ହସ୍ପିଟାଲ ବାଉନ୍ସରଙ୍କ ଦାଦାଗିରି । ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ ମାରିଲେ, ଲହୁ ଲୁହାଣ କଲେ । 

273

କନକ ବ୍ୟୁରୋ : ହସ୍ପିଟାଲ ବାଉନ୍ସରଙ୍କ ଦାଦାଗିରି । ରୋଗୀଙ୍କୁ ଦେଖା କରିବାକୁ ଯାଇଥିବାବେଳେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ ମାରିବା ସହ ଲହୁ ଲୁହାଣ କରିଦେଇଛନ୍ତି ବାଉନ୍ସର । ଏଭଳି ଏକ ଅଭିଯୋଗ ଆସିଛି ଭୁବନେଶ୍ୱର ନୟାପଲ୍ଳୀ ଅଂଚଳରେ ଥିବା ଗ୍ୟାଷ୍ଟ୍ରୋ ଏଣ୍ଡ କିଡନି କେଆର ହସ୍ପିଟାଲର ବାଉନ୍ସରଙ୍କ ବିରୋଧରେ ।

ଯାଜପୁର ବାଲିଚନ୍ଦ୍ରପୁର ଅଂଚଳର ମନୋଜ ସାମଲ ହସ୍ପିଟାଲକୁ ତାଙ୍କ ସମ୍ପର୍କୀୟଙ୍କୁ ଭେଟିବାକୁ ଆସିଥିବା ବେଳେ ବାଉନ୍ସରଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ବାଉନ୍ସର ଜଣକ ମନୋଜ ସାମଲଙ୍କୁ ହସ୍ପିଟାଲକୁ ଛାଡି ନଥିଲେ ଓ ଏହାକୁ ନେଇ ବଚସା ହେବାରୁ ମନୋଜଙ୍କ ଉପରେ ଆକ୍ରମଣ କରିଥିଲେ । ଅଭିଯୋଗ ଅନୁସାରେ ମନୋଜଙ୍କ ଜଣେ ସମ୍ପର୍କୀୟ ପେଟରେ ହୋଇଥିବା ଷ୍ଟୋନ ପାଇଁ ଏହି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅପରେସନ ପାଇଁ ୭୦ ହଜାର ଟଙ୍କା ହସ୍ପିଟାଲ କର୍ତ୍ତୃପକ୍ଷ ଦାବି କରିଥିଲେ । ତେବେ ଏଠିି ଚିକିତ୍ସା ନକରି ଅନ୍ୟତ୍ର ନେଇଯିବା ଆଶଙ୍କା କରି ବାଉନ୍ସର ଜଣଙ୍କ ମନୋଜ ସାମଲଙ୍କୁ ଆକ୍ରମଣ କରିଥିବା ଜଣାପଡିଛି । ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମନୋଜ ।