ଭିକାରୀ ଭରିଲେ ବକେୟା ବିଲ୍ । ବଡ଼ ବଡ଼ିଆଙ୍କୁ ବାଟ ଦେଖାଇଲେ ସ୍ୱାଭିମାନୀ ବିଜୁଳି ଉପଭୋକ୍ତା, ଭିକ୍ଷାବୃତି କରି ୨୫୦୦ ଟଙ୍କାର ବିଜୁଳି ବିଲ୍ ଦେଲେ ଭଦ୍ରକର କାର୍ତିକ ନାଥ ।

295

କନକ ବ୍ୟୁରୋ : ବକେୟା ବିଜୁଳି ବିଲକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ହେଉଥିବା ବେଳେ ଭଦ୍ରକ ଜିଲ୍ଲାରୁ ଆସିଛି ଏମିତି ଏକ ଖବର, ଯାହା ବିଜୁଳି ବ୍ୟବାହାର କରି ବିଲ୍ ଦେଉନଥିବା ଲୋକଙ୍କ ପାଇଁ ଏକ ବଡ଼ ବାର୍ତ୍ତା ଆଣି ଦେଇଛି । ଶନିବାର ଏକ ୩ ଚକିଆ ସାଇକେଲ ଧରି ଭଦ୍ରକ ନେସ୍କୋ ଉପଖଣ୍ଡ କାର୍ଯ୍ୟାଳୟରେ ପହଂଚିଥିଲେ ଜଣେ ଭିକାରି । ତାଙ୍କୁ ଦେଖି ଲୋକେ ଭାବିଥିଲେ ବ୍ୟକ୍ତି ଜଣକ ଭିକ ମାଗିବା ପାଇଁ ଆସିଛନ୍ତି । ହେଲେ, ସେ ଯେତେବେଳେ ମୁଣିରୁ ଅଢ଼େଇ ହଜାର ଟଙ୍କା ବାହାର କରି ସରକାରୀ କର୍ମଚାରୀଙ୍କୁ କହିଲେ, ବାବୁ ମୁଁ ବିଲ୍ ଦେବାକୁ ଆସିଛି, ଟିକେ ରଖି ଦିଅନ୍ତୁ । ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଥିଲା । କ’ଣ ଥିଲା ପୁରା ଘଟଣା ଆସନ୍ତୁ ଜାଣିବା ।

ସାମର୍ଥ୍ୟ ଓ ସମ୍ବଳ ଥାଇ ଅନେକ ଲୋକ ଯେଉଁ କାର୍ଯ୍ୟ କରିବାକୁ ପଛଘୁଂଚା ଦେଉଛନ୍ତି, ବିଜୁଳି ବ୍ୟବହାର କରି ବିଲ୍ ଦେବାକୁ ଅମଙ୍ଗ ହେଉଛନ୍ତି । ସେହିଭଳି ବ୍ୟକ୍ତିଙ୍କ ପାଇଁ ତିନି ଚକିଆ ସାଇକେଲ ଚଢ଼ି ବୁଲି ବୁଲି ଭିକ ମାଗୁଥିବା ଏହି ବ୍ୟକ୍ତି ଏକ ବଡ଼ ବାର୍ତା ଦେଇଛନ୍ତି । ଇଏ ହେଉଛନ୍ତି ସରିପୁର ଗାଁର କାର୍ତିକ ନାଥ । ନିଜେ ଦିବ୍ୟାଙ୍କ ହୋଇଥିବାରୁ ଶାରୀରିକ ପରିଶ୍ରମ କରି ଟଙ୍କା ରୋଜଗାର କରିବାକୁ ସକ୍ଷମ ନୁହଁନ୍ତି । ତେଣୁ ବାଧ୍ୟ ବାଧକତାରେ ବାଛି ନେଇଛନ୍ତି ଭିକ୍ଷାବୃତି । ହେଲେ ତାଙ୍କ ହୃଦୟ ଖୁବ୍ ବଡ଼ ଓ ସେ ବେଶ ସ୍ୱାଭିମାନୀ । ତାହା ହୋଇନଥିଲେ କ’ଣ ଏମିତି ସ୍ୱଇଚ୍ଛାରେ ଆସି ଅଢ଼େଇ ହଜାର ଟଙ୍କାର ବକେୟା ବିଲ୍ ବାନ୍ଧି ଥାନ୍ତେ ।

ଭିକାରି ଭରିଲେ ବକେୟା ବିଲ୍ । ବଡ଼ ବଡ଼ିଆଙ୍କୁ ଦେଖାଇଲେ ବାଟ । ବାକି ଥିବା ଟଙ୍କା ପୈଠ ନକଲେ ବିଦ୍ୟୁତ ବିଭାଗ ଲାଇନ୍ କାଟି ଦେଉଥିବା ଖବର ପାଇ ନେସ୍କୋ କାର୍ଯ୍ୟାଳୟରେ ପହଂଚିଥିଲେ କାର୍ତିକ । ପରିବାରର, ୮ଜଣ ପ୍ରାଣୀଙ୍କ ପେଟରୁ କାଟି ହେଉ ବରଂ ବିଜୁଳି ବିଲ୍ ପୈଠ କରିବେ । ଆଉ ଏହି ନିଷ୍ପତି ନେଇ ବାକି ପଡ଼ିଥିବା ୨ ହଜାର ୫ଶହ ଟଙ୍କା ବିଲ୍ ଦେଇଛନ୍ତି କାର୍ତିକ ।

ସବୁଠାରୁ ବଡ଼ କଥା ହେଉଛି, ଲାଇନ୍ କଟାଯାଉଥିବା ସେସୁ ଅଧିନରେ ଆସୁନାହିଁ କାର୍ତିକଙ୍କ ଗାଁ । ହେଲେ ଜଣେ ଦାୟିତ୍ୱବାନ୍ ଗ୍ରାହକ ଭାବେ ଆସି ସମସ୍ତ ଦେୟ ପୈଠ କରିଛନ୍ତି । ହୁଏତ, କାର୍ତିକଙ୍କ ଏହି କାମ, ତଥାକଥିତ ଅନେକ ବଡ଼ ବଡ଼ିଆ, ଯେଉଁମାନେ ବିଜୁଳି ବିଲ୍ ଦେଉ ନାହାନ୍ତି, ସେମାନଙ୍କ ପାଇଁ ଏକ ବଡ଼ ଉଦହାରଣ ପାଲଟିଛି ।