ନିୟମ ଲାଗୁ କରି ନିଦରେ ପ୍ରଶାସନ ! ଓଭରବ୍ରିଜରେ ଓହଳିଛି ‘ହେଲମେଟ ନିୟମ’, ବିନା ହେଲମେଟରେ ବୁଲୁଛନ୍ତି ବାଇକ୍ ଚାଳକ

163

କନକ ବ୍ୟୁରୋ: କାଲି ଲାଗୁ ହେଲା, ଆଜି ଭଙ୍ଗା ହେଲା । ଓଭରବ୍ରିଜରେ ଓହଳି ରହିଲା ହେଲମେଟ ନିୟମ । ସରକାରୀ ନିୟମକୁ ଫୁ କରି ଓଭରବ୍ରିଜ ଉପରେ ବିନା ହେଲମେଟରେ ବୁଲିଲେ ବାଇକ ଆରୋହୀ । ହେଲମେଟ ପିନ୍ଧିବାକୁ ନିୟମ କଡାକଡି ହୋଇଥିଲେ ମଧ୍ୟ କେହି ମାନିବାକୁ ନାରାଜ । ପ୍ରତି ଦଶ ଜଣରେ ୪ ଜଣଙ୍କୁ ଛାଡିଦେଲେ ଆଉ ୬ ଜଣ ବିନା ହେଲମେଟରେ ଖୁବ ଜୋରରେ ଓଭର ବ୍ରିଜରେ ଗାଡି ଚଳାଉଥିବା ଦେଖିବାକୁ ମିଳିଛି ।

ତେବେ ଭୁବନେଶ୍ୱରରେ ଓଭରବ୍ରିଜ ଉପରେ ଅଧିକ ଦୁର୍ଘଟଣା ହେଉଥିବାରୁ ଆଉ ଅକାଳରେ ଜୀବନ ଯାଉଥିବାରୁ ସମସ୍ତ ବାଇକ ଆରୋହୀଙ୍କ ପାଇଁ ଗତକାଲି ନିୟମ କଡାକଡି କରିଥିଲା ଜିଲ୍ଲା ପ୍ରଶାସନ । ଖଣ୍ଡଗିିରି ଛକରୁ ରସୁଲଗଡ ଯାଏଁ ଲମ୍ବିଥିବା ଓଭରବ୍ରିଜ ଉପରେ ସବୁଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି । ବିଶେଷ କରି ଦ୍ରୁତ ଗତିରେ ଗାଡି ଚଳାଉଥିବା ବାଇକ ଆରୋହୀଙ୍କ ଅଧିକ କ୍ଷତି ହେଉଛି । ତେଣୁ ଦୁର୍ଘଟଣା ରୋକିବାକୁ କାଲି ବଡ ନିୟମ ଲାଗୁ କରିଥିଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ବାଇକ ଚାଳକ ବିନା ହେଲମେଟରେ ଓଭରବ୍ରିଜ ଉପରେ ଯାଇପାରିବେନି ବୋଲି କାଲି ନିୟମ ଲାଗୁ କରାଯାଇଥିଲା ଆଉ ଯିଏ ନିୟମ ଭାଙ୍ଗିବ ତା ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ କୁହାଯାଇଥିଲା ।

ହେଲେ ଆଜି ସ୍ଥିତି ଯଥା ପୂର୍ବଂ ତଥା ପରଂ । ଅର୍ଥାତ ସରକାରୀ ନିୟମ, ନିୟମ ହୋଇ ରହିଯାଇଛି । କାଁ ଭାଁ ବାଇକ ଚାଳକଙ୍କୁ ଛାଡିଦେଲେ ପ୍ରାୟ ଅନେକ ଲୋକ ବିନା ହେଲମେଟରେ ଯିବା ଆସିବା କରୁଛନ୍ତି । ଯଦିଓ କାଲି ନିୟମ ଲାଗୁ ପାଇଁ ଓଭରବ୍ରିଜର ବଡବଡ ଛକରେ ପୋଲିସ ଅଫିସର ଲୋକଙ୍କ ଯାଞ୍ଚ କରୁଥିଲେ ଆଉ ନିୟମ ବାବଦରେ ଅବଗତ କରାଉଥିଲେ । ହେଲେ ଆଜି ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳିନଥିଲା କି କୌଣସି ପୋଲିସଙ୍କୁ ଯାଞ୍ଚ କରିବାର ଚିତ୍ର ମିଳିନଥିଲା । ବରମୁଣ୍ଡା ଛକ ଛାଡିଦେଲେ ଅନ୍ୟ କେଉଁଠି ଯାଞ୍ଚ କରୁନଥିଲେ ପୋଲିସ କର୍ମଚାରୀ । ଆଚାର୍ଯ୍ୟବିହାର, ଜୟଦେବ ବିହାର, ବାଣୀବିହାର ଓ ରସୁଲଗରେ ପୋଲିସ ନଥିବାରୁ ଖୁଲମଖୁଲା ନିୟମ ଉପରେ ଗାଡି ଚଢ଼ାଇ ଦେଉଥିଲେ ଚାଳକ । ଏଥିରୁ ସ୍ପଷ୍ଟ ହେଉଛି କି ନିୟମ ପ୍ରଣୟନ ପରେ ଖାଲି ଲୋକ ନୁହେଁଁ ସରକାରୀ ବାବୁ ବି ଚୁପ୍ ବସିପଡନ୍ତି ।

ତେବେ ବାଣୀବିହାର ଓ ରସୁଲଗଡ ଛକରେ ଆମେ ଅନେକ ସମୟ ଧରି ଅନୁଧ୍ୟାନ କରିବା ପରେ ୪୦ ପ୍ରତିଶତ ଲୋକଙ୍କୁ ହେଲମେଟ ପିନ୍ଧି ବାଇକ ଚଳାଉଥିବା ଦେଖିଥିଲୁ ଆଉ ବାକି ଲୋକ ଖୁଲମଖୁଲା ଭାବେ ବିନା ହେଲମେଟରେ ବୁଲୁଥିଲେ । ଯେଉଁମାନେ ନିୟମ ବାବଦରେ କିଛିଟା ଖବର ରଖିଛନ୍ତି ସେମାନେ ପୋଲିସ ଅଛନ୍ତି କି ନାହିଁ ଆଗେ ଦେଖି ଦେଉଛନ୍ତି । ଯଦି ପୋଲିସ ନାହାନ୍ତି, ତେବେ ହେଲମେଟ ହାତରେ ଧରି ଶହେ ସ୍ପିଡିରେ ଗାଡି ଚଳାଉଛନ୍ତି । ବରମୁଣ୍ଡା ଛକରେ ଯାଞ୍ଚ ହେଉଥିବାରୁ ସେଠି ହେଲମେଟ ପିନ୍ଧିଦେଇ ବରମୁଣ୍ଡା ପାରେଇ ଆସିଲେ ମୁଣ୍ଡରୁ ହେଲମେଟ ଖୋଲି ଦେଉଛନ୍ତି ବାଇକ ଚାଳିକ । ଆଉ ସରକାରୀ ନିୟମକୁ ରାସ୍ତା ଉପରେ ଦଳି ପଳାଉଛନ୍ତି ଯାହା ଦେଖିପାରୁନି ପ୍ରଶାସନ ।