ପ୍ରଚାର ମଇଦାନରେ ହେଭିୱେଟ୍ ! ପରସ୍ପରକୁ ଟାର୍ଗେଟ୍ କରି ଭୋଟ ହାତେଇବାକୁ ରଣନୀତି ।  ରାହୁଲଙ୍କ ପାଇଁ ପ୍ରିୟଙ୍କାଙ୍କ ପ୍ରଚାର, ସେପଟେ ମମତାଙ୍କୁ ମୋଦିଙ୍କ ଟାର୍ଗେଟ୍ । 

58

କନକ ବ୍ୟୁରୋ : ଲୋକସଭା ତୃତୀୟ ପ୍ରର୍ଯ୍ୟାୟ ନିର୍ବାଚନ ତାରିଖ ଯେତିକି ପାଖଉଛି ପ୍ରଚାର ମଇଦାନ ସେତିକି କମ୍ପୁଛି । କଳ ବଳ କୌଶଳେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରାଜନୈତିକ ଦଳଗୁଡିକ ଜୋରଦାର ପ୍ରଚାର ଚଳାଇଛନ୍ତି । ଆଜି ପଶ୍ଚିମବଙ୍ଗ ଓ ବିହାରରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ ଭଳି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ କେରଳର ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି । ପ୍ରଚାରରେ ରେସରେ ଅଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ।

ପ୍ରଚାର ମଇଦାନରେ ହେଭିୱେଟ୍ । ପଶ୍ଚିମବଙ୍ଗର ଓ ବିହାରର ବିଭିନ୍ନ ସ୍ଥାନରେ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମବଙ୍ଗ ନିର୍ବାଚନୀ ସଭାରୁ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରି ସ୍ପିଡବ୍ରେକର ଦିଦି ବୋଲି କହିଛନ୍ତି ମୋଦି । ପଶ୍ଚିମବଙ୍ଗରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ପରେ ବିହାରରେ ପହଂଚିଥିଲେ ମୋଦି । ବିହାରରେ ପୁଣି ଥରେ ମଂଚରେ ଏକାଠି ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ ନିତିଶ କୁମାର ଓ ପ୍ରଧାନମନ୍ତ୍ରୀ ମୋଦି । ଅରରିଆ ରାଲିକୁ ମିଳିତ ଭାବେ ସମ୍ବୋଧିତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ମୋଦି ଓ ନିତିଶ ।

ରାହୁଲଙ୍କ ପାଇଁ କେରଳରେ ପ୍ରଚାର କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ୱାୟନାଡ ଓ ମଲ୍ଲପୁରମରେ ପ୍ରଚାର କରି ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ମହାସଚିବ । ପ୍ରିୟଙ୍କା କହିଛନ୍ତି, ମୋଦି ସରକାର ଦେଶବାସୀଙ୍କୁ ଧୋକା ଦେଇଛି । ରାହୁଲଙ୍କ ପ୍ରଂଶସା କରି ପ୍ରିୟଙ୍କା କହିଛନ୍ତି, ରାହୁଲ ଗାନ୍ଧୀଙ୍କ ମନରେ ଆକ୍ରୋଶ କିମ୍ବା ଘୃଣା ଭାବନା ନାହିଁ । ଜୀବନରେ ଅନେକ ଉଥାନପତନ ଓ ସଂଘର୍ଷ ସହ ନିଜ ପାଇଁ ଏକ ମଜୁବୁତ ସ୍ଥାନ ତିଆରି କରିଛନ୍ତି ରାହୁଲ । ସେପଟେ ଉତ୍ତରପ୍ରଦେଶରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

କର୍ଣ୍ଣାଟକ ଓ କେରଳରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । କର୍ଣ୍ଣାଟକ ଶିବମୋଗାରେ ଶାହା ବିଶାଳ ରୋଡ ଶୋ କରି ବିଜେପିର ଶକ୍ତି ପ୍ରଦର୍ଶନ କରିବା ସହ ଜନସଭାକୁ ସମ୍ବୋଧିତ କରିଛନ୍ତି । ସେପଟେ ଉତ୍ତରପ୍ରଦେଶ ରାମପୁରରେ ଆଜି ସପା ଓ ବିଏସପିର ମିଳିତ ରାଲି ଦେଖିବାକୁ ମିଳିଛି । ବିଏସପି ମୁଖ୍ୟ ମାୟାବତୀ ଓ ସପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ମିଳିତ ଭାବେ ରାମପୁର ରାଲିକୁ ସମ୍ବୋଧିତ କରିଛନ୍ତି । ରାଲିରେ ଉଭୟ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମାୟାବତୀ । ନିର୍ବାଚନ କମିଶନଙ୍କ ୩ ଦିନିଆ କଟକଣା ଉଠିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାରାଥନ ପ୍ରଚାର ଜାରି ରହିଛି । ଉତ୍ତରପ୍ରଦେଶରେ ପ୍ରଚାର କରି ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ଯୋଗୀ ।