‘ମ୍ୟାନ୍ ଭର୍ସେସ ୱାଇଲ୍ଡ’ରେ ମୋଦିଙ୍କ ହିନ୍ଦୀ କେମିତି ବୁଝି ପାରୁଥିଲେ ବେୟର ଗ୍ରିଲ୍ସ ।’ ମନ୍ କି ବାତ୍’ରେ ଗୁମର ଖୋଲିଲେ ମୋଦି ।

1,156

ମନ କି ବାତରେ ମୋଦି ଖୋଲିଲେ ବଡ ଗୁମର । ମ୍ୟାନ୍ ଭର୍ସେସ ୱାଇଲ୍ଡ ସୋ’କୁ ନେଇ ଉଠିଥିବା ପ୍ରଶ୍ନରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମୋଦି । ଗତ ଅଗଷ୍ଟ ୧୨ ତାରିଖରେ ଡିସକଭରି ଚ୍ୟାନେଲରେ ଲୋକପ୍ରିୟ ସୋ’ ମ୍ୟାନ୍ ଭର୍ସେସ ୱାଇଲ୍ଡର ପ୍ରସାରଣ ହୋଇଥିଲା । ଯେଉଁଥିରେ ସୋ’ର ହୋଷ୍ଟ ବିୟର ଗ୍ରିଲ୍ସଙ୍କ ସହ ଦୁଃସାହସିକ ଜଙ୍ଗଲ ଯାତ୍ରାରେ ମୋଦିଙ୍କୁ ଦେଖିବାକୁ ମିଳିଥିଲା । ଉତ୍ତରାଖଣ୍ଡର କାର୍ବେଟ ନ୍ୟାସନାଲ ପାର୍କର ଜଙ୍ଗଲରେ ବୁଲିଥିଲେ ଉଭୟ ବେୟର ଗ୍ରିଲ୍ସ ଓ ମୋଦି । ଆଉ ଏହି ଜଙ୍ଗଲ ଯାତ୍ରା ସମୟରେ ବେୟରଙ୍କ ସାମ୍ନାରେ ନିଜର ରାଜନୀତି କ୍ୟାରିୟର ସହ ଜୀବନ କାହାଣି ବଖାଣିଥିଲେ ମୋଦି ।

ତେବେ ଏହି ସୋ’ ଟେଲିକାଷ୍ଟ ହେବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିଥିଲା ଯେ, ପୂରା ସୋ’ରେ ମୋଦି ହିନ୍ଦିରେ ନିଜର ଅନୁଭୂତି ବଖାଣୁଥିବା ବେଳେ ଏହାକୁ କିଭଳି ବୁଝିପାରୁଥିଲେ ବେୟର । ମୋଦି-ବେୟରଙ୍କ ବାର୍ତ୍ତାଳପ ଏଡିଟ କରାଯାଇଛି ନା ଏଥିପାଇଁ ବାରମ୍ବାର ସୁଟ୍ କରାଯାଇଛି ତାହା ଜାଣିବା ପାଇଁ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ମଧ୍ୟ ହୋଇଥିଲା । ଏହା ଉପରୁ ପରଦା ହଟାଇ ମୋଦି କହିଛନ୍ତି, ବେୟର ଓ ମୋ ମଧ୍ୟରେ ହୋଇଥିବା ବାର୍ତ୍ତାଳପରେ ଟେକ୍ନୋଲୋଜି ବଡ ଭୂମିକା ଗ୍ରହଣ କରିଥିଲା ।

ଜଙ୍ଗଲଯାତ୍ରା ସମୟରେ ବେୟର ଗ୍ରିଲ୍ସଙ୍କ କାନରେ ଏକ କର୍ଡଲେସ ଡିଭାଇସ ଲାଗିଥିଲା ଯାହା ମୋଦିଙ୍କ କଥାକୁ ସଙ୍ଗେ ସଙ୍ଗେ ଇଂରାଜୀରେ ଟ୍ରାନ୍ସଲେଟ କରୁଥିଲା । ଯାହାଫଳରେ ଉଭୟ ପରସ୍ପରର କଥାକୁ ବୁଝି ପାରୁଥିଲେ । ମ୍ୟାନ୍ ଭର୍ସେସ ୱାଇଲ୍ଡ ସୋ’ର ଏହି ଏପିସୋଡ ବିଶ୍ୱର ଟ୍ରେଣ୍ଡିଙ୍ଗ ଟେଲିଭିଜନ ସୋ’ ରହିଥିଲା । ଏନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଥିଲେ ବେୟର ଗ୍ରିଲ୍ସ । ଏହି ସୋ’ ମାଧ୍ୟମରେ ମୋଦି ନିଜର ଅନେକ ଅନୁଭୂତି ବଖାଣିଥିଲେ । ମୋଦିଙ୍କ ରାଜନୀତି କ୍ୟାରିୟର ଠାରୁ ବ୍ୟକ୍ତିଗତ ଜୀବନର ଅନେକ ଅକୁହା କଥା ଏହି ସୋ’ରେ ଜାଣିବାକୁ ପାଇଥିଲା ପୂରା ବିଶ୍ୱ । ଏପରିକି ଏହି ସୋ’ରେ ପୂରା ବିଶ୍ୱକୁ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।