ଯେଉଁ ତନ୍ତ ବୁଣି ପିଲାଙ୍କୁ ପୋଷି ବଡ କରିଛି ତାହାକୁ କେମିତି ଛାଡିବି? ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କଲେ ଦୂତିଙ୍କ ବାପା-ମା’

79

କନକ ବ୍ୟୁରୋ : ପିଲାମାନଙ୍କୁ ବଡ କରିବା, ତାଙ୍କ ଭବିଷ୍ୟତ ଗଢ଼ିବା ବାପା-ମାଙ୍କ ଦାୟିତ୍ୱ । ଆଉ ସେହି ପିଲାମାନେ ବଡ ହୋଇ ସଫଳ ହୋଇଗଲେ, କୁହାଯାଏ-ବାବା-ମାଙ୍କ ଦାୟିତ୍ୱ ସରିଗଲା । ଏଣିକି ପିଲାଙ୍କ ଉପରେ ନିର୍ଭରଶୀଳ ହୋଇ ଦିନ କାଟନ୍ତି ବୟସ୍କ ପିତାମାତା । ହେଲେ ଆମେ ଏମିତି ଜଣେ ସଫଳ ତାରକାଙ୍କ ବାପା-ମାଙ୍କ କାହାଣୀ କହିବୁ ଯେଉଁମାନେ ଝିଅଙ୍କ ସଫଳତାକୁ ନେଇ ଗର୍ବ କରନ୍ତି । ହେଲେ ତାଙ୍କ ଉପରେ ନିର୍ଭରଶୀଳ ନୁହଁନ୍ତି । ଆଜି ବି ସେମାନେ ଆତ୍ମନିର୍ଭରଶୀଳ ହେବା ସହ ସରଳ ଜୀବନଯାପନରେ ବିଶ୍ୱାସ କରନ୍ତି ।

ପରିଣତ ବୟସରେ ନିଜ ହାତରେ ରୁଟି ତିଆରି କରୁଛନ୍ତି ବୃଦ୍ଧା ଓ ତାଙ୍କୁ ପୁରା ସହଯୋଗ କରୁଥିଲେ ତାଙ୍କ ସ୍ୱାମୀ । ତେବେ ଏହି ଦମ୍ପତି କୌଣସି ସାଧାରଣ ଦମ୍ପତି ନୁହଁନ୍ତି-ଏମାନେ ହେଉଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ ଧାବିକା ଦୂତି ଚାନ୍ଦଙ୍କ ପିତାମାତା । ଗୋଟିଏ ଝିଅ ସବଇନସ୍ପେକ୍ଟର, ଆଉ ଜଣେ ଝିଅ ଯାଜପୁରରୁ ଜାକର୍ତା ଯାଇ ଦେଶର ଟେକ ରଖିଛନ୍ତି । ଝିଅମାନେ ଯେତେ ବାରଣ କଲେ ବି, ଏମାନେ ତାଙ୍କ ସ୍ୱାଭାବିକ ଜୀବନଶୈଳୀରେ କୌଣସି ପରିବର୍ତନ ଆଣି ନାହାଁନ୍ତି । କାରଣ ଏହି ଦମ୍ପତି ଆତ୍ମନିର୍ଭରଶୀଳ ହେବା ସହ ସରଳ ଜୀବନଯାପନରେ ବିଶ୍ୱାସ କରନ୍ତି ।

ସାନ ଝିଅ ଦୂତି ଚାନ୍ଦ ଏସିଆଡ ଖେଳରେ ଯାଇ ଭାରତ ପାଇଁ ପଦକ ଆଣିଛନ୍ତି । ଆଉ ଏହି ସଫଳତା ପାଇଁ ଓଡ଼ିଶା ସରକାର ଦେଢ଼ କୋଟିର ପୁରସ୍କାର ବି ଘୋଷଣା କରିଛନ୍ତି । ହେଲେ ବି ଆଜିର ଦିନରେ ତାଙ୍କର କୌଳିକ ବୃତିକୁ ଭୁଲି ନାହାଁନ୍ତି । ସକାଳ ପାଇଲେ ନିତ୍ୟକର୍ମ ସାରି ଏମାନେ ଲାଗି ପଡ଼ନ୍ତି ଲୁଗା ବୁଣିବାରେ । ଆଉ ଏଥିରୁ ଦିନକ ରୋଜଗାର କରନ୍ତି ମାତ୍ର ଶହେ ଟଙ୍କା । ହେଲେ ସେତିକିରେ ସନ୍ତୁଷ୍ଟ ଏହି ଦମ୍ପତି । ଆଜି ସିନା ଝିଅମାନେ ସଫଳ ହୋଇଗଲେ ହୋଇଗଲେ, ହେଲେ ଦିନ ଥିଲା ଏହି ଲୁଗା ବୁଣି ସେମାନଙ୍କୁ ପାଳିପୋଷି ବଡ କରିଛନ୍ତି । ତେଣୁ ଏହାକୁ ସେମାନେ ଛାଡି ପାରୁ ନାହାଁନ୍ତି ।

ଦୂତିଙ୍କ ବାପାଙ୍କ ବି ସେଇ ସମାନ ଅଭ୍ୟାସ । ଝିଅଙ୍କ ଉପରେ ନିର୍ଭରଶୀଳ ନହୋଇ ପାରମ୍ପରିକ ପେଶାକୁ ସମୟ ଦେଇ ଦୁଇ ପଇସାର ରୋଜଗାର କରିବାରେ ବିଶ୍ୱାସ କରନ୍ତି । ଏଥିପାଇଁ ତାଙ୍କୁ ଗାଁ ଲୋକଙ୍କଠାରୁ ଅନେକ କଥା ବି ଶୁଣିବାକୁ ମିଳେ । କାରଣ ଝିଅମାନେ ରୋଜଗାର କରୁଛନ୍ତି, ଏତେ ପରିଶ୍ରମ କରିବାର ଆବଶ୍ୟତା କ’ଣ । ହେଲେ କାହାରି କଥାକୁ ଖାତିର ନକରି ଏମାନେ ଆଜି ବି ସେମିତି ବଂଚୁଛନ୍ତି, ସେମିତି ପୂର୍ବରୁ ଚଳି ଆସୁଥିଲେ । ଝିଅମାନଙ୍କ ସଫଳତା ପରେ ଘରକୁ ଟଙ୍କା ଆସି ଯାଇଛି । ମାଟି ଘର କୋଠା ହୋଇଛି । ହେଲେ ଏମାନେ ଗାଁ ଲୋକ ଯେମିତି ବଂଚନ୍ତି ସେମିତି ବଂଚୁଛନ୍ତି । କାରଣ ଗାଁ ଲୋକ ପରିଶ୍ରମ କରି ଚଳୁଛନ୍ତି ଆଉ ସେମାନେ ବା କେମିତି ଘରେ ବସି ରହିବେ ।