ବିଜେପିରେ ବଢୁଛି ବିଦ୍ରୋହ! ଅସନ୍ତୁଷ୍ଟ ନେତା ଦେଲେଣି ଦଳ ବିରୋଧରେ ରଣ ହୁଙ୍କାର, କେଉଁଠି ପାର୍ଟି ଅଫିସରେ ତାଲା ପଡିଛି ତ ପୁଣି କେଉଁଠି ଜଳୁଛି ନେତାଙ୍କ କୁଶପୁତ୍ତଳିକା ।

306

କନକ ବ୍ୟୁରୋ : ନିର୍ବାଚନ ଯୁଦ୍ଧ ଆରମ୍ଭ ପୂର୍ବରୁ ବିଜେପିରେ ଦେଖାଦେଲାଣି ବିଦ୍ରୋହ । ଖାସକରି ଟିକେଟ ଘୋଷଣା ପରେ ଏହି ବିଦ୍ରୋହର ନିଆଁ ଉଗ୍ର ରୂପ ଧାରଣ କରିଛି । ଦଳଡିଆଁ ନେତାଙ୍କୁ ଗୁରୁତ୍ୱ ଦେଇ ପୁରୁଣା କର୍ମୀ ଓ ନେତା ଅଣଦେଖା କରାଯାଉଥିବାରୁ ରାଜ୍ୟର ଅନେକ ସ୍ଥାନରେ ବିଜେପିର ବିଦ୍ରୋହୀ ଭାବେ ଉଭା ହେଲେଣି ନିଜ ଦଳର ସିପାହୀ । ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ଏହି ବିଦ୍ରୋହର ନିଆଁ ଏବେ ରାଜ୍ୟର ଚାରି ଆଡକୁ ବ୍ୟାପିଛି । କେଉଁଠି ପାର୍ଟି ଅଫିସରେ କର୍ମୀ ମାନେ ତାଲା ପକାଉଛନ୍ତି ତ ପୁଣି କେଉଁଠି ରାଜ ନେତୃବୃନ୍ଦ ତଥା ବିଜେପିର ପୋଷ୍ଟରବୟ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରୁଛନ୍ତି ବିଜେପି ନେତା । ଗତକାଲି ପର୍ଯନ୍ତ ଦଳ ଓ ଦଳୀୟ ନେତାଙ୍କ ଜୟ ଜୟକାର ପକାଉଥିବା ନେତା ଆଜି ଟିକେଟ ନ ମିଳିବା ପରେ ଦଳ ବିରୋଧରେ ଏକରକମ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି । ଯଦି ଦଳ ତାଙ୍କ କଥା ବିଚାରକୁ ନ ନିଏ ତେବେ ସ୍ୱାଧୀନ ଭାବେ ଦଳ ବିରୋଧରେ ମୈଦାନକୁ ଓହ୍ଲାଇବେ ବୋଲି କିଛି ନେତା ଖୋଲାଖୋଲି ଚେତାବନୀ ଦେଇଛନ୍ତି ।

ଭୁବନେଶ୍ୱର : ବିଜେପି ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା ପରେ ହିଁ ଦଳ ବିରୋଧରେ ଉଠିଥିଲା ବିଦ୍ରୋହର ସ୍ୱର । ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ବିଜେଡିରୁ ସଜ ସଜ ଇସ୍ତଫା ଦେଇ ପଦ୍ମ ଧରିଥିବା ନେତା ବାବୁ ସିଂଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କଲାପରେ ରାତି ଅଧରେ ଦେଖିବାକୁ ମିଳିଥିଲା ଅସନ୍ତୋଷର ନିଆଁ । ଦୀର୍ଘଦିନ ଧରି ଦଳର ସଙ୍ଗଠନକୁ ସଦୃଢ କରିଥିବା ତଥା ୨୦୧୪ରେ ପଦ୍ମ ଟିକେଟରୁ ନିର୍ବାଚନ ଲଢିଥିବା ଅମୀୟ ଦାସଙ୍କ ସମର୍ଥକ ମାନେ ରାତି ଅଧରେ ତୁମୁଳକାଣ୍ଡ ଘଟାଇଥିଲେ । ବିଜେପି ନେତା ସମୀର ମହାନ୍ତିଙ୍କ ଘର ଉପରକୁ ଟେକା, ପଥର ମାଡ କରିବା ସହ ପାର୍ଟି ଅଫିସରେ ତାଲା ପକାଇଥିଲେ । ଏପରିକି ଅମୀୟ ଦାସଙ୍କୁ ଟିକେଟ ନ ମିଳିଲେ ବିକଳ୍ପ ପନ୍ଥା ଗ୍ରହଣ କରାଯିବ ବୋଲି ସମର୍ଥକ ମାନେ ଚେତାବନୀ ଦେଇଥିଲେ ।

ଖୋର୍ଦ୍ଧା: ବିଜେପି ଟିକଟ ବଂଟନକୁ ନେଇ ଉତେଜନା ବଢୁଥିବା ବେଳେ ଗତକାଲି ଅପରାହ୍ନରେ ଖୋର୍ଦ୍ଧା ଓରବରସିଂହ ପଂଚାୟତରେ ଗୁଳିକାଣ୍ଡ ହୋଇଥିଲା । କାଳୁ ଚରଣ ଖଣ୍ଡାୟତରାୟଙ୍କୁ ବିଜେପି ଟିକଟ ଦେବା ପରେ କାଳୁ ଚରଣଙ୍କ ସମର୍ଥକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି ।

ଜୟପୁର: ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଅସନ୍ତୋଷ ଏତେ ମାତ୍ରାରେ ଦେଖିବାକୁ ମିଳିନଥିଲା । ତେବେ ଗତକାଲି ମଧ୍ୟରାତ୍ରରେ ବିଜେପି ଦ୍ୱିତୀୟ ପର୍ଯ୍ୟାୟ ତାଲିକା ଘୋଷଣା କଲାପରେ ସକାଳ ହେବା ବେଳକୁ ଅସନ୍ତୋଷର ନିଆଁ ପୂରା ରାଜ୍ୟକୁ ବ୍ୟାପିଥିଲା । କୋରାପୁଟ ଲୋକସଭା ଆସନ ପାଇଁ ଦଳ ଜୟରାମ ପାଙ୍ଗୀଙ୍କୁ ଟିକେଟ ଦେବା ନେଇ ତାତିଥିଲେ କର୍ମୀ । ଦଳ ବାହାରୁ ଆସିଥିବା ନେତାଙ୍କୁ ଟିକେଟ ଦେବା ନେଇ ଅସନ୍ତୁଷ୍ଟ କର୍ମୀ ମାନେ ଜୟପୁର ପାର୍ଟି ଅଫିସରେ ତାଲା ପକାଇବା ସହ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୟରାମ ପାଙ୍ଗୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ଭଦ୍ରକ: ଟିକେଟ ଘୋଷଣାକୁ ନେଇ ଭଦ୍ରକରେ ମଧ୍ୟ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବାସୁଦେବପୁରରେ ମାଧବାନନ୍ଦ ମଲିକଙ୍କୁ ଟିକେଟ ନମିଳିବାକୁ ବିରୋଧ ପ୍ରତିବାଦ କରି ଅସନ୍ତୁଷ୍ଟ ଆଶାୟୀ ପ୍ରାର୍ଥୀ ଦୀନବନ୍ଧୁ ପତିଙ୍କ ସମର୍ଥକମାନେ ଭଦ୍ରକ ପାର୍ଟି ଅଫିସରେ ତାଲା ପକାଇଦେଇଛନ୍ତି । ଏହାସହ ପାର୍ଟି ବିରୋଧରେ ସ୍ଲୋଗାନ ଦେଇ ନିଜ ଅସନ୍ତୋଷ ଜାହିର କରିଛନ୍ତି ଦୀନବନ୍ଧୁ ପତିଙ୍କ ସମର୍ଥକ ।

କୋରାପୁଟ: ଲକ୍ଷ୍ମୀପୁରରେ ବିଜେପି ଅଫିସରେ ଭଂଗାରୁଜା ସହିତ ପୋଡାଜଳା କରିଛନ୍ତି ଦଳୀୟ କର୍ମୀ । ଲକ୍ଷ୍ମୀପୁର ଆସନରୁ କୁମୁଦ ଚନ୍ଦ୍ର ସାଉନ୍ତଙ୍କୁ ଟିକଟ ମିଳିବା ପରେ ଏହି ବିରୋଧ ସାମ୍ନାକୁ ଆସିଛି । ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ୭ଟି ମଣ୍ଡଳର ସଭାପତିଙ୍କ ସହିତ କର୍ମକର୍ତା ଓ ଆଶାୟୀ ପ୍ରାର୍ଥୀ ବିରୋଧ ପ୍ରଦର୍ଶନ କରିବା ପରେ, ବ୍ଲକ ଅଫିସରେ ପୋଡାଜଳା କରିଛନ୍ତି ।

ବରଗଡ : ବରଗଡ ଲୋକସଭା ଆସନ ପାଇଁ ବିଜେପି ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ ଘୋଷଣା ପରେ ପ୍ରବଳ ମାତ୍ରାରେ ଅସନ୍ତୋଷ ଦେଖିବାକୁ ମିଳିଛି । ବରଗଡ ପାଇଁ ଆଶାୟୀ ଥିବା ସୁବାସ ଚୌହାନଙ୍କ ସମର୍ଥକ ମାନେ ଧର୍ମେନ୍ଦ୍ର ଓ ବିଜେପି ପତାକା ପୋଡିବା ସହ ନିଜର ପ୍ରତିବାଦ ଜଣାଇଛନ୍ତି । ଦୀର୍ଘ ଦିନ ଧରି ବିଜେପିର ସଙ୍ଗଠନକୁ ବଳ ଯୋଗାଇ ଆସିଥିବା ସୁବାସଙ୍କୁ ଦଳ ପକ୍ଷରୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ରାସ୍ତାକୁ ଓହ୍ଲାଇଛନ୍ତି ବିଜେପି କର୍ମୀ ।

କଳାହାଣ୍ଡି : ଦ୍ୱିତୀୟ ପର୍ଯ୍ୟାୟରେ କଳାହାଣ୍ଡି ଲୋକସଭା ପାଇଁ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ କଳାହାଣ୍ଡି ବିଜେପିରେ ଅସନ୍ତୋଷର ନିଆଁ ଦେଖିବାକୁ ମିଳିଛି । ଟିକେଟ ପାଇଁ ଆଶାୟୀ ଥିବା ପ୍ରଦୀପ୍ତ ନାୟକ ଓ ତାଙ୍କର ସମର୍ଥକ ମାନେ ନିଜର ଅସନ୍ତୋଷ ଜଣାଇଛନ୍ତି । ଏହାସହ ପ୍ରଦୀପ୍ତ ଆଗାମୀ ନିର୍ବାଚନ ନ ଲଢିବା ପାଇଁ ମଧ୍ୟ ରୋକଠୋକ ଶୁଣାଇ ଦେଇଛନ୍ତି ।

ଦିଗପହଣ୍ଡି : ଷ୍ଟାର ସେଲିବ୍ରିଟି ପିଙ୍କି ପ୍ରଧାନଙ୍କୁ ଦିଗପହଣ୍ଡିରୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ସ୍ଥାନୀୟ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ବିଜେପି ଟିକେଟ ପାଇଁ ଆଶାୟୀ ଥିବା ଉତ୍ତମ ପାଣିଗ୍ରାହୀ ଏନେଇ ଦଳକୁ ଅଲଟିମେଟମ ଦେଇଛନ୍ତି । ଯଦି ଦଳ ତାଙ୍କ କଥା ବିଚାରକୁ ନ ନିଏ ତେବେ ସେ ଓ ତାଙ୍କର ସମର୍ଥକ ମାନେ ଦଳରୁ ଇସ୍ତଫା ଦେଇ ନେଇ ଖୋଲା ଚେତାବନୀ ଦେଇଛନ୍ତି । ନୂଆ ଚେହେରା ଭାବେ ପିଙ୍କିଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିଛନ୍ତି ଦିଗପହଣ୍ଡିର ବିଜେପି କର୍ମୀ ।

ଖଡିଆଳ : ଗୋଟିଏ ପଟେ ବିଜେପି ଅନ୍ୟ ଦଳରୁ ନେତା ଆମଦାନୀ କରିବା ସହ ସେମାନଙ୍କୁ ଟିକେଟ ଦେଉଥିବା ବେଳେ ପୁରୁଣା ନେତା ଓ କର୍ମୀଙ୍କୁ ଦଳ ଅଣଦେଖା କରୁଥିବା ଅଭିଯୋଗ ସାମ୍ନାକୁ ଆସିଛି । ବିଜେପିର ବରିଷ୍ଠ ନେତା ତଥା ଖଡିଆଳ ବିଧାୟକ ଦୁର୍ଯ୍ୟୋଧନ ମାଝୀଙ୍କୁ ଟିକେଟ ନମିଳିବାରୁ ସମର୍ଥକଙ୍କ ହାତରେ ସେ ଇସ୍ତଫା ପତ୍ର ପଠାଇଛନ୍ତି । ଖଡିଆଳ ଆସନରୁ ରିତାରାଣୀ ବଗର୍ତିଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ଦୁର୍ଯ୍ୟୋଧନ ଏହି ନିଷ୍ପତି ନେଇଥିବା ତାଙ୍କ ସମର୍ଥକମାନେ କହିଛନ୍ତି । ୨୦୧୪ ବିଧାନସଭା ନିର୍ବାଚନରେ ଖଡିଆଳରୁ ବିଜେପି ଟିକେଟରେ ଜିତିଥିଲେ ଦୁର୍ଯ୍ୟୋଧନ ।ହେଲେ ଟିକେଟ କଟିବା ପରେ ସେ ଏହି ଚରମ ନିଷ୍ପତି ନେଇଥିବା ଜଣାପଡିଛି ।

ଅନ୍ୟ ଦଳରୁ ନେତା ଆମଦାନୀ କରି ବିଜେପି ମିଶନ ୧୨୦କୁ ସଫଳ କରିବାକୁ ଅଣ୍ଟା ଭିଡିଥିବା ବେଳେ ପୁରୁଣା ନେତା ଓ କର୍ମୀଙ୍କୁ ଗୁରୁତ୍ୱ ଦେଉନାହିଁ । ଯେଉଁଥିପାଇଁ ଟିକେଟ ନ ପାଇ କିଛି ଆଶାୟୀ ଦଳ ବିରୋଧରେ ବିଦ୍ରୋହ ଆରମ୍ଭ କରିଥିବା ବେଳେ ଅନ୍ୟ କିଛି ନେତା ରାଜ୍ୟ ନେତୃବୃନ୍ଦଙ୍କୁ ଖୋଲା ଚେତାବନୀ ଦେଇଛନ୍ତି । ଆଉ ଏଭଳି ସ୍ଥିତିରେ ଏହାର ମୁକାବିଲା କରିବା ଏବେ ଦଳ ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଗୋଟିଏ ପଟେ ଦଳର ଯୋଦ୍ଧା ମାନେ ପଦ୍ମ ଶିବିର ଛାଡୁଥିବା ବେଳେ କେଉଁ ରଣନୀତି ନେଇ ବିଜେପି ୨୦୧୯ ନିର୍ବାଚନ ମୈଦାନକୁ ଓହ୍ଲାଇବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।