ମିଳିଲାନି ଉଦଘାଟନୀ ଉତ୍ସବ ଟିକେଟ, ସୋସିଆଲ ମିଡିଆରେ ମନଇଚ୍ଛା ବର୍ଷିଲେ ହକିପ୍ରେମୀ ।

236

କନକ ବ୍ୟୁରୋ : ଅନଲାଇନରେ ଟିକେଟ ଦେବାକୁ କହି ଭଣ୍ଡାଇ ଦେଲା ହକି ଇଣ୍ଡିଆ । ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ଆଜି ଅନଲାଇନରେ ଟିକେଟ ମିଳିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା । ମଧ୍ୟାହ୍ନ ୧୨ଟା ସମୟରେ ଟିକେଟ ବିକ୍ରି ହେବା ନେଇ ଘୋଷଣା କରାଯାଇଥିଲା । ଯାହାକୁ ଚାତକ ଭଳି ଚାହିଁ ରହିଥିଲେ ହକିପ୍ରେମୀ । କମ୍ପ୍ୟୁଟର ସାମ୍ନାରେ ଘଣ୍ଟା ଘଣ୍ଟା ଧରି ଟିକେଟ କରିବାକୁ ଜଗି ରହିଥିଲେ । ଆଉ ୧୨ଟା ବାଜିବା କ୍ଷଣି ଟିକେଟ କିଣିବା ପାଇଁ ଆରମ୍ଭ ହୋଇଥିଲା ପ୍ରତିଯୋଗିତା । କିନ୍ତୁ ଅନଲାଇନରେ ଟିକେଟ ବୁକିଂ ହେବାର କିଛି ସେକେଣ୍ଡ ମଧ୍ୟରେ ସାଇଟର ସର୍ଭର ଡାଉନ ହୋଇଯାଇଥିଲା । ଟିକେଟ ବୁକିଂ ତ ଦୂରର କଥା ପେଜ ମଧ୍ୟ ଖୋଲିନଥିଲା । ଯାହାକୁ ନେଇ ସୋସିଆଲ ମିଡିଆରେ ସୃଷ୍ଟି ହୋଇଛି ଝଡ ।

ଉଦଘାଟନୀ ଉତ୍ସବର ଟିକେଟ ବିକ୍ରିରେ ଏଭଳି ଅବ୍ୟବସ୍ଥା ହକି ପ୍ରେମୀଙ୍କୁ ନିରାଶ କରିଛି । ସୋସିଆଲ ମିଡିଆରେ ହକି ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ହକିପ୍ରେମୀ । ମନଇଚ୍ଛା ଗାଳି କରିବା ସହ ସାଧାରଣ ଲୋକଙ୍କୁ ଭଣ୍ଡାଇ ଦିଆଯାଇଥିବା କହିଛନ୍ତି ୟୁଜର୍ସ । ଏପରିକି ଟିକେଟ ଗୁଡିକ ଆଗରୁ ବିକ୍ରି ହୋଇଥିବା କହିଛନ୍ତି ହକିପ୍ରେମୀ । ସନ୍ତୋଷ କୁମାର ତ୍ରିପାଠୀ ନାମକ ଜଣକ ବ୍ୟକ୍ତି ଲେଖିଛନ୍ତି, ହାର୍ଟ ବିଟ୍ ଫର୍ ହକି ହାର୍ଟ ଷ୍ଟ୍ରୋକରେ ବଦଳିଗଲା  । ସେହିଭଳି ରାମକୃଷ୍ଣ ବାରିକ ନାମକ ଜଣକ ୟୁଜର୍ସ କଟାକ୍ଷ କରି କହିଛନ୍ତି, ବରଯାତ୍ରୀ ଡାକଥିଲେ ଘରଲୋକ ଖାଇଦେଲେ । ତେବେ ଏ ସର୍ମ୍ପକରେ ତାଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ, ହକିପ୍ରେମୀ ମାନଙ୍କ ପାଇଁ ଅନଲାଇନ ଟିକେଟ ବିକ୍ରି ହେବ ଘୋଷଣା ହୋଇଥିଲା । କିନ୍ତୁ ଟିକେଟ ବିକ୍ରି ହେବାର କିଛି ସେକେଣ୍ଡ ମଧ୍ୟରେ ସାଇଟରେ ଯେଉଁଭଳି ଭାବେ ତାଲା ପଡିଗଲା ତାହାକୁ ଲକ୍ଷ୍ୟ କରି ସେ ଏଭଳି କହିଛନ୍ତି ।

ରାଜା ରାକେଶ ମହାରଣା ନାମକ ଜଣେ ୟୁଜର୍ସ ମଧ୍ୟ ଟିକେଟ ନ ମିଳିବାରୁ ସୋସିଆଲ ମିଡିଆରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଉଦଘାଟନୀ ଉତ୍ସବ ପାଇଁ ଟିକେଟ ପାଇଁ ଅନଲାଇନରେ ଯେଉଁଭଳି ସମସ୍ୟା ଉପୁଜିଲା ସେଥିପାଇଁ ତାଙ୍କ ହୃଦ୍ ସ୍ପଦନ କିଛି ସମୟ ପାଇଁ ବନ୍ଦ ହୋଇଗଲା ବୋଲି ସେ କହିଛନ୍ତି । ଉଦଘାଟନୀ ଉତ୍ସବରେ ବଲିଉଡ ଷ୍ଟାର ଶାହାରୁଖ୍ ଖାନ୍ ଓ ଓସ୍କାର ବିଜେତା ଏ.ଆର ରେହମାନଙ୍କ ଭଳି ସୁପରଷ୍ଟାର ନିଜର ଜଲୱା ଦେଖାଇବେ । ଯାହାଙ୍କୁ ଦେଖିବା ପାଇଁ ହକିପ୍ରେମୀ ତଥା ରାଜ୍ୟବାସୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ରହିଥିଲା । କିନ୍ତୁ ଅନଲାଇନ ଟିକେଟ ବିକ୍ରି ପାଇଁ ଯେଉଁ ବ୍ୟବସ୍ଥା କରାଯାଇଥିଲା ସେଥିରେ ଅଧିକାଂଶ ଲୋକ ଟିକେଟ ନ ପାଇ ନିରାଶ ହୋଇଥିଲେ । ଏପରିକି କେତେ ଟିକେଟ ବିକ୍ରି ହୋଇଛି ସେ ନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଏହା ପୂର୍ବରୁ ଉଦଘାଟନୀ ଉତ୍ସବର ଟିକେଟ ଅଫଲାଇନରେ କିଣିବା ପାଇଁ ଗତ ୧୫ ତାରିଖରେ କଳିଙ୍ଗ ଷ୍ଟାଡିୟମ କାଉଣ୍ଟରରେ ରାତି ଅନିଦ୍ରା ହୋଇ ଛିଡା ହୋଇ ରହିଥିଲେ ହକିପ୍ରେମୀ । କିନ୍ତୁ  ସେତେବେେଳେ ଟିକେଟ ମିଳିବନି ବୋଲି କର୍ତ୍ତୃପକ୍ଷ କହିବା ପରେ କାଉଣ୍ଟର ନିକଟରେ ଭଙ୍ଗାରୁଜା କରିଥିଲେ ହକି ପ୍ରେମୀ । ଏପରିକି ଲୋକଙ୍କୁ ଘଉଡାଇବା ପାଇଁ ପୋଲିସ ହାଲକା ଲାଠିଚାର୍ଜ ମଧ୍ୟ କରିଥିଲା । ଯାହାକୁ ନେଇ ସେତେବେଳେ ମଧ୍ୟ ସୋସିଆଲ ମିଡିଆରେ ବର୍ଷିଥିଲେ ହକିପ୍ରେମୀ । ପରେ ଅନଲାଇନରେ ଟିକେଟ ବିକ୍ରି ହେବ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ଅନଲାଇନରେ ଟିକେଟ ବିକ୍ରି କରି ଭଣ୍ଡାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ହକିପ୍ରେମୀ ।