍ୟାପିବାକୁ ଲାଗିଲା । ବାବା କୌଣସି ନିର୍ଦ୍ଦିଷ୍ଟ ଧର୍ମ ଓ ଜାତିକୁ ମାନୁନଥିଲେ । ସେଥିପାଇଁ ତାଙ୍କ ଆଦୃତି ବଢିଚାଲିଲା । ଦ୍ୱାରକା ମାୟୀ ମନ୍ଦିରରେ ଲୋକେ ତାଙ୍କୁ ପୂଜାର୍ଚ୍ଚନା କଲେ । ସାଇ ବାବାଙ୍କୁ ହିନ୍ଦୁ-ମୁସଲମାନ ସଦଭାବନାର ପ୍ରତିକ ଭାବେ ବିବେଚନା କରାଯାଏ । ସେଥିପାଇଁ ତାଙ୍କ ସମାଧୀ ପୀଠରେ କୌଣସି ବାଛ ବିଚାର କରାଯାଏ ନାହିଁ ।