ହେବିୱେଟଙ୍କ ହାତରୁ ଖସିଲା ଗଡ । ଫିକା ପଡିଲା ଅନେକ ତୁଙ୍ଗ ନେତାଙ୍କୁ ଚମକ, ନିରାଶ କଲା ୧୯ ନିର୍ବାଚନର ଫଳାଫଳ ।

441

କନକ ବ୍ୟୁରୋ : ଶେଷ ହୋଇଛି ନିର୍ବାଚନ । ଏଥର ଫଳାଫଳ ଅନେକଙ୍କୁ ତାଜୁବ୍ କରିଛି । କାରଣ ରାଜନୀତିର ମୈଦାନରେ ଅନେକ ହେଭିୱେଟଙ୍କ ହାତରୁ ଖସି ଯାଇଛି ଗଡ । ବୈଜୟନ୍ତଙ୍କ ଠାରୁ ଆରମ୍ଭ କରି ଦାମ ରାଉତ, ଦାସବର୍ମାଙ୍କ ଠାରୁ କନକ ବର୍ଧନ ସଭିଏଁ ଭୋଗିଛନ୍ତି ପରାଜୟ । ସମସ୍ତଙ୍କୁ ଚମକାଇ ଦେବା ଭଳି ଆସିଛି ୨୦୧୯ ନିର୍ବାଚନର ଫଳାଫଳ । ଜନାଦେଶରେ ଅଟକି ଯାଇଛି ରାଜ୍ୟର ଅନେକ ହେଭିୱେଟ୍ ନେତାଙ୍କ ଭାଗ୍ୟ ।

ବୈଜୟନ୍ତ ପଣ୍ଡା :
ତିନି ଥରର ସାଂସଦ । ପ୍ରଚାର କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ପରେ ବି କେନ୍ଦ୍ରାପଡ଼ା ଲୋକସଭା ଆସନରେ ପରାସ୍ତ ହୋଇଛନ୍ତି ବୈଜୟନ୍ତ ପଣ୍ଡା । ବିଜେପି ପ୍ରାର୍ଥୀ ଭାବେ ଲଢ଼ୁଥିବା ପୂର୍ବତନ ସାଂସଦ ବୈଜୟନ୍ତଙ୍କୁ ବିଜେଡିର ଅନୁଭବ ମହାନ୍ତି ଲକ୍ଷାଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଏହି ହାଇପ୍ରୋଫାଇଲ୍ ଆସନରେ ବୈଜୟନ୍ତଙ୍କୁ ଚକମା ଦେଇଛନ୍ତି ଅନୁଭବ ।

ଡାକ୍ତର ଦାମୋଦର ରାଉତ :
୩୫ ବର୍ଷର ବିଧାୟକ । ଅନେକ ଥର ମନ୍ତ୍ରୀ ବି ହୋଇଥିଲେ । ରାଜନୀତି ମୈଦାନର ବେଶ୍ ଅଭିଜ୍ଞ । ହେଲେ ଚଳିତ ନିର୍ବାଚନରେ ଡାକ୍ତର ଦାମୋଦର ରାଉତଙ୍କ ପାଇଁ ବନ୍ଦ ହୋଇଯାଇଛି ବିଧାନସଭାର ରାସ୍ତା । ଦଳବଦଳ ପରେ ବିଜେପି ଟିକଟରେ ବାଲିକୁଦା ଏରସମା ଆସନରୁ ଠିଆ ହୋଇଥିବା ଦାମଙ୍କୁ ମିଳିଛି ପରାଜୟ ।

କେଭି ସିଂହଦେଓ :
ପାଟଣାଗଡ ଆସନ ଥିଲା କେଭି ସିଂଦେଓଙ୍କ ଗଡ । ବଲାଙ୍ଗିର ରାଜ ପରିବାରର ଏଠାରେ ଥିଲା ବଡ ଦବଦବା । ୧୯୯୫ରୁ କ୍ରମାଗତ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ କେଭି । ତେବେ ୩୫ ବର୍ଷର ବିଧାୟକଙ୍କୁ ଏଥର ନିଜ ଗଡରେ ଦେଖିବାକୁ ମିଳିଛି ପରାଜୟର ମୁହଁ । ପାଟଣା ମହାରାଜାଙ୍କୁ ପରାସ୍ତ କରିଛନ୍ତି ବିଜେଡି ପ୍ରାର୍ଥୀ ସରୋଜ ମେହର ।

ପ୍ରସନ୍ନ ଆଚାର୍ଯ୍ୟ :
ତିନି ଥରର ବିଧାୟକ । ସାଂସଦ ବି ଥିଲେ । ପଶ୍ଚିମ ଓଡିଶାର ଅନ୍ୟତମ ହେଭିୱେଟ୍ ନେତା । ହେଲେ ବରଗଡ ଲୋକସଭା ଆସନରେ ଏଥର ଫେଲ୍ ମାରିଛନ୍ତି ବିଜେଡିର ହେଭିୱେଟ୍ ନେତା ପ୍ରସନ୍ନ ଆଚାର୍ଯ୍ୟ । ପ୍ରସନ୍ନ ଆଚାର୍ଯ୍ୟଙ୍କୁ ହରାଇଛନ୍ତି ବିଜେପିର ହେଭିୱେଟ୍ ନେତା ସୁରେଶ ପୂଜାରୀ ।

ମହେଶ୍ୱର ମହାନ୍ତି :
ପୁରୀରେ ଭାଂଗିଲା ୨୫ ବର୍ଷର ଗଡ । ୩ ଥରର ବିଧାୟକ, ମନ୍ତ୍ରୀ ବି ହୋଇଛନ୍ତି । ଏହା ପରେ ବି ଏଥର ମହେଶ୍ୱରଙ୍କ ବିଜୟ ରଥରେ ବ୍ରେକ୍ ଲଗାଇଛି ବିଜେପି । ପୁରୀ ବିଧାନସଭା ଆସନରେ ମହେଶ୍ୱର ମହାନ୍ତିଙ୍କୁ ହରାଇଛନ୍ତି ବିଜେପିର ଜୟନ୍ତ ଷଡଙ୍ଗୀ ।

ସଂଜୟ ଦାସବର୍ମା :
୨ ଥରର ବିଧାୟକ । ବ୍ରହ୍ମଗିରି ଥିଲା ତାଙ୍କର ଅପରାଜେୟ ଗଡ । ମୁଖ୍ୟମନ୍ତ୍ରୀ ବି ପ୍ରଚାର କରିଥିଲେ । ଏହା ପରେ ବି ଗଡ ବଂଚାଇବାରେ ଫେଲ୍ ମାରିଛନ୍ତି ବିଜେଡି ହେଭିୱେଟ୍ ନେତା ସଂଜୟ ଦାସବର୍ମା । ପୁରୀ ପରି ବ୍ରହ୍ମପୁର ଆସନ ବି ବିଜେଡି ହାତରୁ ଖସିଛି । ସଂଜୟ ଦାସବର୍ମାଙ୍କୁ ହରାଇଛନ୍ତି ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ।

ନିରଂଜନ ପଟ୍ଟନାୟକ :
ଓଡିଶା କଂଗ୍ରେସର ସବୁଠୁ ହେଭିୱେଟ୍ ନେତା । ୩୦ରୁ ଅଧିକ ବର୍ଷର ଅଭିଜ୍ଞତା । ଏହା ପରେ ବି ବିଧାନସଭା ନିର୍ବାଚନରେ ପରାଜୟର ମୁହଁ ଦେଖିଛନ୍ତି ନିରଂଜନ ପଟ୍ଟନାୟକ । ଚଳିତ ଥର ଉଭୟ ଘସିପୁରା ଓ ଭଣ୍ଡାରୀପୋଖରୀରୁ ଠିଆ ହୋଇଥିଲେ ମଧ୍ୟ ନିରଂଜନ, ୨ଟି ଯାକ ଆସନରୁ ପରାଜୟର ମୁହଁ ଦେଖିଛନ୍ତି ନିରଂଜନ ।

ରବୀନ୍ଦ୍ର ଜେନା :
ବାଲେଶ୍ୱର ରାଜନୀତିରେ ବିଜେଡିର ଅନ୍ୟତମ ହେଭିୱେଟ୍ ନେତା ରବୀନ୍ଦ୍ର ଜେନା । ଗତଥର ପ୍ରତାପ ଜେନାଙ୍କୁ ହରାଇ ଯାଇଥିଲେ ସଂସଦକୁ । ହେଲେ ଏଥର କିନ୍ତୁ ମାତ୍ ଖାଇଛନ୍ତି । ବିଜେପି ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀଙ୍କ ଠାରୁ ଏଥର ପରାସ୍ତ ହୋଇଛନ୍ତି ରବୀନ୍ଦ୍ର ଜେନା । ଆଉ ଏଥି ସହିତ ରବୀନ୍ଦ୍ର ଜେନାଙ୍କ କ୍ରମାଗତ ଦୁଇ ଥର ସଂସଦକୁ ଯିବା ରାସ୍ତା ବି ବନ୍ଦ ହୋଇଯାଇଛି ।