ବାଲେଶ୍ୱରର ‘ବୋଇତାଳୁ’ ହୋଟେଲ । ପନ୍ଦର ଟଙ୍କା ଦେଲେ ମିଳୁଛି ପେଟପୂରା ଖାଇବା । ଭୋଜନ ବେଳେ ଭଜନ ବାଜୁଛି, ନିଆରା ହୋଟେଲରେ ଭିଡ ଜମୁଛି…

4,292

କନକ ବ୍ୟୁରୋ: ଭଜନ ଶୁଣିବେ, ଭୋଜନ କରିବେ । ହାଲକା ଗୀତର ତାଳେତାଳେ ହୋଟେଲ ଭିତରେ ଖାଇବେ ଗ୍ରାହକ । ଶୁଦ୍ଧ ନିରାମିଶ ଖାଦ୍ୟ ପରଷିବା ସହ ଭୋଜନ ବେଳେ ମନ ଶୁଦ୍ଧି ପାଇଁ ହୋଟେଲରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଶସ୍ତା, ସୁନ୍ଦର ସାଙ୍ଗକୁ ପେଟ ଆଉ ପକେଟକୁ ସୁଆଇଲା ଭଳି ଖାଦ୍ୟ ମିଳୁଥିବାରୁ ବାଲେଶ୍ୱର ବୋଇତାଳୁ ଜଳଖିଆ ଦୋକାନରେ ଲାଗୁଛି ଗ୍ରାହକଙ୍କ ଲମ୍ବା ଲାଇନ ।

ବାଲେଶ୍ୱର କଚେରୀ ଭିତରେ ଥିବା ବୋଇତାଳୁ ଜଳଖିଆ ଦୋକାନରେ ମିଳୁଛି ଘରୁଆ ଖାନା । କମ ତେଲ ମସଲାରେ ସମସ୍ତ ଜଳଖିଆ ପ୍ରସ୍ତୁତ ହେଉଥିବା ବେଳେ ତରକାରୀରେ ବଜାରର ଶସ୍ତା ରଙ୍ଗ ବ୍ୟବହାର ହେଉନି । ବରଂ ଅଦା କଞ୍ଚା ଲଙ୍କାରେ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ଛୁଙ୍କରେ ଟେଷ୍ଟି ଲାଗୁଥିବା ତରକାରୀ ଖାଇବାକୁ ଲୋକ ବିଡ ଲଗାଉଛନ୍ତି । ତେବେ ମାତ୍ର ୧୫ ଟଙ୍କାରେ ପେଟ ପୂରା ଖାଇବା ମିଳୁଥିବାରୁ ପିଲା ଠାରୁ ବୁଢା ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଛି ବୋଇତାଳୁ ହୋଟେଲ ।

ସବୁଠାରୁ ବଡ କଥା ହେଉଛି ଏହି ହୋଟଲରେ ଖାଇବା ବେଳେ ଗ୍ରାହକ ହରିନାମ ଶୁଣନ୍ତି । ସକାଳ ୭ରୁ ସନ୍ଧ୍ୟା ୭ ଯାଏଁ ଖୋଲା ରହୁଥିବା ଏହି ଦୋକାନରେ ୧୨ ଘଣ୍ଟା ଯାଏଁ ଭଜନ ବାଜୁଥାଏ । ବିନା ପିଆଜ ରସୁଣରେ ଗରମ ଗରମ ମଟର ଘୁଗୁନି, ଆଳୁଦମ ତରକାରୀ, ପୁରୀ, ଉପମା, ରୁଟି ସହ ଦହିବରା ବି ମିଳେ । ତେବେ ମାତ୍ର ୧୫ ଟଙ୍କା ଖର୍ଚ୍ଚ କରି ଜଣେ ଆରାମରେ ପେଟ ପୂରା ଖାଇ ପାରିବ ବୋଲି ଗ୍ରାହକ କହିଛନ୍ତି ।

ତେବେ ବୋଇତାଳୁ ହୋଟେଲର ଏଭଳି ନାଁ ପଛରେ ରହିଛି ଏକ ମଜାଳିଆ କାହାଣୀ । ୬୦ ବର୍ଷ ତଳେ ଭୀମଚରଣ ସାହୁ ଏବଂ ତାଙ୍କ ଭାଇ ଅର୍ଜୁନ ସାହୁ ଏହି ଦୋକାନ କରିଥିଲେ । ସେତେବେଳେ ଭୀମ ଦେଖିବାକୁ ଟିକେ ମୋଟା ଥିବାରୁ ତାଙ୍କୁ ସମସ୍ତେ ବୋଇତାଳୁ ବୋଲି ଡାକୁଥିଲେ । ଆଉ ସେହି ଡାକ ଅନୁସାରେ ଆଜି ଯାଏଁ ଦୋକାନର ନାଁ ବୋଇତାଳୁ ରହି ଆସିଛି । ତେବେ ବର୍ତ୍ତମାନ ଅର୍ଜୁନ ଏବଂ ତାଙ୍କ ପୁଅ ଉମାକାନ୍ତ ଏହି ଦୋକାନରୁ ମାସକୁ ୩୦ ହଜାର ଟଙ୍କା ରୋଜଗାର କରୁଥିବା ବେଳେ ହୋଟେଲର ନିଆରା ନାଁ ଆଉ ଭିନ୍ନ ସ୍ୱାଦ ପାଇଁ ଦିନକୁ ପ୍ରାୟ ହଜାରେ ଲୋକ ଏଠାକୁ ଖାଇବାକୁ ଆସନ୍ତି ।