ଶୀତରେ ଥରୁଛି ଉତ୍ତର ଭାରତ ! ମାଇନସ୍ ୧୮ ଡିଗ୍ରୀ ସେଲସିଅସକୁ ଖସିଲା କାର୍ଗିଲ ତାପମାତ୍ରା, ପର୍ଯ୍ୟଟକ ନେଉଛନ୍ତି ମଜା ।

148

କନକ ବ୍ୟୁରୋ : ଜାଡରେ ଥରୁଛି ଉତ୍ତର ଭାରତ । ଜାମ୍ମୁକାଶ୍ମୀର, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ବରଫପାତ ଜାରି ରହିଛି । କାରଗିଲ ସେକ୍ଟରରେ ତାପମାତ୍ରା ମାଇନସ ୧୮ଡିଗ୍ରୀ ପର୍ଯ୍ୟନ୍ତ ପହଂଚିଛି । ପ୍ରବଳ ବରଫପାତ ଯୋଗୁଁ ସ୍ଥାନୀୟ ଲୋକଙ୍କ ଜୀବନ ଯାତ୍ରା ପ୍ରଭାବିତ ହୋଇଥିବା ବେଳେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ସେପଟେ ଆଉ ଦୁଇ ଦିନ ଏଭଳି ବରଫପାତ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି  ।

ଖସୁଛି ପାରଦ ବଢୁଛି ଶୀତ । ମାଇନସ୍ ଡିଗ୍ରୀରେ ଥରୁଛି ଜାମ୍ମୁ ଓ କାଶ୍ମୀର । ଘାଟିରେ ବରଫର ମୋଟା ଆସ୍ତରଣ । ଭାରତର ଭୂସ୍ୱର୍ଗ ଜାମ୍ମୁ କାଶ୍ମୀର  । ପାରଦ ଖସୁଥିବା ଯୋଗୁଁ ଏଠାରେ ଲଗାତର ଭାବେ ତୁଷାରପାତ ହେଉଛି । ଶ୍ରୀନଗରରେ ୨୫ସେଂଟିମିଟର  ପର୍ଯ୍ୟନ୍ତ ତୁଷାରପାତ ହୋଇଥିବା ରେକର୍ଡ କରାଯାଇଛି । ସହରରେ ତାପମାତ୍ରା ମାଇନସ ୩.୨ ଥିବା ବେଳେ କାରଗିଲ ଓ ରଜୌରୀ ଅଂଚଳରେ ବି ଜାରି ରହିଛି ବରଫପାତ ।

ଗୁଲମର୍ଗରେ ପାରଦ ଖସୁଥିବା ବେଳେ ପହଲଗାମରେ ବି ୪୦ସେଂଟିମିଟର ପର୍ଯ୍ୟନ୍ତ ତୁଷାରପାତ ହୋଇଛି । ସେପଟେ ତୁଷାରପାତ ଯୋଗୁଁ ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥ ବନ୍ଦ ରହିଛି । ମାଇନସ୍ ଡିଗ୍ରୀ ତାପମାତ୍ରା ରହିବା କାରଣରୁ ଜାମ୍ମୁ କାଶ୍ମୀରର ଅଧିକାଂଶ ଭାଗରେ ଏବେ ବରଫର ମୋଟା ଆସ୍ତରଣ  । ଗତ କିଛି ଦିନ ହେଲା ଜାମ୍ମୁ କାଶ୍ମୀରରେ ଶୀତର ଭୟଙ୍କର ପ୍ରକୋପ ଲାଗିରହିଛି  ।

ଦେଖିବା କାଶ୍ମୀରର କେଉଁ ସ୍ଥାନର କେତେ ରହିଛି ତାପମାତ୍ରା ?

ଶ୍ରୀନଗର – (ମାଇନସ୍) ୩.୨ ଡିଗ୍ରୀ ସେଲସିୟସ୍

ଗୁଲମର୍ଗ – (ମାଇନସ୍) ୧୦ ଡିଗ୍ରୀ ସେଲସିୟସ୍

ଦ୍ରାସ୍ – (ମାଇନସ୍) ୨୧.୧ ଡିଗ୍ରୀ ସେଲସିୟସ୍

ଲେହ୍ – (ମାଇନସ୍) ୧୪.୫ ଡିଗ୍ରୀ ସେଲସିୟସ୍

କାର୍ଗିଲ୍ – (ମାଇନସ୍) ୧୮.୬ ଡିଗ୍ରୀ ସେଲସିୟସ୍

ପହଲଗାମ – (ମାଇନସ୍) ୬.୮ ଡିଗ୍ରୀ ସେଲସିୟସ୍

ହିମାଚଳ ପ୍ରଦେଶର ଲାହୌଲ ସ୍ପିତି ଅଂଚଳ । ବରଫ ଚାଦର ତଳେ ଏବେ ଘୋଡ଼େଇ ରହିଛି ଲାହୌଲ ସ୍ପିତି । ସିମଲା, କୁଲ୍ଲୁ, ମନାଲି ଆଦି ଅଂଚଳରେ ବି ବରଫପାତ ଲାଗିରହିଛି । ଘରଦ୍ୱାର, ଗଛଲତା ସବୁକିଛି ବରଫମୟ ହୋଇପଡ଼ିଛି । ବରଫପାତ ଯୋଗୁଁ ସ୍ଥାନୀୟ ଲୋକଙ୍କ ସାଧାରଣ ଜୀବନଚର୍ଯ୍ୟା ବାଧାପ୍ରାପ୍ତ ହୋଇଛି । ଏବେ କେବଳ ଅପେକ୍ଷା ପାଣିପାଗର ମିଜାଜ୍ ବଦଳିବାକୁ କାରଣ ଶୀତରୁ ସମସ୍ତଙ୍କୁ ଦରକାର ମୁକ୍ତି ।