ବର୍ଷା ବିତ୍ପାତ ଜାରି: ପୁରୀରେ ସ୍ଥିତି ବେହାଲ, ବିଭିନ୍ନ ସ୍ଥାନରେ ବର୍ଷାର ସ୍ଥିତି ନେଇ ଡେପ୍ୟୁଟି ଏସଆରସିଙ୍କ ସୂଚନା

28

କନକ ବ୍ୟୁରୋ: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷାର ବିତ୍ପାତ ଜାରି । ଅନ୍ୟପଟେ ଲଗାଣ ବର୍ଷା ପ୍ରଭାବରେ କଟକ, ଭୁବନେଶ୍ୱର. ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ପୁରୀରେ ସର୍ବାଧିକ ୩୦୫ ମିିଲିମିଟର କେର୍ଡ ବର୍ଷା ହୋଇଛି । ସେହିପରି ଖୋର୍ଦ୍ଧାରେ ୧୫୯ ମିଲିମିଟର ହୋଇଥିବାବେଳେ କଟକରେ ୧୪୫ ମିଲିମିଟର ବର୍ଷା ହୋଇଛି ବୋଲି ଡେପ୍ୟୁଟି ଏସଆରସି ପ୍ରଭାତ ମହାପାତ୍ରଙ୍କ ସୁଚନା ।

ତେବେ ଲଘୁଚାପ ପ୍ରଭାବରେ ଆହୁରି ୨୪ ଘଂଟା ପର୍ଯ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହା ସହ କିଛି ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ହେବ ବୋଲିି ଆଶଙ୍କା କରିଛି ପାଣିପାଗ ବିଭାଗ । ସେପଟେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ, କଟକ, ସମ୍ବଲପୁର, ଦେବଗଡ଼ ଭଳି ୧୦ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।

ଲଗାଣ ବର୍ଷା ଯୋଗୁଁ ସମୁଦ୍ର ଅଶାନ୍ତ ରହିବ, ସେଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ଲାଗି ବାରଣ କରାଯାଇଛି । ଆସନ୍ତାକାଲି ଠାରୁ ବର୍ଷା କମିପାରେ ବୋଲି ଆକଳନ କରାଯାଇଛି । ତେବେ ୧୦ ତାରିଖ ବେଳକୁ ଉତ୍ତର ଓଡ଼ିଶା ଓ ପଶ୍ଚିମବଂଗ ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।