ଜାଡରେ ଥରୁଛି ସାରା ଓଡିଶା । ୧୫ଟି ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳେ, ପାଣିପାଗ ବିଭାଗର ସୂଚନା, ଆହୁରି ବଢିବ ଶୀତ

41

କନକ ବ୍ୟୁରୋ: ହାଡଭଙ୍ଗା ଜାଡରେ ଥରୁଛି ସାରା ଓଡିଶା । ରାଜ୍ୟର ପନ୍ଦରଟି ସହରର ତାପମାତ୍ରା  ୧୦ ଡିଗ୍ରୀ ତଳେ ପହଁଂଚିଛି । ଦାରିଙ୍ଗିବାଡିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀରେ ପହଁଂଚିଛି । ସେହିଭଳିି ଫୁଲବାଣୀର ତାପମାତ୍ରା ୩.୫ ଡିଗ୍ରୀ ରହିଛି । ସୁନ୍ଦରଗଡର ତାପମାତ୍ରା ୫.୫ ଡିଗ୍ରୀ ହୋଇଛିି । ଫଳରେ ଜନଜୀବନ ବେହାଲ ହୋଇଛି ।

ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଶୀତ ଆହୁରି ବଢ଼ିବାର ଆଶଙ୍କା ରହିଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡିଶା ଓ ଦକ୍ଷିଣ ଓଡିଶାରେ ଶୀତର ପ୍ରକୋପ ବଢ଼ିବ । ଏପରି ସ୍ଥିତି ଆସନ୍ତା  ୧୧ତାରିଖ ପର୍ଯ୍ୟନ୍ତ ଲାଗି ରହିବ ଓ ୧୨ ତାରିଖ ପରେ ଥଣ୍ଡା ଆହୁରି ବଢ଼ିବ । ଆସନ୍ତା ୧୨ରୁ ୧୪ ତାରିଖ ଯାଏଁ ରାତିରେ ତାପମାତ୍ରା ଆହୁରି କମିବ । ତେବେ ସପ୍ତାହେ ପରେ ଥଣ୍ଡା କମିବା ସହ ପ୍ରାୟ ୩ ଡିଗ୍ରୀ ତାପମାତ୍ରା ବଢ଼ିବା ସମ୍ଭାବନା ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ଲଗାତାର ସପ୍ତାହେ ହେଲା ଥରୁଛି ସାରା ଓଡ଼ିଶା । ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ଲଗାତାର ଭାବେ ତାପମାତ୍ରା ୩ ଡିଗ୍ରୀ ତଳେ ରହୁଥିବା ବେଳେ ଗତକାଲି ସମସ୍ତ ସହରର ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସି ଆସିଛି । ପୁଣିଥରେ ଦାରିଙ୍ଗବାଡ଼ିର ତାପମାତ୍ରା ୩ ୩ ଡିଗ୍ରୀକୁ ହ୍ରାସ ପାଇଛି । ଫୁଲବାଣୀରେ ପାରଦ ୩.୫ ୩ ଡିଗ୍ରୀରେ ରହିଛି । କେତେକ ସ୍ଥାନରେ ହାଲକା କୁହୁଡ଼ି ଜାରି ରହିଛି । ଦାରିଙ୍ଗବାଡି, ଜି.ଉଦୟଗିରି, ବେଲଘର ଅଞ୍ଚଳରେ କେତେକ ସ୍ଥାନରେ ତୁଷାରପାତ ଦେଖିବାକୁ ମିଳୁଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପାଗରେ ସେତେଟା ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଗୋଟିଏ ଦୁଇ ଡିଗ୍ରୀ ଏପାଖ ସେପାଖ ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଦାରିଙ୍ଗବାଡ଼ି ଓ ଫୁଲବାଣୀକୁ ଛାଡ଼ି ଦେଲେ ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରେ ୫.୫, କେନ୍ଦୁଝରଗଡ଼ରେ ୭.୪, ଭବାନୀପାଟଣାରେ ୭.୫, ଅନୁଗୁଳରେ ୭.୬, ଝାରସୁଗୁଡ଼ାରେ ୭.୮, ହୀରାକୁଦରେ ୮.୩, ସୋନପୁର ଓ ବଲାଙ୍ଗିରରେ ୮.୫, ବାରିପଦାରେ ୮.୬, ସମ୍ବଲପୁରରେ ୮.୯, ବାଲେଶ୍ୱର ଓ ଢ଼େଙ୍କାନାଳରେ ୯.୩, ତାଳଚେରରେ ୯.୯ ଡିଗ୍ରୀ ରେକର୍ଡ ହୋଇଛି । କୋରାପୁଟ ଓ ଟିଟିଲାଗଡ଼ର ତାପମାତ୍ରା ୧୦ ଡିଗ୍ରୀ ରହିଛି । କଟକର ତାପମାତ୍ରା ଗୋଟିଏ ଡିଗ୍ରୀ ବୃଦ୍ଧି ପାଇ ୧୧ରେ ପହଞ୍ଚିଥିବା ବେଳେ ଭୁବନେଶ୍ୱର ତାପମାତ୍ରା ୧୦.୬ ଡିଗ୍ରୀକୁ ଖସି ଆସିଛି । ଚାନ୍ଦବାଲିରେ ୧୦.୮, ପୁରୀରେ ୧୩.୨, ପାରାଦୀପ ଓ ଗୋପଳପୁରରେ ୧୩.୫, ମାଲକାନଗିରିରେ ୧୩.୬ ଡିଗ୍ରୀ ରହିଥିଲା।