ସ୍ୱାଧୀନ ଭାରତର ଇତିହାସ : ଆସନ୍ତୁ ପୁଣି ଥରେ ମନେପକାଇବା ବ୍ରିଟିଶ ବିରୋଧୀ ଆନ୍ଦୋଳନର ପ୍ରମୁଖ ଘଟଣାବଳୀ

904

ଭାରତର ସ୍ଵାଧୀନତା ଦିବସ ହେଉଛି ଭାରତର ଏକ ଜାତୀୟ ଦିବସ । ୧୯୪୭ ମସିହାରେ ଭାରତ ଇଂରେଜ ଶାସନରୁ ମୁକ୍ତ ହୋଇ ସ୍ଵତନ୍ତ୍ର ଗଣରାଜ୍ୟରେ ପରିଣତ ହୋଇଥିଲା । ତେଣୁ ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ପନ୍ଦର ଅଗଷ୍ଟକୁ ଭାରତର ସ୍ୱାଧିନତା ଦିବସ ଭାବରେ ପାଳନ କରାଯାଇଥାଏ । ଏହା ଭାରତର ଏକ ପ୍ରଧାନ ଜାତୀୟ ଦିବସ । ଦେଶ ସାରା, ଏହି ଦିନ ପତାକା ଉତ୍ତୋଳନ କରଯାଇଥାଏ ଓ ଉତ୍ସବମାନ ଅୟୋଜନ କରାଯାଇଥାଏ । ରାଜଧାନୀ ଦିଲ୍ଲୀରେ ଏହି ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ନିମନ୍ତେ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ଦେଇଥାନ୍ତି ଯାହା ଦେଶସାରା ଟି.ଭି.ରେ ଦେଖାଯାଇଥାଏ । ଏହି ଅଭିଭାଷଣରେ ସେ ଦେଶର ପ୍ରଗତି, ଅସୁବିଧା ଓ ତାହାର ସମାଧାନ ଓ ଆଗକୁ ହେବାକୁ ଥିବା ଉନ୍ନତି ଆଦି ବିଷୟରେ ବଖାଣିଥାନ୍ତି । ଭାରତୀୟ ସ୍ଵାଧୀନତା ସଂଗ୍ରାମ ଓ ସଂଗ୍ରାମୀମାନଙ୍କ ଉପରେ ମଧ୍ୟ ସେ ଅଭିଭାଷଣ ରଖିଥାନ୍ତି ।

ଦୀର୍ଘ ୨୦୦ ବର୍ଷ ଧରି ବ୍ରିଟିଶ ଶାସନ ଚକ ତଳେ ପେଶି ହେଉଥିବା ଦେଶବାସୀ ଆଜି ଦିନରେ ସ୍ୱାଧୀନତାର ସ୍ୱାଦ ଚାଖିଥିଲେ । ୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ବର୍ଷର ଇତିହାସ ସବୁଦିନ ପାଇଁ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ୧୯୪୭ ଅଗଷ୍ଟ ୧୩-୧୪ ତାରିଖ ମଧ୍ୟ ରାତ୍ରରେ ଭାରତ ବିଦେଶୀ ଶୃଙ୍ଖଳରୁ ମୁକ୍ତ ହୋଇ ସ୍ୱାଧୀନତା ଲାଭ କରିଥିଲା । ସ୍ୱାଧୀନତା ପାଇଁ ଭାରତର ସଂଘର୍ଷର ଯାତ୍ରା ବେଶ ସୁଦୀର୍ଘ । ଆସନ୍ତୁ ଜାଣିବା ଭାରତର କିଛି ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ ବିଷୟରେ ।

ଭାରତ ସ୍ୱାଧୀନତା ସଂଗ୍ରାମ (୧୮୫୭-୧୯୪୭) : ଇଂରେଜ ମାନଙ୍କ ଦ୍ୱାରା ୧୬୦୦ ମସିହାରେ ଗଠିତ ହୋଇଥିଲା ଇଷ୍ଟ ଇଣ୍ଡିଆ କମ୍ପାନୀ । ପ୍ରାଚୀନ ଭୂଖଣ୍ଡରେ ବାଣିଜ୍ୟ କରିବା ଥିଲା ଏହି କମ୍ପାନୀ ଗଠନର ମୂଳ ଉଦ୍ଦେଶ୍ୟ । ଭାରତରେ ସେତବେଳେ ବ୍ରିଟିଶଙ୍କ ସହ ଫରାସୀ, ଡ଼ଚ୍ ଆଦି ଗୋଷ୍ଠୀ ବ୍ୟବସାୟ କରୁଥିଲେ । ତେବେ ୧୭୫୭ରେ ରବର୍ଟ କ୍ଲାଇବଙ୍କ ନେତୃତ୍ୱରେ ବ୍ରିଟିସମାନେ ପଲାସୀ ଯୁଦ୍ଧରେ ନବାବ ସିରାଜ- ଉଦୌଲାଙ୍କୁ ପରାସ୍ତ କରିବା ପରେ, କମ୍ପାନୀ ବିରୋଧରେ ଅସନ୍ତୋଷ ବଢ଼ିଥିଲା । ଧୀରେ ଧୀରେ କମ୍ପାନୀର ଶକ୍ତି ବୃଦ୍ଧି ପାଇଥିଲା । ସମଗ୍ର ବଙ୍ଗ ପ୍ରଦେଶକୁ କମ୍ପାନୀ ନିଜ ନିୟନ୍ତ୍ରଣକୁ ନେଇଯାଇଥିଲା । କିନ୍ତୁ ଭାରତୀୟ ଶାସକ ମାନେ ଏକତ୍ର ନହୋଇ ନିଜ ନିଜ ସ୍ୱାର୍ଥ ଲାଗି ବ୍ରିଟିଶ ପକ୍ଷରୁ ସାହାଯ୍ୟ ନେଇଥିଲେ । ବ୍ରିଟିଶ ମାନଙ୍କ ଶାସନ ଦ୍ୱାରା ଭାରତର ସାମଜିକ ଓ ଅର୍ଥନୈତିକ ଭିତ୍ତିଭୂମି କ୍ରମେ ଭୁଶୁଡ଼ି ପଡ଼ିବାରୁ କମ୍ପାନି ବିରୋଧରେ ସମ୍ମିଳିତ ହୋଇ ବିଦ୍ରୋହ ଆରମ୍ଭ ହୋଇଥିଲା । ପ୍ରଥମେ ୧୮୦୬ରେ ଭେଲୋର ବିଦ୍ରୋହ ପରେ ୧୮୧୬ର ବରେଲୀ ବିଦ୍ରୋହ , ଓଡ଼ିଶାରେ ୧୮୧୭ର ବକ୍ସି ଜଗବନ୍ଧୁଙ୍କ ବିଦ୍ରୋହ, ୧୮୨୪ରେ ବାରକପୁର ବିଦ୍ରୋହ, ୧୮୩୧ରେ ଛୋଟନାଗପୁର କୋଲ ବିଦ୍ରୋହ ଆଦିର ବିଶେଷ ପ୍ରଭାବ କମ୍ପାନୀ ଉପରେ ପଡ଼ିନଥିଲା । ୧୮୫୭ର ସିପାହୀ ବିଦ୍ରୋହ ପ୍ରଥମ ଥର ପାଇଁ କମ୍ପାନୀର ମଜଭୁତ ସ୍ଥିତିକୁ ଦୋହଲାଇ ଦେଇଥିଲା । ଏହାକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଏ ।

ସ୍ୱଦେଶୀ ଆନ୍ଦୋଳନ : ୧୯୦୫ରେ ଭାଇସରୟ ଲର୍ଡ଼ କର୍ଜନ ବଙ୍ଗ ପ୍ରଦେଶକୁ ଭାଙ୍ଗି ଦୁଇଟି ପ୍ରଦେଶରେ ପରିଣତ କରିଥିଲେ । ହିନ୍ଦୁ, ମୁସଲମାନ ବହୁଳ ଅଲଗା ଅଲଗା କରିବା ଥିଲା ମୁଖ୍ୟ ଉଦ୍ଦେଶ୍ୟ । ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଭେଦକୁ ଭାରତୀୟ ଜାତୀୟ କଂଗ୍ରେସ କର୍ତ୍ତୃପକ୍ଷ ଗ୍ରହଣ କରିପାରିନଥିଲେ । ବଙ୍ଗ ଭଙ୍ଗ ବରୋଧରେ ସମଗ୍ର ଦେଶରେ ଜନ ଆନ୍ଦୋଳନ ସୃଷ୍ଟି ହୋଇଥିଲା । ବନ୍ଦେ ମାତରମ୍ ଧ୍ୱନୀ ଦେଇ ବିଦେଶୀ ଦ୍ରବ୍ୟ ବର୍ଜନ ଓ ପୋଡ଼ିବା ପାଇଁ ଲୋକଙ୍କୁ ଉତ୍ସାହତି କରାଯାଇଥିଲା । ଏହାକୁ ସ୍ୱଦେଶୀ ଆନ୍ଦୋଳନ କୁହାଯାଏ ।

ଅସହଯୋଗ ଆନ୍ଦୋଳନ : ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଇଂରେଜ ବିରୋଧୀ ଅସହଯୋଗ ଆନ୍ଦୋଳନ । ୧୯୧୯ରେ ବ୍ରିଟିଶ ବିଚାରପତି ସାର୍ ସିଡ଼ନି ରୌଲେଟଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । ସଂଗ୍ରାମୀଙ୍କୁ ବିନା ବିଚାରରେ ଜେଲରେ ଦୁଇ ବର୍ଷ ଅଟକ ରଖିବା ପାଇଁ ଏହି କମିଟି ସୁପାରିସ କରିଥିଲା । ଏହି କଳଙ୍କିତ ଆଇନ- ‘ରୌଲେଟ୍ ଆଇନ’ରେ ଭାଇସରଏଙ୍କୁ ଅଖଣ୍ଡ କ୍ଷମତା ଦିଆଯାଇଥିଲା । ସ୍ୱାଭାବିକ ଭାବେ କଂଗ୍ରେସ୍ ଏହାର ବିରୋଧ କରିଥିଲା । ରୌଲେଟ୍ ବିରୋଧୀ ସମସ୍ତ ଆନ୍ଦୋଳନକୁ କଠୋର ହସ୍ତରେ ଦମନ କରିବା ଲାଗି ବ୍ରିଟିଶ ସରକାର ନିଷ୍ପତ୍ତି ନେଇଥିଲେ । ୧୯୧୯ ଏପ୍ରିଲ୍ ୧୩ରେ ବୈଶାଖୀ ପାଳନ ପାଇଁ ଅମୃତସରର ଜାଲିୟାନାୱାଲାବାଗ ମଇଦାନରେ ଶତାଧିକ ନରନାରୀ ଏକତ୍ର ହୋଇଥିଲେ । ରକ୍ତପିପାସୁ ଜେନେରାଲ ଡାୟାରଙ୍କ ନିର୍ଦ୍ଦେଶରେ ନିରୀହ ଜନତା ଉପରକୁ ଗୁଳି ଚଳାଯାଇଥିଲା । ସରକାରୀ ନଥିପତ୍ର ଅନୁଯାୟୀ ୩୭୯ ଜଣଙ୍କର ପ୍ରାଣ ଯାଇଥିଲା । ପ୍ରକୃତ ମୃତ୍ୟୁସଂଖ୍ୟା ବହୁତ ଅଧିକ ଥିଲା । ଏହି ହତ୍ୟାକାଣ୍ଡ ବିରୋଧରେ ଗାନ୍ଧୀ ୧୯୨୦ରେ ଅସହଯୋଗ ଆନ୍ଦୋଳନର ଡାକରା ଦେଇଥିଲେ । କୌଣସି କାର୍ଯ୍ୟରେ ସରକାରଙ୍କ ସହଯୋଗ ନକରିବାକୁ ଗାନ୍ଧୀ ଆହ୍ଵାନ ଦେଇଥିଲେ । ତେଣୁ, ଏହାକୁ ‘ଅସହଯୋଗ ଆନ୍ଦୋଳନ’ କୁହାଯାଏ ।

ଲବଣ ସତ୍ୟାଗ୍ରହ : ବ୍ରିଟିଶ ସରକାର ଲୁଣ ଉପରେ ଟିକସ ବସାଇବାରୁ ଆଇନ ଅମାନ୍ୟ କରି ଲୁଣ ମାରିବାକୁ ମହାତ୍ମା ଆହ୍ଵାନ ଦେଇଥିଲେ । ଏହାକୁ ଆଇନ ଅମାନ୍ୟ ଆନ୍ଦୋଳନ ବା ଲବଣ ସତ୍ୟାଗ୍ରହ କୁହାଗଲା । ଲୁଣ-ମରା ଆଇନକୁ ବିରୋଧ କରି ୧୨ ମାର୍ଚ୍ଚ ୧୯୩୦ରେ ସେ ସାବରମତୀ ଆଶ୍ରମରୁ ପ୍ରସିଦ୍ଧ ଦାଣ୍ଡୀ ଯାତ୍ରା ଆରମ୍ଭ କରିଥିଲେ । ଚବିଶ ଦିନ ଧରି ୨୪୦ ମାଇଲ୍ ଚାଲିବା ପରେ ଏପ୍ରିଲ୍ ୬ ତାରିଖରେ ଅନ୍ୟ ସତ୍ୟାଗ୍ରହୀଙ୍କ ସହ ସେ ଦାଣ୍ଡୀରେ ପହଞ୍ଚି ଲୁଣ ମାରିଥିଲେ । ସମଗ୍ର ଭାରତରେ ତାଙ୍କୁ ଅନୁସରଣ କରି ଲୁଣ ମରାଯାଇଥିଲା । ଏହା ଲବଣ ସତ୍ୟାଗ୍ରହ ଭାବେ ଜଣାଶୁଣା । ଏହାର ପରିଣାମ ସ୍ୱରୂପ ଗାନ୍ଧୀଙ୍କ ସମତେ ବହୁ କଂଗ୍ରେସ୍ ନେତାଙ୍କୁ ଗିରଫ କରାଯାଇଥିଲା । ଏହି ସତ୍ୟାଗ୍ରହ ସମାଜର ସବୁ ବର୍ଗର ଲୋକଙ୍କୁ ଏକତ୍ର କରିପାରିଥିଲା । ଅସହଯୋଗ ଆନ୍ଦୋଳନ ପରି ଏହି ସତ୍ୟାଗ୍ରହ ମଧ୍ୟ ବ୍ରିଟିଶ ସରକାର ଉପରେ ଚାପ ପକାଇପାରିଥିଲା । ଏହି ଆନ୍ଦୋଳନ ଏତେ ବ୍ୟାପକ ହୋଇଥିଲା ଯେ, ବ୍ରିଟିଶ ସରକାର ବୁଝାମଣା କରିବାକୁ ବାଧ୍ୟ ହୋଇଥିଲେ ।

ଭାରତ ଛାଡ଼ ଆନ୍ଦୋଳନ : ଗାନ୍ଧୀଙ୍କର ତୃତୀୟ ତଥା ଶେଷ ପର୍ଯ୍ୟାୟ ଆନ୍ଦୋଳନ ଥିଲା ଭାରତ ଛାଡ଼ ଆନ୍ଦୋଳନ । ୧୯୪୨, ୯ ଅଗଷ୍ଟରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବାରୁ ଏହାକୁ ଅଗଷ୍ଟ ବିପ୍ଲବ ମଧ୍ୟ କୁହାଯାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯୋଗ ଦେବା ଲାଗି ବ୍ରିଟିଶ ସରକାର ଭାରତୀୟଙ୍କ ସହଯୋଗ ଲୋଡ଼ିଥିଲେ । ସହଯୋଗ ବଦଳରେ ପୂର୍ଣ୍ଣ ସ୍ୱାଧୀନତା ଦାବି କରିଥିଲେ ମହାତ୍ମା ଗାନ୍ଧୀ । କାର୍ଯ୍ୟ ହାସଲ ହୋଇଯିବା ପରେ ବ୍ରିଟିଶ ସରକାର ପ୍ରତିଶ୍ରୁତି ରଖିନଥିଲେ । ଏଥିପାଇଁ ଭାରତୀୟଙ୍କ ମନରେ ସୃଷ୍ଟି ହୋଇଥିଲା ତୀବ୍ର ଅସନ୍ତୋଷ । ୧୯୪୨ରେ ସାର୍ ଷ୍ଟାଫୋର୍ଡ଼ କ୍ରିପସଙ୍କୁ କଂଗ୍ରେସ ନେତୃବୃନ୍ଦଙ୍କ ସହ ଆଲୋଚନା ପାଇଁ ପଠାଯାଇଥିଲା । ସ୍ୱାଧୀନତା ପ୍ରତିଶ୍ରୁତି ପୁରଣ କରିବା ପରିବର୍ତ୍ତେ, କିଛି ସ୍ୱତନ୍ତ୍ର ଅଧିକାର ମିଳିବା ପ୍ରସ୍ତାବ ନେଇ ଭାରତ ଆସିଥିଲେ କ୍ରିପସ୍ । ଜାତୀୟ କଂଗ୍ରେସ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ୧୯୪୨ ଅଗଷ୍ଟ ୮ରେ ମୁମ୍ବାଇର ଗ୍ୱାଲିଅର ଟ୍ୟାଙ୍କ ମଇଦାନରେ ଗାନ୍ଧୀ ବ୍ରିଟିଶ ସରକାରଙ୍କ ହୀନ କାର୍ଯ୍ୟକଳାପ ବିରୋଧରେ ଉଦବୋଧନ ଦେଇଥିଲେ । ତାଙ୍କର ଆହ୍ୱାନର ନାମ ଥିଲା କର ବା ମର ।

ପୂର୍ଣ୍ଣ ସ୍ୱରାଜ ଆନ୍ଦୋଳନ : ୨୯ ଡ଼ିସେମ୍ବର ୧୯୨୯ରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପୂର୍ଣ୍ଣ ସ୍ୱରାଜ ପାଇଁ ଆହ୍ୱାନ ଦିଆଯାଇଥିଲା ।୧୯୨୯ରେ ଗୋଲ ଟେବୁଲ ବୈଠକ ବିଫଳ ହେବା ପରେ କଂଗ୍ରେସ ପକ୍ଷରୁ ଏହି ନିଷ୍ପତି ନିଆଯାଇଥିଲା । ଏହା ଥିଲା ଭାରତର ସ୍ୱାଧୀନତା ପାଇଁ ପ୍ରଥମ ଘୋଷଣା । ସେହି ବର୍ଷ ୨୧ ଡିସେମ୍ବରରେ କଂଗ୍ରେସର ତତକାଳୀନ ସଭାପତି ଜବାହାରଲାଲ ନେହରୁ ଲାହୋରର ରାଧ୍ୱୀ ନଦୀ କୂଳରେ ପତାକା ଉତ୍ତୋଳନ କରିଥିଲେ ।

ଚମ୍ପାରଣ- ଖେଡ଼ା ଆନ୍ଦୋଳନ : ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତରେ ହୋଇଥିବା ପ୍ରଥମ ଆନ୍ଦୋଳନ ହେଉଛି ଚମ୍ପାରଣ ସତ୍ୟାଗ୍ରହ । ଏହା ପରାଧୀନ ଭାରତର ପ୍ରଥମ ଆଇନ ଅମାନ୍ୟ ଆନ୍ଦୋଳନ । ବ୍ରିଟିଶ ଶାସନ ସମୟରେ ଚମ୍ପାରଣ ଗରିବ କୃଷକଙ୍କୁ ବଳପ୍ରୟୋଗ ଦ୍ୱାରା ନୀଳ ଚାଷ ପାଇଁ ବାଧ୍ୟ କରାଯାଉଥିଲା । ଏହାଦ୍ୱାରା ଚାଷୀଙ୍କୁ କୌଣସି ଲାଭ ହେଉନଥିଲା । ତେଣୁ, ୧୮୫୦ରେ ସେମାନେ ଏହାକୁ ବିରୋଧ କରିଆସୁଥିଲେ । ଚାଷୀଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଶୁଣି ଗାନ୍ଧୀ ୧୯୧୭ ଏପ୍ରିଲରେ ସେଠାରେ ପହଞ୍ଚିଥିଲେ । ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ତାଙ୍କ ସହ ଥିଲେ ରାଜେନ୍ଦ୍ର ପ୍ରସାଦ, ଆଚାର୍ଯ୍ୟ କୃପଲାନୀ ପ୍ରମୁଖ । ସେହି ପରି, ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ଦ୍ୱିତୀୟ ସଫଳ ଆନ୍ଦୋଳନ ହେଉଛି କେଡ଼ା ସତ୍ୟାଗ୍ରହ । ଏହା ଗୁଜରାଟର ଖେଡ଼ାରେ ହୋଇଥିଲା । ଏହା କୃଷକଙ୍କ ଠାରୁ ଅନ୍ୟାୟରେ ଆଦାୟ କରାଯାଉଥିବା କର ବିରୋଧରେ ହୋଇଥିଲା ।