ହାଇଲେବୁଲ କ୍ଲିୟରାନ୍ସ ବୈଠକରେ ୫ଟି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ । ନିବେଶ ହେବ ୨ ଲକ୍ଷ ୪ ହଜାର କୋଟି, ସୃଷ୍ଟି ହେବ ୩୦ ହଜାର ନିଯୁକ୍ତି

648

କନକ ବ୍ୟୁରୋ: ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇଲେବୁଲ କ୍ଲିଅରାନ୍ସ କମିଟି ବୈଠକ ଶେଷ । ହାଇଲେବୁଲ କ୍ଲିଅରାନ୍ସ କମିଟି ବୈଠକରେ ମୋଟ୍ ୨ ଲକ୍ଷ ୪ ହଜାର କୋଟି ଟଙ୍କା ପ୍ରକଳ୍ପକୁ ମିଳିଲା ଅନୁମୋଦନ । ରାଜ୍ୟରେ ୫ଟି ପ୍ରକଳ୍ପକୁ ଅନୁମୋଦନ ଦେଲେ ରାଜ୍ୟ ସରକାର । ଯାହାଦ୍ୱାରା ସୃଷ୍ଟି ହେବ ୩୦ ହଜାର ନିଯୁକ୍ତି ସୁଯୋଗ । ଏନେଇ ବୈଠକ ପରେ ସୂଚନା ଦେଇଛନ୍ତି ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ।

ଅନ୍ୟପଟେ ଏହି ୫ ଟି ପ୍ରକଳ୍ପ ମଧ୍ୟରେ ରାଷ୍ଟ୍ରାୟତ ତୈଳ କମ୍ପାନି ଇଣ୍ଡିଆଲ ଅଏଲ ଓଡ଼ିଶାରେ ପ୍ରାୟ ୧ ଲକ୍ଷ କୋଟି ନିବେଶ କରିବ । ଏହାକୁ ମିଶାଇ ମୋଟ ୨.୦୪ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି । ଏହା ଦ୍ୱାରା ପ୍ରାୟ ୩୦ ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି ଶିଳ୍ପ ସଚିବ ସଂଜୀବ ଚୋପ୍ରା କହିଛନ୍ତି । ଏହା ମାଧ୍ୟମରେ କମ୍ପାନି ପାରାଦ୍ୱୀପସ୍ଥିତ ନିଜର ବିଶୋଧନାଗାରକୁ ବର୍ତ୍ତମାନର ୧୫ ନିୟୁତ ଟନରୁ ୨୫ ନିୟୁତ ଟନକୁ ବୃଦ୍ଧି କରିବ ଓ ଏକ ନାପଥା ୟୁନିଟ ସ୍ଥାପନ କରିବ । ଏହି ଡୁଆଲ କ୍ରାକର ନାପଥା ୟୁନିଟର କ୍ଷମତା ବାର୍ଷିକ ୩-୪ ନିୟୁତ ଟନ ରହିବ ।

ଏହାଛଡା ପାରାଦ୍ୱୀପରେ କମ୍ପାନି ଏକ ବାର୍ଷିକ ୧.୪ନିୟୁତ ଟନ କ୍ଷମତା ବିଶିଷ୍ଟ ଏଥିଲିନ ୟୁନିଟ, ବାର୍ଷିକ ୦.୬୫ ନିୟୁତ ଟନ କ୍ଷମତା ବିଶିଷ୍ଟ ପ୍ରୋପିଲିନ ୟୁନିଟ ଓ ବାର୍ଷିକ ୬୫୦ କିଲୋଟନ କ୍ଷମତା ବିଶିଷ୍ଟ ପଲି-ପ୍ରୋପିଲିନ ୟୁନିଟ ସ୍ଥାପନର ପ୍ରସ୍ତାବ ରହିଛି । ଏହି ସଂପ୍ରସାରଣ ପ୍ରସ୍ତାବକୁ କମ୍ପାନି ପକ୍ଷରୁ ଗତ ଜୁଲାଇ ମାସରେ ଓଡ଼ିଶା ସରକାରଙ୍କ ସିଙ୍ଗଲ ଓ୍ଵିଣ୍ଡୋ ଅଥରିଟି ମାଧ୍ୟମରେ ମଂଜୁରୀ ପାଇଁ ଦାଖଲ କରାଯାଇଥିଲା । ଏହି ସଂପ୍ରସାରଣ ପାଇଁ କମ୍ପାନି ପ୍ରାୟ ୪୨୦୦ ଏକର ଜମି ଆବଶ୍ୟକ କରିବ । କମ୍ପାନି ପୂର୍ବରୁ ଓଡ଼ିଶାରେ ୩୫ ହଜାର କୋଟି ନିବେଶ କରିସାରିଛି ।

ଏହାଛଡା ହଳଦିଆ ପେଟ୍ରୋକେମିକାଲ୍ସର ଏକ ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି । ସୁବର୍ଣ୍ଣରେଖା ବନ୍ଦର ନିକଟରେ ଏହି ପ୍ରକଳ୍ପ କରିବ ହଳଦିଆ ପେଟ୍ରୋକେମିକାଲ୍ସ । ଏ ସଂପର୍କିତ ଏକ ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ବୈଠକରେ ମଂଜୁରୀ ଦିଆଯାଇଛି ।