ଏଣିକି ମଦ କିଣିବେ ତ, ଅଧିକ ଟଙ୍କା ଦେବାକୁ ପଡ଼ିବ: ମଦ ଦୋକାନ ଲାଇସେନ୍ସ ଫି’ରେ ୧୦% ବୃଦ୍ଧି; କାମଚଳା ଅବକାରୀ ନୀତି ଘୋଷଣା କଲେ ସରକାର

ସର୍ବନିମ୍ନ କୋଟା ଉଠାଣ ଅପରିବର୍ତ୍ତିତ

6,040

କନକ ବ୍ୟୁରୋ: ଏଣିକି ମଦ କିଣିବେ ତ, ଅଧିକ ଟଙ୍କା ଦେବାକୁ ପଡ଼ିବ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ନୂତନ ଅବକାରୀ ନୀତିରେ ଠିପି ବନ୍ଦ ବିଦେଶୀ, ଦେଶୀ ଓ ମହୁଲ ମଦ ଦୋକାନ ଲାଇସେନ୍ସ୍ ନବୀକରଣ ଫି ବୃଦ୍ଧି କରାଯାଇଛି। ସରକାରଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ, ଠିପି ବନ୍ଦ ବିଦେଶୀ ଓ ଦେଶୀ ମଦ ଦୋକାନ ଲାଇସେନ୍ସ୍ ନବୀକରଣ ଫି ବାବଦରେ ଅତିରିକ୍ତ ୧୦% ଏବଂ ମହୁଲ ମଦ ଦୋକାନ ଲାଇସେନ୍ସ୍ ଫିରେ ୧୫% ବୃଦ୍ଧି କରାଯାଇଛି। ବିଦେଶୀ ମଦ ଉପରେ ଏମଜିକ୍ୟୁ ବା ସର୍ବନିମ୍ନ କୋଟା ଉଠାଣକୁ ବୃଦ୍ଧି କରାଯାଇ ନଥିବାବେଳେ ଦେଶୀ ମଦର ଏମଜିକ୍ୟୁକୁ ହ୍ରାସ କରାଯାଇଛି।

ପ୍ରତିବର୍ଷ ମାର୍ଚ୍ଚ ମାସରେ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଅବକାରୀ ନୀତି ଘୋଷଣା କରିଥାନ୍ତି। ଚଳିତ ଥର କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏକ ୩ ମାସିଆ କାମଚଳା ଅବକାରୀ ନୀତି ଆଣିଛନ୍ତି। ଗତବର୍ଷ ମାର୍ଚ୍ଚ ୭ ତାରିଖ ଓ ଜୁଲାଇ ୨୬ ତାରିଖରେ ଅବକାରୀ ବିଭାଗ ପ୍ରକାଶ କରିଥିବା ନୀତିରେ ଲାଇସେନ୍ସ୍ ଫି’ ବାବଦରେ ସାମାନ୍ୟ ପରିବର୍ତ୍ତନ କରାଯାଇ ଏହି କାମଚଳା ଅବକାରୀ ନୀତି ପ୍ରସ୍ତୁତ କରାଯାଇଥିବା ବିଭାଗ ପ୍ରକାଶ କରିଛି। ନୂତନ ଅବକାରୀ ନୀତି ଅନୁଯାୟୀ, ୨୦୨୦ ଏପ୍ରିଲ୍ ପହିଲାରୁ ଜୁନ୍ ୩୦ ପର୍ଯ୍ୟନ୍ତ (ପ୍ରଥମ ତ୍ରୟମାସିକ) ଠିପି ବନ୍ଦ ବିଦେଶୀ ମଦ ଦୋକାନ ଲାଇସେନ୍ସ୍ ନବୀକରଣ ବାବଦରେ ଅଧିକ ୧୦% ଅର୍ଥ ଦେବାକୁ ପଡ଼ିବ। ଏହି ସମୟ ପାଇଁ ଗତ ଆର୍ଥିକ ବର୍ଷ ଅବକାରୀ ନୀତିର ପ୍ରଥମ ତ୍ରୟମାସିକ ପାଇଁ ଏମଜିକ୍ୟୁ ପରିମାଣ ଯେତିକି ଉଦ୍ଦିଷ୍ଟ ଥିଲା ସେତିକି ଦୋକାନୀଙ୍କୁ ଉଠାଇବାକୁ ପଡ଼ିବ। ଏହି ସମୟ ଭିତରେ ଚଳିତ ଆର୍ଥିକ ବର୍ଷ ପାଇଁ ଉଦ୍ଦିଷ୍ଟ ଏମଜିକ୍ୟୁ ଉଠାଣରେ କମ୍ କରିଥିବା ମଦଦୋକାନୀଙ୍କୁ କୋଟା ପୂରଣ କରିବା ପାଇଁ ସୁଯୋଗ ଦିଆଯିବ।

ଦେଶୀ ମଦ ଦୋକାନ ଓ ଇଏନଏ (ଏକ୍ସ୍‌ଟ୍ରା ନିଉଟ୍ରାଲ୍ ଆଲକହଲ୍) ଆଧାରିତ ମଦ ଦୋକାନ ଲାଇସେନ୍ସ୍ ନବୀକରଣ ବାବଦରେ ମଧ୍ୟ ଅଧିକ ୧୦% ଲାଇସେନ୍ସ୍ ଫି ଦେବାକୁ ପଡ଼ିବ। ଏହି ମଦ ଦୋକାନ ଲାଇସେନ୍ସ୍ଗୁଡ଼ିକୁ ମଧ୍ୟ ଆସନ୍ତା ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ମାତ୍ର ୩ ମାସ ପାଇଁ ନବୀକରଣ କରାଯିବ। କିନ୍ତୁ ଗତବର୍ଷ ପ୍ରଥମ ତ୍ରୟମାସିକ ପାଇଁ ଧାର୍ଯ୍ୟ କରାଯାଇଥିବା ଏମଜିକ୍ୟୁ କୋଟାରେ ୧୫% ହ୍ରାସ କରାଯାଇଛି। ଏହାସହିତ ଆସନ୍ତା ତିନିମାସ ମଧ୍ୟରେ ଦେଶୀ ମଦ ଲାଇସେନ୍ସଧାରୀଙ୍କୁ ଏହି ଏମଜିକ୍ୟୁ କୋଟା ପୂରଣ କରିବାକୁ ସୁଯୋଗ ଦିଆଯାଇଛି। ବିଶେଷକରି ଆଦିବାସୀ ବହୁଳ ଜିଲ୍ଲା ତଥା ୨୧ଟି ଅବକାରୀ ଜିଲ୍ଲା ପାଇଁ ଉଦ୍ଦିଷ୍ଟ ମହୁଲ ମଦ ଦୋକାନ (ଓଏସ୍) ଲାଇସେନ୍ସ୍ ନବୀକରଣ ଉପରେ ସରକାର ୧୫% ବୃଦ୍ଧି କରିଛନ୍ତି। କିନ୍ତୁ ଏହି ମଦଦୋକାନଗୁଡ଼ିକର ଲାଇସେନ୍ସ୍ ନବୀକରଣ ଅବଧି ଆସନ୍ତା ୧ ବର୍ଷ ପାଇଁ ବଳବତ୍ତର ରହିବ। ଅର୍ଥାତ୍ ୨୦୨୦ ଏପ୍ରିଲରୁ ୨୦୨୦ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ମହୁଲ ମଦ ବିକ୍ରି କରିବାକୁ ଲାଇସେନ୍ସ୍ ମିଳିବ ବୋଲି ସରକାର ଅବକାରୀ ନୀତିରେ ସ୍ପଷ୍ଟ କରିଛନ୍ତି। ଏହାସହିତ ଘୋଷିତ ଅବକାରୀ ନୀତିରେ ମହୁଲ ମଦ ପାଇଁ ଏମଜିକ୍ୟୁ କୋଟାକୁ ବୃଦ୍ଧି କରାଯାଇନି। ବରଂ ଚଳିତ ଆର୍ଥିକ ବର୍ଷରେ କୋଟା ପୂରଣ କରିନଥିବା ଦୋକାନୀମାନଙ୍କୁ ଆସନ୍ତା ଆର୍ଥିକ ବର୍ଷ ପ୍ରଥମ ତ୍ରୟମାସିକରେ ଏମଜିକ୍ୟୁ ପୂରଣ କରିବା ପାଇଁ ସୁଯୋଗ ଦିଆଯାଇଛି।

କୋଭିଡ୍-୧୯କୁ ଦୃଷ୍ଟିରେ ରଖି କୌଣସି ଲାଇସେନ୍ସର ଅବଧି ବୃଦ୍ଧି, ନବୀକରଣ ଓ ଲେବଲ୍ ପଞ୍ଜୀକରଣ ଅନଲାଇନ୍ ଯୋଗେ କରାଯିବ। ଏଥିପାଇଁ ଲାଇସେନ୍ସଧାରୀଙ୍କୁ ଅବକାରୀ ଅଫିସ ଆସିବାକୁ ପଡ଼ିବ ନାହିଁ। ସେହିପରି ମଦ ଉତ୍ପାଦନ କରୁଥିବା କମ୍ପାନି, ଡିଷ୍ଟିଲେରୀ, ବଟଲିଂ ୟୁନିଟ୍, ମାଇକ୍ରୋ ବ୍ରିୱେରିଜ୍, ଆଉଟ୍ ଷ୍ଟିଲ୍ ଆଦି ୟୁନିଟଗୁଡ଼ିକ ପାଇଁ ପରିବେଶ ମଞ୍ଜୁରି ପ୍ରମାଣପତ୍ରଗୁଡ଼ିକ ବର୍ଷକ ପାଇଁ ପ୍ରଦାନ କରାଯିବ। ଭାଙ୍ଗ, ତଡ଼ି, ଠିପି ଖୋଲା ବିଦେଶୀ ମଦ ଦୋକାନ, ପୋଚ ଦୋକାନ, ହୋଲସେଲ୍ ଲାଇସେନ୍ସ୍, ଡିପୋ ଲାଇସେନ୍ସ୍ ଓ ଲେବଲ୍ ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ ଫି ଦାଖଲ ପରେ ସ୍ବୟଂକ୍ରିୟ ଭାବେ ବର୍ଷିକିଆ ନବୀକରଣ କରାଯିବ। ଯଦି କୌଣସି ଖୁଚୁରା ମଦ ଦୋକାନୀ ତାଙ୍କ ଲାଇସେନ୍ସ୍ ୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସରେଣ୍ଡର କରନ୍ତି, ତାହେଲେ ସେହି ଦୋକାନଟିକୁ ଲଟେରୀ ମାଧ୍ୟମରେ ନୂଆ ଲାଇସେନ୍ସ୍ ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ।