ହାଇଦ୍ରାବାଦ ମାମଲାରେ ହୃଦୟଥରା କାହାଣୀ: ଯୁବତୀଙ୍କୁ ଜାଳିବା ପୂର୍ବରୁ ମଦ ପିଆଇଥିଲେ ଦୁର୍ବୃତ୍ତ

3,664

ଦିନକୁ ଦିନ ବଦଳୁଛି ହାଇଦ୍ରାବାଦ ମାମଲାର ମୋଡ । ଯୁବତୀଙ୍କ ସହ ଦୁର୍ବୃତ୍ତମାନେ ଜଘନ୍ୟକାଣ୍ଡ କରିବା ପରେ ତାଙ୍କୁ ଜାଳିଦେଇଥିବା ଘଟଣା ସାମ୍ନାକୁ ଆସିବା ପରେ ଜୋର ଧରିଥିଲା ପ୍ରତିବାଦ ।ଏବେ ସାମ୍ନାକୁ ଆସିଛି ଦୃର୍ବୃତ୍ତଙ୍କ ଆଉ ଏକ ଅମାନବୀୟ କାଣ୍ଡର କାହାଣୀ ।  ତେବେ ଦୁର୍ବୃତ୍ତମାନେ ଯୁବତୀଙ୍କୁ ଜାଳିବା ପୂର୍ବରୁ ତାଙ୍କୁ ମଦ ପିଆଇଥିବା କଥା ସାମ୍ନାକୁ ଆସିଛି । ହତ୍ୟା ପୂର୍ବରୁ ଯୁବତୀଙ୍କୁ ଏମାନେ ମଦ ପିଆଇ ଥିବା କଥା ସ୍ୱୀକାର କରିଛି ଜଣେ ଅଭିଯୁକ୍ତ ।

ପୁଲିସ ହେପାଜତରେ ଥିବା ମୁଖ୍ୟ ଅଭିଯୁକ୍ତ ମହମ୍ମଦ ପାଶା ନିଜେ ସ୍ୱୀକାର କରିଛି ଯେ ସେମାନେ ପୀଡିତାଙ୍କୁ ଜାଳିବା ବେଳେ ସେ ଜୀବିତ ଥିଲେ। ଦୁଷ୍କର୍ମ ପରେ ପୀଡ଼ିତାଙ୍କ ହାତଗୋଡ଼ ବାନ୍ଧିଦେଇ ତାଙ୍କୁ ଜବରଦସ୍ତ ମଦ ପିଆଇଥିଲେ। ଆଉ ପୀଡ଼ିତା ଅଚେତ ହୋଇପଡ଼ିବା ପରେ ତାଙ୍କ ଦେହରେ ସେମାନେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତେବେ ଶରୀରରେ ନିଆଁ ଲାଗିବା ପରେ ଯୁବତୀ ଖୁବ ଜୋରରେ ଚିତ୍କାର କରି ଉଠିଥିଲେ। ଜୀବନ ବଞ୍ଚାଇବାକୁ ଯୁବତୀ ଜଣଙ୍କ ଆର୍ତ୍ତ ଚିତ୍କାର କରିଥିଲେ ବି ନୃଶଂସ ଯୁବକଙ୍କ କାନରେ ତାଙ୍କ ଚିତ୍କାର ପଡିନଥିଲା । ବରଂ ଧରାପଡିଯିବା ଭୟରେ ସମସ୍ତ ଯୁବକ ସେ ସ୍ଥାନ ଛାଡି ପଳାଇଥିଲେ ।

ନିର୍ଭୟା ଭଳି ହାଇଦ୍ରାବାଦରେ ଆଉ ଏକ ଘଟଣା ଘଟିବା ପରେ ସାରା ଦେଶରେ ପ୍ରତିବାଦରେ ନିଆଁ ଜଳିଥିଲା । ଦୋଷୀଙ୍କୁ ତୁରନ୍ତ ଗିରଫ ସହ ସେମାନଙ୍କୁ ଫାଶୀ ଦିଆଯାଉ ବୋଲି ତମାମ ଦେଶରୁ ଦାବି ଉଠିଥିଲା । ତେବେ ଘଟଣାର ୨ ଦିନ ଭିତରେ ପୋଲିସ ୪ ଅଭିଯୁକ୍ତଙ୍କୁ ବାନ୍ଧିଛି । ଦୁଷ୍କର୍ମ ପରେ ଯୁବତୀଙ୍କୁ ଜାଳିଦେବା ଘଟଣା ସଭ୍ୟ ସମାଜକୁ ଯେତିକି ଦୁଃଖ ଦେଇଥିଲା ତାଠୁ ଅଧିକ କଷ୍ଟ ଦେଲା ହତ୍ୟା ପୂର୍ବରୁ ତାଙ୍କୁ ମଦ ପିଆଇବା ଘଟଣା ।