କେମିତି ପୂରିବ ପିଲାଙ୍କ ପେଟ ? ରାତି ପାହିଲେ ରୀତାଙ୍କୁ ଘାରୁଛି ଦାନା ଯୋଗାଡ ଚିନ୍ତା । ସ୍ୱାମୀ ଗଲା ପରେ ମାଗିଯାଚି ଚଳୁଛନ୍ତି, ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ରୀତା

ପରଘରୁ ମିଳୁଥିବା ଦୁଇ ମୁଠା ଦାନାରେ ସିନା ସେ ପିଲାଙ୍କ ପେଟ ପୂରାଇ ଦେଉଛନ୍ତି ହେଲେ ନିଜ ପାଇଁ...? କିଛି ବଳିଲେ ତ ନିଜେ ଖାଇବେ... ସେଇଥିପାଇଁ ତ ଅନେକ ସମୟରେ ପାଣି ପିଇ ଶୋଇ ଯାଆନ୍ତି ରୀତା ।

2,197

କନକ ବ୍ୟୁରୋ: ଦିନେ ସେ ଅନ୍ୟକୁ ଆଲୁଅ ଦେଖାଉଥିଲେ । ପାଠ ପଢାଇ ବଡ ମଣିଷ ହେବାର ବାଟ ଦେଖାଉଥିଲେ । ପିଲାଙ୍କ ଭାଗ୍ୟ, ଭବିଷ୍ୟତ ସଜାଡିବାକୁ ଆପ୍ରାଣ ଉଦ୍ୟମ ବି କରୁଥିଲେ । ହେଲେ ଆଜି ଅନ୍ଧାରରେ ତାଙ୍କ ପିଲାଙ୍କ ଭବିଷ୍ୟତ, ଅଭାବରେ ତାଙ୍କ ଦୁଃଖୀ ପରିବାର । ଶିକ୍ଷକତା କରି ପେଟ ପୋଷୁଥିବା ଶିକ୍ଷକ ହଠାତ ଆରପାରିକୁ ଚାଲିଯିବା ପରେ ଏବେ ଭୋକ ଉପାସରେ ଦିନ କାଟୁଛନ୍ତି ତାଙ୍କ ପରିବାର ।

ଢେଙ୍କାନାଳ କାମାକ୍ଷାନଗର ବ୍ଲକ ଶ୍ରୀମୁଲା ଗାଁର ଶିକ୍ଷକ ମନୋହର ନାୟକଙ୍କ ଛାତିରେ ଯନ୍ତ୍ରଣା ହେବା ପରେ ଗତବର୍ଷ ମୃତ୍ୟୁ ହୋଇଛି । ଗାଙ୍ଗିଯୋଡି ୟୁ.ପି ସ୍କୁଲରେ ବ୍ଲକଗ୍ରାଣ୍ଡ ଶିକ୍ଷକ ଭାବେ ଚାକିରି କରୁଥିବା ମନୋହରଙ୍କ ହଠାତ ବିୟୋଗ ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଅଜାଡି ହୋଇ ପଡିଛି । ସ୍ୱାମୀ ଗଲା ପରେ ଦୁଇ ପିଲାଙ୍କ ମୁହଁରେ ଦାନା ଗଣ୍ଡେ ଯୋଗାଡ କରିବା ମନୋହରଙ୍କ ପତ୍ନୀ ରୀତାଙ୍କ ପାଇଁ ଏକଦମ ଅସମ୍ଭବ ହୋଇପଡିଛି ।

ବାପା ଗଲା ପରେ ପିଲାଙ୍କ ଦାୟିତ୍ୱ ମାଆ ମୁଣ୍ଡରେ ଥିବାରୁ ସାହି ପଡିଶାରୁ ମାଗିଯାଚି ଦୁଇ ପୁଅଙ୍କ ମୁହଁରେ ଦାନା ଦେଉଛନ୍ତି ରୀତା । ପରଘରୁ ମିଳୁଥିବା ଦୁଇ ମୁଠା ଦାନାରେ ସିନା ସେ ପିଲାଙ୍କ ପେଟ ପୂରାଇ ଦେଉଛନ୍ତି ହେଲେ ନିଜ ପାଇଁ…? କିଛି ବଳିଲେ ତ ନିଜେ ଖାଇବେ… ସେଇଥିପାଇଁ ତ ଅନେକ ସମୟରେ ପାଣି ପିଇ ଶୋଇ ଯାଆନ୍ତି ରୀତା ।

ତେବେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ରୀତାଙ୍କ ପରିବାରକୁ ନା ମିଳୁଛି ଭତ୍ତା ନା ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଛି ମୁଠାଏ ଚାଉଲ । ଘରେ କେହି ପୁରୁଷ ନଥିବାରୁ ସରକାରୀ ବାବୁ କିମ୍ବା ଜନପ୍ରତିନିଧିଙ୍କ କାନରେ ନିଜ ଭୋକ କଥା କହିବାକୁ ଜୁ ଗୁଟାଇ ପାରୁନାହାନ୍ତି ରୀତା । ତେବେ ଅଭାବୀ ରୀତାଙ୍କ କଥା ଶୁଣିବା ପରେ ଖୁବ ଶୀଘ୍ର ତାଙ୍କୁ ସାହାଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ ।