କନ୍ଧମାଳରେ ବି ଲଗାଣ ବର୍ଷା ଜାରି। ଗୋପାଳପୁର-ରାୟପୁରରେ ଧୋଇଗଲା ୨ଟି ଡାଇଭର୍ସନ। କଳାହାଣ୍ଡିରେ ଭାସିଗଲା ଟାଟା ମ୍ୟାଜିକ୍, ଜଣେ ନିଖୋଜ୍

468

କନକ ବ୍ୟୁରୋ: କନ୍ଧମାଳରେ ବି ଜାରି ରହିଛି ଲଗାଣ ବର୍ଷା । ଫଳରେ ରାହୁଳ, ଉତେଇ, ଚାଉଳ ଧୁଆ, ଖଡଗ, ପିଲାସାଲୁଙ୍କି ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ଏହି ସବୁ ନଦୀର ତଳିଆ ଅଂଚଳରେ ରହିଥିବା ବିଭିନ୍ନ ପଂଚାୟତରେ ପାଣି ପଶି ଯାଇଛି । ଲଙ୍କାଗଡ, ଝିରିପାଣି, ଭଣ୍ଡାରଙ୍ଗି ତିନି ପଂଚାୟତ ପାଣି ଘେରରେ ରହିଛି ।

ଅନ୍ୟପଟେ ଗୋପାଳପୁର-ରାୟପୁର ୫୯ ନଂ ଜାତୀୟ ରାଜପଥର ଦୁଇ ଡାଇଭର୍ସନ ଧୋଇଯାଇଥିବାରୁ ପଡୋଶୀ ଜିଲ୍ଲା ରାୟଗଡା, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ସମେତ ପଡୋଶୀ ରାଜ୍ୟ ଛତିଶଗଡକୁ ଯୋଗାଯୋଗ ବିଛିନ୍ନ ହୋଇଛି । ସେହିପରି କନ୍ଧମାଳ ଜିଲ୍ଲା ମୁଖ୍ୟାଳୟରୁୁ ତୁମୁଡିବନ୍ଧ, କୋଟଗଡ ବ୍ଲକକୁ ଯୋଗାଯୋଗ ବିଛିନ୍ନ ହୋଇଛି ।

ସେହିଭଳି କଳାହାଣ୍ଡିରେ ବି ଦେଖିବାକୁ ମିଳିଛି ବନ୍ୟାର ପ୍ରକୋପ । ଲଗାଣ ବର୍ଷା ଯୋଗୁଁ ଫୁଲୁଛି ନଦୀ । ବର୍ଷା ପାଣିରେ କେଉଁଠି ପୋଲ ଉପରେ ପାଣି ଚାଲିଲାଣି ତ ପୁଣି କେଉଁଠି ଗାଡି ଭାସିଗଲାଣି । ତେବେ ଏଭଳି ପରିସ୍ଥିତିରେ ଏକ ଟାଟା ମ୍ୟାଜିକ ମଧ୍ୟ ଭାସି ଯାଇଥିବା ଖବର ଆସିଛି । ଆଉ ସୌଭାଗ୍ୟବଶତଃ ବର୍ତିଯାଇଛନ୍ତି ଗାଡି ଚାଳକ । କଳାହାଣ୍ଡି ମଦନପୁର ରାମପୁର ବ୍ଲକ ମୋହନଗିରୀ ନିକଟସ୍ଥ କାଳୀଗଙ୍ଗା ନଦୀରେ ଭାସିଯାଇଛି ଏକ ଟାଟା ମ୍ୟାଜିକ । ଟାଟା ମ୍ୟାଜିକ ବାଲିଗୁଡାରୁ ମଦନପୁର ରାମପୁର ଫେରୁଥିଲା । ଏହି ସମୟରେ ପାଣିର ସ୍ରୋତରେ ଭାସିଯାଇଥିଲା କାର ।