ଭିନ୍ନ ରୂପରେ ହୋଇଥାଏ ଜେଏନୟୁ ଛାତ୍ର ସଂସଦ ନିର୍ବାଚନ ? ଜାଣନ୍ତୁ କିଭଳି ନିର୍ବାଚିତ ହୋଇଥାନ୍ତି ଛାତ୍ର ସଂସଦ ସଭାପତି

55

ଦେଶର ଚର୍ଚ୍ଚିତ ବିଶ୍ୱବିଦ୍ୟାଳୟ ଜେଏନୟୁରେ ଛାତ୍ରସଂସଦ ନିର୍ବାଚନ ପାଇର୍ ବାଜିଛି ବିଗୁଲ । ଖୁବଶୀଘ୍ର ଜେଏନୟୁରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଆଉ ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ତେବେ ଜେଏନୟୁର ଛାତ୍ର ସଂସଦ ନିର୍ବାଚନ ଦେଶର ଅନ୍ୟ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ । ଏଠାରେ ନିର୍ବାଚନରେ ପ୍ରାର୍ଥୀ ମାନଙ୍କୁ ଛାତ୍ରଛାତ୍ରୀଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡିଥାଏ । ଆଉ ଏଥିପାଇଁ କ୍ୟାମ୍ପସ ପରିସରରେ ପ୍ରେସିଡିଏନ୍ସାଲ ଡିବେଟ କରିଥାନ୍ତି ଛାତ୍ରଛାତ୍ରୀ । ତେବେ ଅନ୍ୟ ବିଶ୍ୱବିଦ୍ୟାଳୟ ଠାରୁ ଜେଏନୟୁରେ କିଭଳି ଅଲଗା ହୋଇଥାଏ ଛାତ୍ର ସଂସଦ ନିର୍ବାଚନ ।

ଜେଏନୟୁରେ ଛାତ୍ର ସଂସଦ ନିର୍ବାଚନ ଛାତ୍ର ମାନଙ୍କ ଦ୍ୱାରା ହିଁ ପରିଚାଳିତ କରାଯାଇଥାଏ । ଡିବେଟ ଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନା କରିବାର ପୂରା ଦାୟିତ୍ୱ ଛାତ୍ରସଂଘର ନିର୍ବାଚନ ସମିତି ହାତରେ ରହିଥାଏ । ଏଥିରେ ଜେଏନୟୁ ବିଶ୍ୱବଦ୍ୟାଳୟ କର୍ତ୍ତୃପକ୍ଷଙ୍କ କୌଣସି ଭୂମିକା ରହିନଥାଏ । ବିଶ୍ୱବିଦ୍ୟାଳୟର ପ୍ରତ୍ୟେକ ବିଭାଗର ଛାତ୍ର ମାନଙ୍କୁ ନେଇ ନିର୍ବାଚନ ସମିତି ଗଠନ କରାଯାଇଥାଏ । ଏହି ସମିତି ପାଇଁ ବଛା ଯାଇଥିବା ମୁଖ୍ୟ ନିର୍ବାଚନ ଆୟୋଗଙ୍କ ସହ ମୋଟ ୧୮ ଜଣ ସଦସ୍ୟ ରହିଥାନ୍ତି ।

ଅନ୍ୟ ବିଶ୍ୱବିଦ୍ୟାଳୟ ଭଳି ଜେଏନୟୁରେ ଲିଙ୍ଗଡୋ କମିଶନର କିଛି ନିୟମ ମଧ୍ୟ ଲାଗୁ କରାଯାଇଥାଏ । ତେବେ ଲିଙ୍ଗଡୋ କମିଶନ ବଦଳରେ ଛାତ୍ରସଂଘ ସମ୍ବିଧାନ ଅନୁଯାୟୀ ନିର୍ବାଚନ କରାଯାଉ ବୋଲି ଛାତ୍ର ସଂସଦ ଦାବି କରି ଆସୁଛି । ନିର୍ବାଚନ ପ୍ରକିୟା ମଧ୍ୟରେ ଭୋଟ ଗ୍ରହଣର ଦୁଇ ଦିନ ପୂର୍ବରୁ ନିର୍ବାଚନ ସମିତି ଦ୍ୱାରା ଡିବେଟର ଆୟୋଜନ କରାଯାଇଥାଏ । ଯେଉଁଥିରେ ସମସ୍ତ ସଭାପତି ପ୍ରାର୍ଥୀ ଏକତ୍ରିତ ହୋଇଥାନ୍ତି ।

ଏହି ସଭାରେ ପ୍ରାର୍ଥୀ ମାନେ ବିଶ୍ୱବିଦ୍ୟାଳୟକୁ ନେଇ କଣ ଚିନ୍ତା କରୁଛନ୍ତି ଓ କ୍ୟାମ୍ପସର କିପରି ଉନ୍ନତି ହୋଇପାରିବ ସେନେଇ ମତ ଦେଇଥାନ୍ତି । ଖାସକରି କ୍ୟାମ୍ପସର ହଷ୍ଟେଲ, ଲାଇବ୍ରେରୀ ଓ ଦେଶର ରାଜନୀତିକୁ ନେଇ ବଡଧରଣର ଆଲୋଚନା ହୋଇଥାଏ । ଏହି ଆଲୋଚନା ୩ଟି ପର୍ଯ୍ୟାୟରେ ହୋଇଥାଏ । ପ୍ରଥମ ପର୍ଯ୍ୟାୟରେ ସମସ୍ତ ସଭାପତି ପ୍ରାର୍ଥୀ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ନିଜର ମତ ରଖିଥାନ୍ତି । ଏଥିପାଇଁ ପ୍ରତ୍ୟେକ ସଭାପତି ପ୍ରାର୍ଥୀଙ୍କୁ ୧୨ ମିନିଟ୍ ଲେଖାଏଁ ସମୟ ମିଳିଥାଏ । ସେହିଭଳି ଦ୍ୱିତୀୟ ରାଉଣ୍ଡରେ ଜଣେ ଜଣେ ପ୍ରାର୍ଥୀ ମଞ୍ଚ ଉପରକୁ ଆସିଥାନ୍ତି । ଏବଂ ମଞ୍ଚ ତଳେ ଥିବା ଅନ୍ୟ ପ୍ରାର୍ଥୀ ମାନେ ସେମାନଙ୍କୁ ପ୍ରଶ୍ନ ପଚାରିଥାନ୍ତି । ଯାହାର ଉତ୍ତର ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରାର୍ଥୀମାନେ ଦେଇଥାନ୍ତି ।

ନିର୍ବାଚନ ସମିତି ତରଫରୁ ନିର୍ବାଚନ ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କ ଠାରୁ ବିଶ୍ୱବିଦ୍ୟାଳୟର ସମସ୍ୟା ସର୍ମ୍ପର୍କିତ ପ୍ରଶ୍ନ ମଗାଯାଇଥାଏ । ଏକ ସାଦା କାଗଜରେ ଯେ କୌଣସି ଛାତ୍ର ନିଜର ପ୍ରଶ୍ନ ଯେକୌଣସି ପ୍ରାର୍ଥୀଙ୍କୁ ପଚାରିପାରିବ । ଛାତ୍ରଛାତ୍ରୀଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନକୁ ବିଭିନ୍ନ ପ୍ରାର୍ଥୀଙ୍କ ନାମରେ ଥିବା ଡବା ଗୁଡିକରେ ରଖାଯାଇଥାଏ । ତୃତୀୟ ରାଉଣ୍ଡ ଆରମ୍ଭରୁ ପ୍ରତ୍ୟେକ ପ୍ରାର୍ଥୀ ବକ୍ସ ମଧ୍ୟରୁ ପ୍ରଶ୍ନର ଚିଠା ଉଠାଇବା ସହ ଏହାର ଉତ୍ତର ଦେବାକୁ ପଡିଥାଏ । କୁହାଯାଏ ଏହି ଆଲୋଚନା ଆଧାରରେ ହିଁ ପ୍ରାର୍ଥୀ ମାନଙ୍କୁ ଭୋଟ ଦେଇଥାନ୍ତି ଛାତ୍ରଛାତ୍ରୀ । ଭୋଟିଂର ଦୁଇଦିନ ପରେ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଥାଏ ।