ହନିପ୍ରୀତଙ୍କୁ ଜେଲରେ ମିଳୁଛି ଭିଆଇପି ସୁବିଧା : ମନ୍ତ୍ରୀଙ୍କୁ ଫେରାଦ ହେଲେ କଏଦୀ

101

କନକ ବ୍ୟୁରୋ: ଡେରା ସଚ୍ଚାସୌଦା ମୁଖ୍ୟ ରାମ ରହିମଙ୍କ ପୋଷ୍ୟ କନ୍ୟା ହନିପ୍ରୀତ୍ ସିର୍ସାରେ ହିଂସା ଭିଆଇଥିବା ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇ ୧୮ ଦିନ ହେବ ଆମ୍ବାଲା ସେଣ୍ଟ୍ରାଲ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି । ଜେଲ ଭିତରେ ହନିପ୍ରୀତ ରହିବା ଦିନଠାରୁ ତାଙ୍କୁ ଭିଆଇପି ସୁବିଧା ସୁଯୋଗ ପ୍ରଦାନ କରାଯାଉଥିବା କଥା ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ, ହରିୟାଣା ଜେଲମନ୍ତ୍ରୀ କ୍ରିଷ୍ଣା ପନଓ୍ଵାର ସୋମବାର ଆମ୍ବାଲା ସେଣ୍ଟ୍ରାଲ ଜେଲ ପରିଦର୍ଶନରେ ଯାଇଥିଲେ । ଏହି ପରିଦର୍ଶନ ସମୟରେ ହନିପ୍ରୀତ ଜେଲ ଭିତରେ ପାଉଥିବା ଭିଆଇପି ସୁବିଧାକୁ ନେଇ କଏଦୀମାନେ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଘଟଣା ଗଣମାଧ୍ୟମ ପାଖକୁ ଆସିଥିଲା ।

କଏଦୀମାନେ ମନ୍ତ୍ରୀ କ୍ରିଷ୍ଣା ପନଓ୍ଵାରଙ୍କୁ ଅଭିଯୋଗ କରି କହିଥିଲେ, ଆମ୍ବାଲା ସେଣ୍ଟ୍ରାଲ ଜେଲରେ ବନ୍ଦୀ ଥିବା ହନିପ୍ରୀତଙ୍କୁ ଭେଟିବା ପାଇଁ ତାଙ୍କ ପରିବାରବର୍ଗ ଭାଇ ସାହିଲ ତନେଜା, ଭାଉଜ ସୋନାଲି, ଭିଣେଇ ସଞ୍ଜିତ ବଜାଜ ଓ ଭଉଣୀ ସେଣ୍ଟ୍ରାଲ ଜେଲକୁ ଆସିଥିଲେ । ହନିପ୍ରୀତଙ୍କ ପରିବାରବର୍ଗଙ୍କୁ ବି ଭିଆଇପି ସୁବିଧା ଯୋଗାଇ ଦିଆଯାଥିଲା । ତାଙ୍କ ପରିବାର ଏକ କାରରେ ସେଣ୍ଟ୍ରାଲ ଜେଲ ମୁଖ୍ୟ ଦ୍ୱାରରୁ ସିଧା ଜେଲ ପରିସର ଭିତରେ ପ୍ରବେଶ କରିଥିଲେ । ଏହି ସମୟରେ କେହି ତାଙ୍କୁ ଅଟକାଇବାକୁ ଚେଷ୍ଟା ବି କରି ନଥିଲେ । ତେବେ ଏହି ସୁବିଧା କେବଳ ପୁଲିସ ଗାଡ଼ିକୁ ହିଁ ଦିଆଯାଇ ଥାଏ । ହନିପ୍ରୀତଙ୍କୁ ଭିଆଇପି ସୁବିଧା ଦେବାରେ ଜେଲ ଅଧିକାରୀମାନେ ଏତେ ବ୍ୟସ୍ତ ଥିଲେ ଯେ ଦେଖା କରିବା ସମୟ ବିତି ଯାଇଥିଲେ ବି କେହି କିଛି କହୁ ନ ଥିଲେ ।

ତେବେ ଏହା ଅଭିଯୋଗକୁ କ୍ରିଷ୍ଣା ପାନଓ୍ଵାର ଖଣ୍ଡନ କରି କହିଥିଲେ, ଗୁରୁବାର ସନ୍ଧ୍ୟା ହନିପ୍ରୀତଙ୍କୁ ଭେଟିବାକୁ ଆସିଥିବା ପରିବାରବର୍ଗଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନ ଥିଲା । ତେଣୁ ତାଙ୍କ ଗାଡ଼ିକୁ ଜେଲ ଭିତରକୁ ଆସିବାର ଅନୁମତି ଦିଆଯାଇଥିଲା । କେବଳ ଏତିକି ନୁହେଁ, ହନିପ୍ରୀତଙ୍କ ଅନୁରୋଧ କ୍ରମେ ଜେଲ କ୍ୟାଣ୍ଟିନ୍ ମାଲିକ୍ ଘରୋଇ ଖାଦ୍ୟ ରାନ୍ଧି ହନିପ୍ରୀତଙ୍କୁ ଦେଉଛନ୍ତି । କାରଣ ଜେଲ ଖାଦ୍ୟ ହନିପ୍ରୀତଙ୍କୁ ଖାଇବାକୁ ଭଲ ଲାଗୁ ନାହିଁ ।

ଏତଦବ୍ୟତୀତ ଜେଲ ଭିତରେ ଥିବା ଅନ୍ୟ ପ୍ରଭାବଶାଳୀ କଏଦୀଙ୍କୁ ରହିବାକୁ ଭଲ କୋଠରି ଓ ଖାଇବାକୁ ରେସ୍ତୋରାଁ ଭଳି ଖାଦ୍ୟ ପ୍ରଦାନ କରାଯାଇଛି । ଏହି ଅଭିଯୋଗକୁ ବି ମନ୍ତ୍ରୀ କ୍ରିଷ୍ଣା ଖଣ୍ଡନ କରିଛନ୍ତି । ସେ କହିଛନ୍ତି ସମସ୍ତ କଏଦୀଙ୍କୁ ମାନୁଆଲ ଅନୁଯାୟୀ ଖାଦ୍ୟ ଖାଇବାକୁ ଦିଆଯାଉଛି । ଏହି ଅଭିଯୋଗରେ କୌଣସି ସତ୍ୟତା ନାହିଁ । ଅନ୍ୟପକ୍ଷରେ ଶୁଣିବାକୁ ମିଳୁଛି, ହନିପ୍ରୀତଙ୍କୁ ଏଭଳି ଭିଆଇପି ସୁବିଧା ଦିଆଯାଉଥିବା ପଛର କାରଣ ହେଉଛି ଭାଜପା ସରକାର । ଡେରା କାରଣରୁ ତିନିବର୍ଷ ପୂର୍ବେ ପ୍ରଥମଥର ପାଇଁ ସରକର ଗଠନ ହୋଇ ପାରିଥିଲା ।