ବାଇକ ଓ କାରରେ ଲଗାଇ ଦିଅନ୍ତୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ! ନଚେତ ଜରିମାନା ସହ ଯିବାକୁ ପଡିବ ଜେଲ

33

ରାଜଧାନୀ ଦିଲ୍ଲୀ ବାସିନ୍ଦାଙ୍କ ବଡ ଖବର । ଖାସକରି ଯେଉଁମାନଙ୍କ ନିକଟରେ ବାଇକ ଓ ଚାରି ଚକିଆ ଯାନ ରହିଛି । କାରଣ ଯେଉଁ ଲୋକଙ୍କ କାର କିମ୍ବା ବାଇକରେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ ଲଗାଯାଇନାହିଁ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ପରିବହନ ବିଭାଗ । ଅଥାର୍ତ ଯେଉଁ ଲୋକମାନଙ୍କର ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିବ କିମ୍ବା ଯେଉଁମାନେ ଏହି ନିୟମ ପାଳନ ନ କରିବେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ଏପରିକି ଆବଶ୍ୟକସ୍ଥଳେ ନିୟମ ଉଲ୍ଲଂଘନକାରୀଙ୍କୁ ଜେଲ ମଧ୍ୟ ପଠାଯିବ । ତେଣୁ ଏବେଠାରୁ ଏନେଇ ସାବଧାନ ହୋଇଯାଆନ୍ତୁ ।

ଯଦି ଆପଣ ନୂଆ ବାଇକ କିମ୍ବା କାର କିଣୁଛନ୍ତି ତେବେ ଏନେଇ ଚିନ୍ତା କରିବାର ଆଦୌ ଆବଶ୍ୟକତା ନାହିଁ । କାରଣ ଏବେ ଆସୁଥିବା ଗାଡି ଗୁଡିକ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ସହ ଆସୁଛି । ତେବେ ପୁରୁଣା ଗାଡି ଗୁଡିକର ନମ୍ବର ପ୍ଲେଟ ବଦଳାଇବା ପାଇଁ ଅକ୍ଟୋବର ୧୩ ଡେଡଲାଇନ ରହିଛି । କିନ୍ତୁ ନମ୍ବର ପ୍ଲେଟ ବଦଳାଇବାର ପ୍ରକ୍ରିୟା ଆଗାମୀ ମାସ ୨ ତାରିଖରୁ ଆରମ୍ଭ ହେବ ।

ପୁରୁଣା ନମ୍ବର ପ୍ଲେଟ ବଦଳାଇବା ପାଇଁ ୧୩ଟି କେନ୍ଦ୍ର ଖୋଲାଯିବ । ଆଉ ଏହି କେନ୍ଦ୍ରରେ ଗାଡି ଚାଳକ ପହଞ୍ଚି ନମ୍ବର ବଦଳାଇପାରିବେ । ପରିବହନ ବିଭାଗର କହିବା ଅନୁଯାୟୀ, ଭିଡକୁ ଦୃଷ୍ଟିରେ ରଖି ନମ୍ବର ପ୍ଲେଟ ବଦଳାଇବା ପାଇଁ ଏକ ସଫ୍ଟୱେୟାର ପ୍ରସ୍ତୁତ କରାଯାଇଛି । ଏହା ଜରିଆରେ ଲୋକମାନେ ଅନଲାଇନରେ ନମ୍ବର ପ୍ଲେଟ ବଦଳାଇବାକୁ ଆବେଦନ କରିପାରିବେ । ଏହା ପରେ ପରିବହନ ବିଭାଗ ପକ୍ଷରୁ ଗାଡି ଚାଳକଙ୍କ ନମ୍ବର ବଦଳାଇବାକୁ ତାରିଖ ଓ ସମୟ ଦିଆଯିବ । ଆଉ ସେହି ସମୟରେ ଗାଡି ଚାଳକ ପହଞ୍ଚି ନମ୍ବର ପ୍ଲେଟ ବଦଳାଇପାରିବେ । ଦୁଇ ଚକିଆ ନମ୍ବର ପ୍ଲେଟ ବଦଳାଇବା ପାଇଁ ୬୭ ଟଙ୍କା ଓ ଚାରି ଚକିଆ ଯାନ ପାଇଁ ୨୧୩ ଟଙ୍କା ଫିସ୍ ଦେବାକୁ ପଡିବ ।

ଯଦି ଡେଡଲାଇନ ପରେ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥାଏ ତେବେ ଚାଳକଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ । ଏପରିକି ୩ ମାସ ପାଇଁ ଜେଲଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି । ତେବେ ଲୋକମାନଙ୍କୁ ଜଣାଇବାକୁ ଏନେଇ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେ ତନ କରାଯିବ ।