ପ୍ରବାସୀଙ୍କ ଫେରିବା ପାଇଁ ‘ଆଧାର’ ନୁହେଁ ବାଧ୍ୟତାମୂଳକ: ଆଧାର ବ୍ୟତୀତ ଅନ୍ୟ କାଗଜପତ୍ର ଦେଇପାରିବେ ପ୍ରବାସୀ ଓଡିଆ; ଜନସ୍ୱାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟଙ୍କ ରାୟ
କନକ ବ୍ୟୁରୋ: ପ୍ରବାସୀ ଓଡ଼ିଆ ନିଜ ରାଜ୍ୟକୁ ଫେରିବା ପୂର୍ବରୁ କରୁଥିବା ପଞ୍ଜୀକରଣ ପାଇଁ ପରିଚୟପତ୍ର ଭାବେ କେବଳ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ। ଆଧାରକାର୍ଡ ସହିତ ଅନ୍ୟ ପରିଚୟପତ୍ରକୁ ମଧ୍ୟ ପଞ୍ଜୀକରଣ ପାଇଁ ବ୍ୟବହାର କରିହେଉଛି। ରାଜ୍ୟ ସରକାର ଏଥିପାଇଁ ଥିବା ପୋର୍ଟାଲରେ ଆବଶ୍ୟକ ବ୍ୟବସ୍ଥା କରିଛନ୍ତି। ପ୍ରବାସୀଙ୍କ ପଞ୍ଜୀକରଣ ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ବ୍ୟବସ୍ଥାକୁ ଚାଲେଞ୍ଜ କରି ଦାୟର ମାମଲାର ଶୁଣାଣି ସମୟରେ ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି ସତ୍ୟପାଠ ଦାଖଲ କରାଯାଇଥିଲା। ଆଧାରକାର୍ଡ ସହିତ ଅନ୍ୟ ପରିଚୟପତ୍ରଗୁଡିକୁ ମଧ୍ୟ ପଞ୍ଜୀକରଣ ପାଇଁ ଗ୍ରହଣ କରାଯାଉଛି ଓ ରାଜ୍ୟ ସରକାରଙ୍କ ଏ ସଂପର୍କିତ ୱେବସାଇଟରେ ଏହି ତଥ୍ୟ ଉପଲବ୍ଧ ବୋଲି ୱର୍କସ୍ ବିଭାଗ ଅତିରିକ୍ତ ସଚିବଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରିଫିକ୍ ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କ ସତ୍ୟପାଠକୁ ଗ୍ରହଣ କରି ଏ ସଂପର୍କିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ମାମଲାର ବିବରଣୀରୁ ପ୍ରକାଶ ଯେ, କରୋନା ଭୂତାଣୁ ସଂକ୍ରମଣ ନେଇ ସାରାଦେଶରେ ଲକ୍ଡାଉନ କରାଯାଇଥିବା ବେଳେ ବାହାର ରାଜ୍ୟରେ ରହିଥିବା ଶ୍ରମିକ ଓ ଅନ୍ୟ ବ୍ୟକ୍ତିବିଶେଷ ରାଜ୍ୟକୁ ଫେରିବା ପାଇଁ ସରକାର ବ୍ୟବସ୍ଥା କରିଥିଲେ। ରାଜ୍ୟକୁ ଫେରିବାକୁ ଚାହୁଁଥିବା ବ୍ୟକ୍ତିମାନେ ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜୀକରଣ କରିପାରିବେ ବୋଲି କୁହାଯାଇଥିଲା। ଏଥିସହିତ ପ୍ରବାସୀଙ୍କ ପରିବାର ଲୋକମାନେ ପଞ୍ଜାୟତସ୍ତରରେ ଏ ନେଇ ଅଫ୍ଲାଇନରେ ମଧ୍ୟ ପଞ୍ଜୀକରଣ ପାଇଁ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ପ୍ରାଥମିକ ପର୍ଯ୍ୟାୟରେ ପଞ୍ଜୀକରଣ ପାଇଁ ଜଣେ ପ୍ରବାସୀଙ୍କ ପରିଚୟ ଭାବେ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇଥିଲା। ଆଧାରକାର୍ଡ ତଥ୍ୟ ନ ଦେଲେ ୱେବସାଇଟରେ ପଞ୍ଜୀକରଣ ସଂପୂର୍ଣ୍ଣ ବା ଗ୍ରହଣୀୟ ହେଉ ନଥିଲା।
ସରକାରଙ୍କ ଏପରି ନିଷ୍ପତ୍ତିକୁ ଚାଲେଞ୍ଜ କରି ସାମାଜିକ କର୍ମୀ ମହେନ୍ଦ୍ର କୁମାର ପରିଡ଼ା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ଦର୍ଶାଇଥିଲେ ଯେ, ନିୟମ ଅନୁସାରେ ପ୍ରବାସୀଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ରହିଥିବା ପଞ୍ଜୀକରଣ ବ୍ୟବସ୍ଥାରେ ଆଧାରକାର୍ଡ ବାଧ୍ୟତାମୂଳକ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। କୌଣସି ସରକାରୀ ଯୋଜନାର ଲାଭ ବା ଫାଇଦା ପାଇବାକୁ ହେଲେ ଆଧାର ବାଧ୍ୟତାମୂଳକ କରାଯାଇ ପାରିବ। କିନ୍ତୁ ପ୍ରବାସୀଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ପଞ୍ଜୀକରଣ ବ୍ୟବସ୍ଥାରେ ଆଧାର ବାଧ୍ୟତାମୂଳକ କରାଯାଇପାରିବ ନାହିଁ।