ଜମିଲା ପ୍ରଚାର, କମ୍ପିଲା ବିଜେପୁର । ଏପଟେ ନବୀନ, ସେପଟେ ଧର୍ମେନ୍ଦ୍ର ।

204

କନକ ବ୍ୟୁରୋ : ଆଜି ବିଜେପୁର ପ୍ରଚାର ମୈଦାନରେ ଦେଖିବାକୁ ମିଳିଛି କଡ଼ା ଟକ୍କର । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ଅନ୍ୟପଟେ କେନ୍ଦ୍ରମନ୍ତ୍ରୀଙ୍କ ରୋଡ୍ ସୋ । ଆଜି ଗାଇସିଲଟ୍ ବ୍ଲକର ବିଭିନ୍ନ ସ୍ଥାନରେ ରୋଡ୍ ସୋ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ବିଜେପୁରର ଦାୟିତ୍ୱ ନେବା କଥା ଦୋହରାଇଛନ୍ତି ନବୀନ । ଅନ୍ୟପଟେ ବିଜେପୁର କାହିଁକି ଛାଡ଼ିଲେ ମୁଖ୍ୟମନ୍ତ୍ରୀ, ଏହି ପ୍ରଶ୍ନ ଉଠାଇ ବିଜେଡିକୁ ଘେରିଛନ୍ତି ଧର୍ମେନ୍ଦ୍ର ।

ଭୋଟ୍ ରାଜନୀତିର ଉତ୍ସାହ ଭିତରେ କେଉଁଠି ଗେରୁଆ ବାନା ଉଡୁଛି, ତ ଆଉ କେଉଁଠି ସବୁଜ ପତାକା ଉଡୁଛି । ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ୍, କେନ୍ଦ୍ରମନ୍ତ୍ରୀ ଜିନ୍ଦାବାଦ୍ ଭିତରେ, ପ୍ରଚାର ସରିବାର ଠିକ୍ ଗୋଟିଏ ଦିନ ପୂର୍ବରୁ ବିଜେପୁରରେ ଜମିଛି ହାଇଭୋଲଟେଜ୍ କ୍ୟାମ୍ପେନ୍ । ଆଉ ସାମ୍ନାରେ ତିନି ପ୍ରମୁଖ ଚେହେରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ ।

ବିଶାଳ ରୋଡ୍ ସୋ ଜରିଆରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଝଲକ୍ ପାଇବା ପାଇଁ ରାସ୍ତାର ଉଭୟ କଡ଼ରେ ଲାଗିଥିଲା ଲମ୍ବା ଲାଇନ୍ । ଆଜି ଗାଇସିଲଟ୍ ବ୍ଲକର ବିଭିନ୍ନ ଗାଁରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଦୋହରାଇଛନ୍ତି-ବିଜେପୁର ଦାୟିତ୍ୱର କଥା ।
ଅନ୍ୟପଟେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ, ବିଜେପି ପ୍ରାର୍ଥୀ ସତନ ଗଡ଼ତିଆଙ୍କ ପାଇଁ ପ୍ରଚାର କରିଛନ୍ତି । ବରପାଲିରେ ଧର୍ମେନ୍ଦ୍ର ବିଶାଳ ରୋଡ୍ ସୋ କରିଥିବା ବେଳେ ପ୍ରତାପ ଷଡଙ୍ଗୀ ଘରକୁ ଘର ବୁଲି ପ୍ରଚାର କରିଛନ୍ତି । ଏପରିକି ପୁଣିଥରେ ସେହି ପୁରୁଣା ପ୍ରଶ୍ନକୁ ଦୋହରାଇଛନ୍ତି କେନ୍ଦ୍ରମନ୍ତ୍ରୀ । ଗଞ୍ଜାମ ବଦଳରେ ନବୀନ କାହିଁକି ବିଜେପୁର ଛାଡିଲେ ସେନେଇ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ବିଜେପୁରବାସୀଙ୍କୁ ନବୀନ ବାରମ୍ବାର ଧୋକା ଦେଉଛନ୍ତି, ତେଣୁ ଜନସାଧାରଣ ଏହାର ଜବାବ ଦେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଏପଟେ ବିଜେପୁରରେ ଡେରା ପକାଇଛନ୍ତି ଉଭୟ ବିଜେଡି ଓ ବିଜେପିର ଅନେକ ତୁଙ୍ଗ ନେତା । ନବୀନଙ୍କ ଲୋକପ୍ରିୟତା ଏବଂ ବିଜେପୁର ପାଇଁ ହୋଇଥିବା ଯୋଜନାକୁ ପାଥେୟ କରି ବିଜେଡି ନେତା ଓ ପ୍ରାର୍ଥୀ ପ୍ରଚାର କରୁଥିବା ବେଳେ ବିଜେପି ପ୍ରଶ୍ନ କରୁଛି କାହିଁକି ବିଜେପୁର ଛାଡ଼ିଲେ ମୁଖ୍ୟମନ୍ତ୍ରୀ । ଆଉ ଏସବୁ ଭିତରେ ବିଜେପି ଦାବି କରିଛି କଂଗ୍ରେସ ଭୋଟ୍ ବିଜେପିକୁ ଆସିବ । ରାଜନୀତିର ଏହି ବୟାନବାଜୀ ଭିତରେ ଆସନ୍ତାକାଲି ସରିବ ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରଚାର । ଆଉ ଅନ୍ତିମ ପର୍ଯ୍ୟାୟରେ ଲୋକଙ୍କ ପାଖରେ ପହଂଚିବା ପାଇଁ ଜୋରସୋର ଉଦ୍ୟମ ଚଳାଇଛନ୍ତି ଉଭୟ ବିଜେଡି ଓ ବିଜେପି ।