କେମିତି ରାୟପୁରରେ ପାସର୍ଲ ବୋମା ଧରି କୋରିୟର ଅଫିସ ଖୋଜୁଥିଲା ପୁଞ୍ଜିଲାଲ? ପୂରା ଘଟଣାକୁ ଚଳଚିତ୍ର ରୂପ ଦେବାକୁ କରୁଥିଲା ପ୍ରୟାସ

40

କନକ ବ୍ୟୁରୋ : ପାଟଣାଗଡ ପାର୍ସଲ ବୋମା ଘଟଣାରେ ତଦନ୍ତ ଯେତିକି ଯେତିକି ଆଗକୁ ବଢୁଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ପୁଂଜିଲାଲ ମେହେର ପାର୍ସଲ ବୋମାଟିକୁ ପ୍ରସୁତ କରି ରାୟପୁର ଯିବା ପରେ ଏହାକୁ କୋରିଅରରେ ପଠାଇବା ନେଇ ନୂଆ କୌଶଳ ଅବଲମ୍ବନ କରିଥିଲା । ଟ୍ରେନରୁ ଓହ୍ରାଇବା ପରେ ପ୍ରଥମେ ରିକ୍ସାରେ କିଛି ବାଟ ଯାଇଥିଲା ପୁଂଜିଲାଲ । ଏହାପରେ ଅଟୋ ରିକ୍ସାରେ ଯାଇଥିଲା କୋରିଅର ସଂସ୍ଥା । ତେବେ ନିଜେ କୋରିଅର୍ ସଂସ୍ଥାକୁ ନଯାଇ ଅଟୋବାଲା ହାତରେ ପଠାଇଥିଲା ପାର୍ସଲ ବୋମା । ଏବେ ସେହି ଅଟୋ ଚାଳକକୁ ଓ ସେହି ରିକ୍ସା ଚାଳକକୁ ଖୋଜିବା ଆରମ୍ଭ କରିଛି କ୍ରାଇମବ୍ରାଂଚ୍ ।

ହତ୍ୟାର ନକ୍ସା ପ୍ରସ୍ତୁତ କରିବା ପରେ ତାକୁ ଚୁଡାନ୍ତ ରୂପ ଦେବା ପାଇଁ ଏକ ରିସ୍କାରେ ବସି ଏଗଳିରୁ ସେଗଳି ଘୁରି ବୁଲୁଥିଲା ପୁଞ୍ଜିଲାଲ୍ ମେହେର । ନିଜ ପରିଚୟକୁ ଗୋପନୀୟ ରଖି, ମୃତ୍ୟୁର ପାର୍ସଲ ପଠାଇବା ପାଇଁ ପୁଞ୍ଜିଲାଲ୍ ପହଂଚିଯାଉଥିଲା ଗୋଟିଏ ପରେ ଗୋଟିଏ କୋରିୟର ।ଆଉ ଏହିଭଳି ଭାବେ ପୂରା ରାୟପୁର ସହରରେ ଘୁରି ବୁଲୁଥିଲା ମୃତ୍ୟୁର ସୌଦାଗର ।ନିଜକୁ ପରଦା ଆଢ଼ୁଆଳରେ ରଖି ଘଟଣାକୁ ଚୁଡାନ୍ତ ରୁପ ଦେବାକୁ ଚାହୁଁଥିବା ପୁଞ୍ଜିଲାଲ୍ କୌଣସି ରିକ୍ସ ନେବାକୁ ଚାହୁଁନଥିଲା । ଆଉ ଏଥିପାଇଁ କରିଥିଲା ଭରପୁର ପ୍ରୟାସ । ଖାସକରି ଫିଲ୍ମ ଦୃଶ୍ୟମ ଚଳଚ୍ଚିତ୍ର ଭଳି କୌଣସି ପ୍ରମାଣ ରଖିବାକୁ ଚାହୁଁନଥିଲା ପୁଞ୍ଜିଲାଲ ।

ପ୍ରତିଶୋଧର ନିଆଁରେ ଜଳୁଥିବା ପୁଞ୍ଜିଲାଲ୍, ରାୟପୁର ଷ୍ଟେସନରୁ ପ୍ରଥମେ ଏକ ଅଟୋରେ ବସି ପହଂଚି ଯାଇଥିଲା ଡିଟିଡିସି କୋରିୟର ସଂସ୍ଥା ପାଖରେ । ନିଜେ ଯାଇ କୋରିୟର ଦେବା ବଦଳରେ ଅଟୋ ଡ୍ରାଇଭରକୁ କହିଥିଲା କୋରିୟରକୁ ପଠାଇଥିବା ପାଇଁ । ହେଲେ କୋରିୟର ସଂସ୍ଥା ଆଧାର କାର୍ଡ ମାଗିବାରୁ ସେଠାରୁ ଫେରି ଆସିଥିଲା ପୁଞ୍ଜିଲାଲ । ଏହା ପରେ ଅଟୋ ରିକ୍ସା ନେଇ ପୁଣି ବାହାରିଥିଲା ଆଉ ଏକ କୋରିୟର ସନ୍ଧାନରେ ।

ପ୍ରଥମେ ସାଇକେଲ ରିକ୍ସା ପରେ ଅଟୋ ରିକ୍ସା, ପାର୍ସଲ ବୋମା ପଠାଇବା ପାଇଁ ପୁଞ୍ଜିଲାଲ୍ ଆପଣାଇଥିଲା ଗୋଟିଏ ପରେ ଗୋଟିଏ କୌଶଳ । ଏବେ ସେହି ଅଟୋ ଡ୍ରାଇଭର ପାଖରେ ପହଂଚିବା ପାଇଁ କ୍ରାଇମବ୍ରାଂଚ୍ ଆରମ୍ଭ କରିଛି ପ୍ରକ୍ରିୟା ।ପୁଞ୍ଜିଲାଲର ଅପରାଧ ପ୍ରମାଣ କରିବାକୁ ହେଲେ ସେହି ଅଟୋ ଡ୍ରାଇଭର ପାଖରେ କ୍ରାଇମବ୍ରାଂଚକୁ ପହଂଚିବାକୁ ପଡ଼ିବ । ଯେଉଁଥି ପାଇଁ ଅଟୋ ଡ୍ରାଇଭରକୁ ଖୋଜିବା ପାଇଁ ଉଦ୍ୟମ କରୁଛି କ୍ରାଇମବ୍ରାଂଚ୍ । ଏମିତିକି ଅଟୋ ଡ୍ରାଇଭରକୁ ଠାବ କରିବା ପାଇଁ ରଖାଯାଇଛି ପୁରସ୍କାର ।

ପୁଞ୍ଜିଲାଲ୍ ଯେତେବେଳେ ରିକ୍ସା ନେଇ ଗୋଟିଏ କୋରିୟର ସଂସ୍ଥାରୁ ଆଉ ଗୋଟିଏ କୋରିୟର ସଂସ୍ଥାକୁ ବୁଲୁଥିଲା, ସେହି ସମୟର ସିସିଟିଭି ଭିଜୁଆଲକୁ ଖୋଜି ବୁଲୁଛି କ୍ରାଇମବ୍ରାଂଚ୍ । କୌଣସି ସ୍ଥାନରେ ସରକାରୀ କିମ୍ବା ବ୍ୟକ୍ତିଗତ ଭାବେ ଲାଗିଥିବା ସିସିଟିଭି ଏହି ଦୃଶ୍ୟକୁ କଏଦ କରିଛି କି ?ଏହା ବ୍ୟତୀତ ପୁଞ୍ଜିଲାଲ୍ ବ୍ୟବହାର କରୁଥିବା ଲାପ୍ଟପ୍ ଓ ମୋବାଇଲରୁ ଉଡିଯାଇଥିବା ଡାଟାର ପୁନରୁର୍ଦ୍ଧାର ପାଇଁ ଗାନ୍ଧୀନଗର ଏବଂ ହାଇଦ୍ରାବାଦ ଫରେସନସିକ୍ ଲ୍ୟାବକୁ ପଠାଯିବ । ସେହିପରି କୋରିୟର ସଂସ୍ଥାର ସିସିଟିଭି ହାର୍ଡଡିସ୍କକୁ ଇସ୍ରାଏଲ୍ ପଠାଇବ କ୍ରାଇମବ୍ରାଂଚ୍ ।ମୃତ୍ୟୁର ସୌଦାଗର ପୁଞ୍ଜିଲାଲକୁ କୋଠରରୁ କୋଠର ଶାସ୍ତି ଦେବା ପାଇଁ କ୍ରାଇମବ୍ରାଂଚ୍ ଆପ୍ରାଣ ଉଦ୍ୟମ କରୁଥିବା ବେଳେ ଆବଶ୍ୟକ ପଡ଼ିଲେ ପୁଣି ଥରେ ରିମାଣ୍ଡ ପାଇଁ ଆବେଦନ କରିବ ।