OLXରେ ବିକ୍ରି ହେଲା ହକି ବିଶ୍ୱକପ ଉଦଘାଟନୀ ଉତ୍ସବର ଟିକେଟ । କ୍ରୀଡାପ୍ରେମୀଙ୍କୁ ମନଇଚ୍ଛା ଲୁଟୁଛନ୍ତି କଳାବଜାରୀ

522

କନକ ବ୍ୟୁରୋ : OLXରେ ହକି ଟିକେଟ । ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ଓଏଲଏକ୍ସରେ ବ୍ରିକି ହେଉଛି ଟିକେଟ । ତାହା ବି ପୁଣି ଚଢା ଦରରେ । ଆଉ ଏହି ଟିକେଟର ଦର ଶୁଣିଲେ ଆପଣ ଆଶ୍ଚଯ୍ୟ ହେବେ । ଅନଲାଇନରେ ବିକ୍ରି ପାଇଁ ଛଡାଯାଇଥିବା ଦୁଇଟି ଟିକେଟର ଦର ୮୦୦୦ ରହିଛି । ଏପରିକି OLXରେ ବିକ୍ରି ପାଇଁ ବିଜ୍ଞାପନ ଦେବାର କିଛି ମିନିଟ ମଧ୍ୟରେ ଏହି ଟିକେଟ ବିକ୍ରି ହୋଇଯାଇଛି । ଟିକେଟର ଦର ୫୦୦ ଟଙ୍କା ଥିବା ବେଳେ ଏହାକୁ ୮୦୦୦ ଟଙ୍କାରେ ଖୁଲମଖୁଲା ବିକ୍ରି କରାଯାଇଛି ।

OLX ସାଇଟରେ ଆସିଥିବା ବିଜ୍ଞାପନ ଅନୁଯାୟୀ, ଭୁବନେଶ୍ୱରର ଶୈଳଶ୍ରୀ ବିହାରର ଜଣେ ଯୁବକ ଆସନ୍ତାକାଲି ହେବାକୁ ଥିବା ଉଦଘାଟନୀ ଉତ୍ସବର ଟିକେଟ ବିକ୍ରି ପାଇଁ ବିଜ୍ଞାପନ ଦେଇଥିଲେ । ଆଉ ବିଜ୍ଞାପନ ଦେବାର କିଛି ମିନିଟ ମଧ୍ୟରେ ହିଁ ଟିକେଟ ବିକ୍ରି ହୋଇଯାଇଥିଲା । ଗୋଟିଏ ପଟେ ଉଦଘାଟନୀ ଉତ୍ସବର ଟିକେଟ ନ ପାଇ କ୍ରୀଡାପ୍ରେମୀ ନିରାଶ ଥିବା ବେଳେ ଅନ୍ୟପଟେ ଅନଲାଇନ ସାଇଟରେ ଚଢା ଦରରେ ଟିକେଟ ବିକ୍ରି କରାଯାଉଛି । ସିଧାସଳଖ କହିବାକୁ ଗଲେ ହକି ବିଶ୍ୱକପ ଉଦଘାଟନୀ ଉତ୍ସବର ଟିକେଟ କଳାବଜାରୀ କରୁଛନ୍ତି କିଛି ଲାଭଖୋର ବ୍ୟକ୍ତି ।


ଏନେଇ ଟ୍ୱିଟରରେ ସୁଜାତା ପାଢୀ ନାମକ ଜଣେ ମହିଳା ଟିକେଟ ବିକ୍ରି ବିଜ୍ଞାପନର ଫଟୋ ଛାଡିବା ସହ ଲେଖିଛନ୍ତି, ୫୦୦ ଟଙ୍କାରେ ଟିକେଟ ମିଳୁନି । କିନ୍ତୁ OLXରୁ ହକି ପାସ୍ ୮୦୦୦ ଟଙ୍କାରେ କିଣିହେବ । ଆଉ ଏଭଳି ସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଉକ୍ତ ମହିଳା । ଆଉ ଏସବୁ ଭିତରେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ । ଆଉ ଦର୍ଶକ ଅପେକ୍ଷା କରି ରହିଛନ୍ତି ଆସନ୍ତାକାଲିକୁ ।