ହାଇଦ୍ରାବାଦ ଓ ଉନ୍ନାଓ ଦୁଷ୍କର୍ମ ଘଟଣାରେ କେନ୍ଦ୍ର ସରକାରଙ୍କ ଉଦବେଗ ! ଦେଶର ସବୁ ଥାନାରେ ମହିଳା ଡେସ୍କ ଖୋଲିବାକୁ ନିର୍ଦ୍ଦେଶ, ନିର୍ଭୟା ଫଣ୍ଡରୁ ୧୦୦କୋଟି ଟଙ୍କା ମଂଜୁର କଲା ଗୃହ ମନ୍ତ୍ରାଳୟ

220

ହାଇଦ୍ରାବାଦ ଓ ଉନ୍ନାଓର ଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିବାଦ ଚାଲିଥିବା ବେଳେ ମହିଳାଙ୍କ ସୁରକ୍ଷା ନେଇ କେନ୍ଦ୍ର ସରକାର ବଡ ନିଷ୍ପତି ନେଇଛନ୍ତି । ଏଣିକି ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଥିବା ସବୁ ଥାନାରେ ରହିବ ମହିଳା ଡେସ୍କ । ଏଥିପାଇଁ ନିର୍ଭୟା ଫଣ୍ଡରୁ ୧୦୦ କୋଟି ଟଙ୍କା ମଂଜୁର କରିଛି ଗୃହ ମନ୍ତ୍ରାଳୟ ।

ଥାନାରେ ଥିବା ମହିଳା ଡେସ୍କ, ମହିଳାଙ୍କ ସୁରକ୍ଷା ଓ ସହାୟତା ନେଇ କେମିତି ଅଧିକ ଉପଯୋଗୀ ହୋଇପାରିବ ସେନେଇ ବ୍ୟବସ୍ଥା କରିବାକୁ କୁହାଯାଇଛି । ଏପରିକି ଏସବୁ ମହିଳା ସହାୟତା କେନ୍ଦ୍ରରେ ମହିଳା ପୋଲିସ ଅଧିକାରୀଙ୍କୁ ମୁତୟନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଏଥିସହ ସଂପୃକ୍ତ ମହିଳା ଡେସ୍କରେ ଅଭିଯୋଗକାରିଣୀଙ୍କ ସହାୟତା ପାଇଁ ଆଇନଜୀବୀ, ମନସ୍ତତ୍ୱବିତ୍ ଏବଂ ଏନଜିଓଙ୍କୁ ସଂପୃକ୍ତ କରିବାକୁ କୁହାଯାଇଛି । ଯେଉଁମାନେ ପୀଡିତାଙ୍କୁ ଆଇନଗତ ସହଯୋଗ ଯୋଗାଇବା ସହ ସେମାନଙ୍କ କାଉନସେଲିଂ ଏବଂ ରହିବା ବ୍ୟବସ୍ଥା କରିପାରିବେ । ମହିଳା ହେଲ୍ପ ଡେସ୍କ ଅଧିକାରୀଙ୍କୁ ମହିଳାଙ୍କ ପ୍ରତି ସମ୍ବେଦନଶୀଳ ହେବା ପାଇଁ ପ୍ରଶିକ୍ଷଣ ଦିଆଯିବ । ଆପଣଙ୍କୁ କହିରଖୁଛୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସେତେବେଳେ ନିଆଯାଇଛି ଯେତେବେଳେ ଦେଶର ବିଭିନ୍ନ ସ୍ଥାନରୁ ମହିଳାଙ୍କ ଉପରେ ଦୁଷ୍କର୍ମର ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଥିଲା ।