ଆଇପିଏଲ ପୂର୍ବରୁ ଡିଭିଲିୟର୍ସଙ୍କ ଧମାକା! ୫୦ ବଲରେ ମାରିଲେ ଧୂଆଁଧାର ଶତକ, ଟି-୨୦ କଲେ ବଡ ରେକର୍ଡ

492

ଗତବର୍ଷ ଅର୍ନ୍ତଜାତୀୟ କ୍ରିକେଟର ୩ଟି ଫର୍ମାଟରୁ ସନ୍ୟାସ ନେଇଥିବା ମିଷ୍ଟର ୩୬୦ ବ୍ୟାଟସମ୍ୟାନ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍ ପୁଣି କମ୍ପିଛି । ବିପିଏଲରେ ପୁଣିଥରେ ଧମାକା କରିଛନ୍ତି ଡି ଭିଲିୟର୍ସ । ଆଉ ଡିଭିଲିୟର୍ସଙ୍କ ବିଧ୍ୱଂସୀ ଇନିଂସ ଆରସିବି ପାଇଁ ଖୁସି ଆଣିଛି । କାରଣ ଆଉ କିଛି ଦିନ ପରେ ଖେଳାଯିବ ଆଇପିଏଲ-୨୦୧୯ । ବିପିଏଲରେ ୫୦ ବଲରୁ ୧୦୦ ରନର ଇନିଂସ ଖେଳିବା ସହ ତୃତୀୟ ୱିକେଟରେ ଆଲେକ୍ସ ହେଲ୍ସଙ୍କ ସହ ମିଶି ୧୮୪ ରନର ପାର୍ଟନରସିପ କରିବା ଟି-୨୦ ଫର୍ମାଟରେ ବିଶ୍ୱ ରେକର୍ଡ କରିଛନ୍ତି ଡିଭିଲିୟର୍ସ ।


ବିପିଏଲରେ ସୋମବାର ଖେଳାଯାଇଥିବା ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଢାକା ଡାଇନାମାଇଟ୍ସ ଓ ରଙ୍ଗପୁର ରାଇଡର୍ସ । ତେବେ ୧୮୯ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ରଙ୍ଗପୁର ରାଇଡର୍ସ ୫ ରନରେ ୨ ୱିକେଟ ହରାଇ ସଙ୍କଟରେ ପଡିଥିଲା । ଆଉ ଏହି ସମୟରେ ଦଳ ପାଇଁ ସଙ୍କଟମୋଚକ ସାଜି ଉଭା ହୋଇଥିଲେ ଡିଭିଲିୟର୍ସ ଓ ଆଲେକ୍ସ ହେଲ୍ସ ।

ଏହାପରେ ପଡିଆରେ ଦେଖିବାକୁ ମିଳିଥିଲା ଡିଭିଲିୟର୍ସ ଓ ହେଲ୍ସ ସୋ ।ଆଉ ୧୦ଟି ବଲ ପୂର୍ବରୁ ୮ ୱିକେଟରେ ଏହି ମ୍ୟାଚକୁ ଜିତି ନେଇଥିଲା ରଙ୍ଗପୁର ରାଇଡର୍ସ । ଡିଭିଲିୟର୍ସଙ୍କ ୧୦୦ ରନର ଇନିଂସରେ ୮ଟି ଚୌକା ଓ ୬ଟି ବିଶାଳ ଛକା ଦେଖିବାକୁ ମିଳିଥିଲା । ସେହିଭଳି ହେଲ୍ସ ମଧ୍ୟ ୫୩ ବଲରୁ ଅପରାଜିତ ୮୫ ରନ କରିଥିଲେ । ଯେଉଁଥିରେ ୮ଟି ଚୌକା ଓ ୩ଟି ସାମିଲ ଛକା ସାମିଲ ଥିଲା । ଏହାପୂର୍ବରୁ ଏହି ରେକର୍ଡ ଇଆନ ବେଲ ଓ ଆଡାମ ହୋଜଙ୍କ ନାଁରେ ଥିଲା । ଗତବର୍ଷ ଭିଟାଲିଟି ବ୍ଲାଷ୍ଟ ଟୁର୍ଣ୍ଣାମେଣ୍ଟରେ ଦୁହିଁଙ୍କ ମଧ୍ୟରେ ୧୭୧ ରନର ପାର୍ଟନରସିପ ଦେଖିବାକୁ ମିଳିଥିଲା ।