ବର୍ଷେ ହେଲା ବିନା ଡାକ୍ତରରେ ଚାଲିଛି ଡାକ୍ତରଖାନା : କେନ୍ଦୁଝର ଖଣି ଅଂଚଳରେ ଚାଲିଛି ଡାକ୍ତରଙ୍କ ଭିଡିଓ ଚିକିତ୍ସା

49

କନକ ବ୍ୟୁରୋ : ବର୍ଷେ ହେଲା ବିନା ଡାକ୍ତରରେ ଚାଲିଛି ଡାକ୍ତରଖାନା । ଦିନକୁ ୫୦ରୁ ୬୦ ଜଣ ରୋଗୀ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଫେରୁଛନ୍ତି । ରୋଗୀଙ୍କ ପରୀକ୍ଷା ନୀରିକ୍ଷା କରାଯିବା ସହ ଔଷଧ ମଧ୍ୟ ଦିଆଯାଉଛି । ଆଉ କେନ୍ଦୁଝର ଖଣି ଅଂଚଳରେ ଏ ସମସ୍ତ ସେବା ଲୋକଙ୍କୁ ମାଗଣାରେ ମିଳୁଛି । ସରକାରଙ୍କ ଡିଜିଟାଲ ଡିସ୍ପେନସାରୀ କାର୍ଯ୍ୟକ୍ରମ ଜରିଆରେ ଯୋଗାଇ ଦିଆଯାଉଛି ।

ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି, ହେଲେ ଚିକିତ୍ସା ଚାଲିଛି । ରୋଗୀ ଆସୁଛନ୍ତି ଚିକିତ୍ସିତ ହେଉଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ମାଗଣାରେ ସମସ୍ତ ପରୀକ୍ଷା ନୀରିକ୍ଷା କରି ଓ ଔଷଧ ନେଇ ଫେରୁଛନ୍ତି । ଆଉ ଏ ସବୁ କାମ ସରକାରଙ୍କ ଡିସ୍ପେନସାରୀ କାର୍ଯ୍ୟକ୍ରମ ଜରିଆରେ କରାଯାଇପାରୁଛି ।

କେନ୍ଦୁଝର ଯୋଡା ବ୍ଲକ କାଳିମାଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଛି ଡିଜିଟାଲ ଡିସ୍ପେନସାରୀ । ଜଣେ ଏଏନଏମ ଓ ଜଣେ ଫାର୍ମାସିଷ୍ଟଙ୍କୁ ନେଇ ଏହି ଡିସ୍ପେନସାରୀ ଚାଲିଛି । ଏହି କାର୍ଯ୍ୟକ୍ରମ ଜରିଆରେ ଡାକ୍ତରଖାନାରୁ ରୋଗୀ ଭିଡିଓ କନଫରେନସିଂ ଜରିଆରେ କୋଲକାତା ଓ ଜୟପୁରର ବିଶେଷଜ୍ଞ ଡାକ୍ତରଙ୍କ ସହ ସିଧାସଳଖ ରୋଗ ସଂପର୍କରେ କଥା ହୋଇ ଚିକିତ୍ସା ପାଇପାରୁଛନ୍ତି ।

ପୂର୍ବରୁ ଚିକିତ୍ସା ପାଇଁ ୫୦ କିଲୋମିଟର ଯାଉଥିବା ଖଣି ଅଂଚଳର ୨୦ ହଜାରରୁ ଅଧିକ ଲୋକ ଡିଜିଟାଲ ଡିସ୍ପେନସାରୀ ଯୋଗୁଁ ଉପକୃତ ହେଉଛନ୍ତି । ତେବେ କାଳିମାଟି ପ୍ରାଥମିକ ସ୍ୱାସ୍ଥକେନ୍ଦ୍ରରେ ଡିଜିଟାଲ ଡିସ୍ପେନସାରୀ ସଫଳତାକୁ ଦେଖି ଆଗାମୀ ଦିନରେ ଜିଲ୍ଲାର ଆଉ ୬ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ଡିଜିଟାଲ ଡିସ୍ପେନସାରୀ କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଲାର ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିପାରିଛି ।