କନକ ବ୍ୟୁରୋ: ୧୦ ଦିନ ପରେ ବି କୋରାପୁଟ ରାଣିଗଡ ଗୁମ୍ମା ପାହାଡରେ ପୋତି ହୋଇରହିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇପାରିନାହିଁ । ୬ ଟି ବ୍ଲାଷ୍ଟିଂ ପରେ ପଥର ତଳେ ଚାପି ହୋଇଥିବା ଜେସିବି ମେସିନକୁ ଠାବ କରିଛି ସେନା । ଆହୁରି ୨ଟି ବ୍ଲାଷ୍ଟ ପରେ ଜେସିବି ମେସିନ ଓ ଅପରେଟରଙ୍କୁ ଉଦ୍ଧାର କରାଯାଇପାରିବ । ପଥର ହଟିଗଲା ପରେ ଘନଶ୍ୟାମ ଓ ସଞ୍ଜୟ କିଭଳି ଅବସ୍ଥାରେ ଅଛନ୍ତି ତାହା ଜଣାପଡିବ । ସେନା ପକ୍ଷରୁ ଏନେଇ ଜୋରସୋର କାମ ଚାଲିଛି । ଆଜି ସଂନ୍ଧ୍ୟା ୨ ଅପରେଟରଙ୍କୁ ଉଦ୍ଧାର କରାଯାଇପାରେ ବୋଲି ସମ୍ଭାବନା ରହିଛି । ପଥର ତଳେ ଏବେ ବି ଚାପି ହୋଇ ରହିଛନ୍ତି ଦେବଗଡର ଘନଶ୍ୟାମ ଗୁରୁ ଓ ଆଠଗଡର ସଞ୍ଜୟ ଦାସ୍ ।

Advertisment

ଉଲ୍ଲେଖ ଥାଉ କି, କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବୋରିପୁଟରେ ଧସିଥିବା ଗୁମ୍ମା ପାହାଡ ପ୍ରଶାସନକୁ ନାକେଦମ କରି ସାରିଲାଣି। କଠିନ ଗ୍ରାନାଇଟ ଭଳି ପଥର ହୋଇଥିବାରୁ ବିସ୍ଫୋରଣର ପ୍ରଭାବ ପଡ଼ୁଥିବା ନେଇ କୁହାଯାଉଛି। ଗତ ୨୪ଘଣ୍ଟା ମଧ୍ୟରେ ୨ରୁ ୩ଟି ବଡ ବଡ ପଥରକୁ ବିସ୍ଫୋରଣରେ ଖଣ୍ଡଖଣ୍ଡ କରିପାରିଛି ଭାରତୀୟ ସେନା। ତେଣୁ ଚାପି ହୋଇ ରହିଥିବା ଦୁଇ ଜେସିବି ଅପରେଟରଙ୍କ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେବାରେ ଲାଗିଛି।

ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ୍ର ପ୍ରାଥମିକ ଉଦ୍ଧାର କାର୍ଯ୍ୟରେ ବିଶେଷ ସଫଳତା ନମିଳିବାରୁ ଏନଡିଆରଏଫର ସହାୟତା ନେଇଥିଲା ପ୍ରଶାସନ। ତେଣୁ ଘଟଣାର ୩ ଦିନ ପରେ ମୁଣ୍ଡୁଳିରୁ ୪୦ଜଣିଆ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। କିନ୍ତୁ ଯେଉଁ ଭଳି ପଥର ଧସିଛି ଏନଡିଆରଏଫକୁ ବି ସଫଳତା ମିଳିନଥିଲା। ବାଧ୍ୟ ହୋଇ ଘଟଣାର ୭ମ ଦିନରେ ସେନାର ସହାୟତା ଲୋଡିଥିଲେ ରାଜ୍ୟ ସରକାର। ରାଞ୍ଚି ଓ ଦିଲ୍ଲୀରୁ ୯ ଜଣିଆ ଟିମ୍ ସହ କୋରାପୁଟର ୨ଜଣ ସେନାଧିକାରୀ ବିଏସଏଫ ହେଲିପ୍ୟାଡରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।