ମୋଦିଙ୍କ ନୂଆ କାଶ୍ମୀର, ମନେ ପକାଇଦେଲା ଭାରତ ସହ କାଶ୍ମୀର ମିଶ୍ରଣର ଇତିହାସ । ଜାଣନ୍ତୁ ପାକିସ୍ତାନ ଆକ୍ରମଣ ପରେ କିଭଳି ଭାରତରେ ମିଶିଲା ଭାରତର ଭୂସ୍ୱର୍ଗ ।

559

କନକ ବ୍ୟୁରୋ : ପୃଥିବୀର ସ୍ୱର୍ଗ କୁହାଯାଉଥିବା କାଶ୍ମୀର, ଅକ୍ଟୋବର ୨୬, ୧୯୪୭ରେ ଭାରତର ଅଂଶ ବନିଥିଲା । ଏହି ଘଟଣାକୁ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଓ ଐତିହାସିକ ଘଟଣା ଭାବେ ଗଣାଯାଏ । ଦେଖନ୍ତୁ କେମିତି ତିଆରି ହୋଇଥିଲା ଜମ୍ମୁ କାଶ୍ମୀର ।

ଅଗଷ୍ଟ ୧୫, ୧୯୪୭ । ସ୍ୱାଧୀନ ହେଲା ଭାରତ, ପାକିସ୍ତାନ ସହ ୫୮୪ ଗଡ଼ଜାତ ରାଜ୍ୟ । ବ୍ରିଟିଶ ରାଜରୁ ମୁକ୍ତ ହେଲା ଜାମ୍ମୁ ଓ କାଶ୍ମୀର । ଆଉ ଏହି ଦିନରୁ ଜାମ୍ମୁ ଓ କାଶ୍ମୀରକୁ ନେଇ ଆରମ୍ଭ ହେଲା ବିବାଦ । ବ୍ରିଟିଶ-ଇଣ୍ଡିଆ ସରକାର କହିଥିଲେ, ଭାରତ କିମ୍ବା ପାକିସ୍ତାନରେ ସାମିଲ ହୋଇପାରିବ ଜାମ୍ମୁ ଓ କାଶ୍ମୀର । କିମ୍ବା ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ରହିପାରିବ ଏହି ଅଂଚଳ ।

୧୯୨୫ ମସିହାରୁ ଜାମ୍ମୁ ଓ କାଶ୍ମୀରର ରାଜ ସିଂହାସନରେ ବସି ଇଂରେଜ ସରକାରଙ୍କ କରଦ ରାଜ୍ୟ ଭାବେ ଶାସନ ତୁଲାଉଥିଲେ ମହାରାଜା ହରି ସିଂହ । ସ୍ୱାଧୀନତା ପାଇବା ପରେ ଭାରତରେ କାଶ୍ମୀର ମିଶ୍ରଣ ନେଇ ରାଜି ହୋଇ ନଥିଲେ ମହାରାଜା । ଜମ୍ମୁକାଶ୍ମୀର ସ୍ୱତନ୍ତ୍ର ଦେଶ ଭାବେ ରହୁ ବୋଲି ଚାହୁଁଥିଲେ ହରି ସିଂ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କାଶ୍ମୀରକୁ ଦେଶ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ବିପୁଳ ରାଜସ୍ୱ ମିଳୁଥିଲା, ଏହାକୁ ଆଧାର କରି ସ୍ୱାଧୀନ ରାଷ୍ଟ୍ର ବନାଇବାକୁ ଚାହୁଁଥିଲେ ହରି ସିଂହ ।

ସେପଟେ ପାକିସ୍ତାନ କିନ୍ତୁ କାଶ୍ମୀରକୁ ନିଜ ଭୂଖଣ୍ଡରେ ମିଶାଇବା ଲାଗି ଚଳାଇଥିଲା ଷଡଯନ୍ତ୍ର । ମହାରାଜା ହରି ସିଂହଙ୍କ ସୈନ୍ୟଶକ୍ତି ଦୁର୍ବଳ ଥିବାରୁ ଆକ୍ରମଣ କରି କାଶ୍ମୀରକୁ ଛଡ଼ାଇନେବାକୁ ଚାହୁଁଥିଲା ପାକିସ୍ତାନ । ଆଉ ଏଥିପାଇଁ ବ୍ଲୁ-ପ୍ରିଂଟ୍ ପ୍ରସ୍ତୁତ କରିଥିଲେ ମହମ୍ମଦ ଅଲ୍ଲୀ ଜିନ୍ନା ।

ମୁସଲିମ୍ ବହୁଳ ଅଂଚଳ ହୋଇଥିବାରୁ ପ୍ରଥମରୁ ଜିନ୍ନାଙ୍କ ନଜରରେ ରହିଥିଲା କାଶ୍ମୀର । ସେପଟେ ପାକିସ୍ତାନ ସହ ମିଶ୍ରଣକୁ ତୀବ୍ର ବିରୋଧ କରୁଥିଲା ଶେଖ ଅବଦୁଲ୍ଲାଙ୍କ ନେତୃତ୍ୱରେ କାଶ୍ମୀରର ସବୁଠୁ ଲୋକପ୍ରିୟ ରାଜନୈତିକ ଦଳ ନାସନାଲ କନଫରେନ୍ସ ।

ଅକ୍ଟୋବର ୨୨ ତାରିଖ, ୧୯୪୭ । କାଶ୍ମୀର ଉପରେ ପାକ୍ ଆକ୍ରମଣ । ପାକିସ୍ତାନ ସେନାର ତତ୍ୱାବଧାନରେ ପଶ୍ଚିମ କାଶ୍ମୀରର କିଛି ବିଦ୍ରୋହୀ ସଂଗଠନ, ପାକିସ୍ତାନର ପସ୍ତୁତ ଆଦିବାସୀଙ୍କ ଗରିଲା ବାହିନୀ ଆକ୍ରମଣ କଲା କାଶ୍ମୀରକୁ । ପାକିସ୍ତାନ ସେନାର ବଛା ବଛା ଅଧିକାରୀ, ଛଦ୍ମ ବେଶରେ ଏହି ଯୁଦ୍ଧର ନେତ୍ୱତ୍ୱ ନେଇଥିଲେ । ଏପରି ଏକ ସଂକଟଜନକ ସ୍ଥିତିରେ ଅସହାୟ ଅବସ୍ଥାରେ ପଡିଗଲେ ମହାରାଜା ହରିସିଂହ ।

ପାକିସ୍ତାନର ଅତକ୍ରିତ ଆକ୍ରମଣର ମୁକାବିଲା ପାଇଁ ମହାରାଜା ହରି ସିଂହଙ୍କ ପାଖରେ କୌଣସି ବାଟ ନଥିଲା । ଅନ୍ୟ ଉପାୟ ନଥିବାରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଶରଣ ପଶିଥିଲେ ହରି ସିଂହ । ଭାରତ-କାଶ୍ମୀର ମିଶ୍ରଣ ଚୁକ୍ତି ହେବା ପରେ ପାକ୍ ଆକ୍ରମଣକାରୀଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା ଭାରତ ।

ଅକ୍ଟୋବର ୨୫ରେ ପରିସ୍ଥିତିର ଅନୁଧ୍ୟାନ ପାଇଁ ସୌରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କ ଘନିଷ୍ଠ ସହଯୋଗୀ ଭିପି ମେନନ ପହଁଚିଲେ ଶ୍ରୀନଗର । ଆକ୍ରମଣକାରୀଙ୍କ କବଳରୁ ସୁରକ୍ଷିତ ରଖିବା ପାଇଁ ଅକ୍ଟୋବର ୨୬ରେ ମହାରାଜା ହରି ସିଂହଙ୍କୁ ଶ୍ରୀନଗରରୁ ଜମ୍ମୁକୁ ସ୍ଥାନାନ୍ତର କରାଗଲା ।

ଅକ୍ଟୋବର ୨୬, ୧୯୪୭ । ଭାରତ ସହ ମିଶିଲା ଜାମ୍ମୁକାଶ୍ମୀର । ଏହି ଦିନ ଥିଲା ଭାରତ ପାଇଁ ଏକ ଐତିହାସିକ ଦିନ । ଭାରତର ଅଂଶ ପାଲଟିଲା ଜାମ୍ମୁକାଶ୍ମୀର । ମହାରାଜା ହରି ସିଂହ ଓ ଭାରତ ସରକାରଙ୍କ ପକ୍ଷରୁ ଗଭର୍ନର ଜେନେରାଲ ଲର୍ଡ ମାଉଂଟବେଟେନ ମଧ୍ୟରେ ହେଲା ସ୍ୱାକ୍ଷରିତ ହେଲା ମିଶ୍ରଣ ଚୁକ୍ତି ।

ଅକ୍ଟୋବର ୨୭ ତାରିଖରେ ପ୍ରଥମ ଶିଖ ବାଟାଲିୟନ୍ ଶ୍ରୀନଗରରେ ପହଁଚି ଅନୁପ୍ରବେଶକାରୀଙ୍କ କବଜାରୁ ଶ୍ରୀନଗରକୁ ମୁକ୍ତ କରିଥିଲେ । ସେପଟେ କାଶ୍ମୀରରେ ଭାରତୀୟ ସେନାର ଉପସ୍ଥିତି ଜାଣିବା ପରେ କାଶ୍ମୀରକୁ ସୈନ୍ୟ ପଠାଇଥିଲା ପାକିସ୍ତାନ । ସେତେବେଳକୁ ଆକ୍ରମଣକାରୀଙ୍କ କବଜାରେ ଥିବା ଅନେକ ଅଂଚଳକୁ ମୁକ୍ତ କରିସାରିଥିଲେ ଭାରତୀୟ ସେନା ।

ତେବେ ଗିଲଗିଟ ବଲଟିସ୍ଥାନକୁ ନିଜ ଅଧିନକୁ ନେଇଥିଲା ପାକିସ୍ତାନ । ଗୋଟିଏ ବର୍ଷ ଚାଲିଥିଲା ଏହି ଲଢ଼େଇ । ମିଳିତ ଜାତିସଂଘର ହସ୍ତକ୍ଷେପ ପରେ ଜାନୁଆରୀ ୫, ୧୯୪୯ ମସିହାରେ ଦୁଇ ଦେଶ ମଧ୍ୟରେ ଏହି ଲଢେଇରେ ପୂର୍ଣ୍ଣଛେଦ ପଡିଥିଲା ।