ବଢ଼ିବ ତାତି, ସିଝିବ ଓଡିଶା: ରାଜ୍ୟରେ ଆହୁରି ୨ରୁ ୩ ଡିଗ୍ରୀ ବଢିବ ତାତି; ୧୩ଟି ସହରର ପାରଦ ୪୦ ଉପରେ

ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ୪୫.୫ ଡିଗ୍ରୀ ରେକର୍ଡ

1,928

କନକ ବ୍ୟୁରୋ: ରାଜ୍ୟରେ ଆହୁରି ୨ରୁ ୩ ଡିଗ୍ରୀ ବଢ଼ିବ ତାତି । ଏଭଳି ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଅନୁଗୁଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଆଗାମୀ ୪ ଦିନ ପାଇଁ କିଛି ଜିଲ୍ଲାରେ ତାପମାତ୍ରା ବଢ଼ିବାର ଆଶଙ୍କା ରହିଛି । ଏଥି ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଅନୁଗୁଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଗତକାଲି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା । ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡରେ ସର୍ବାଧିକ ୪୫ ଦଶମିକ ୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିିଲା । ସେହିଭଳି ଭବାନୀପାଟଣାରେ ୪୪ ଦଶମିକ ୨ ଡିଗ୍ରୀ , ତାଳଚେରରେ ୪୩ ଦଶମିକ ୮ ଡିଗ୍ରୀ, ବଲାଙ୍ଗୀରରେ ୪୩ ଦଶମିକ ୫ ଡିଗ୍ରୀ , ମାଲକାନଗିରିରେ ୪୩ ଡିଗ୍ରୀ, ସମ୍ବଲପୁରରେ ୪୨ ଦଶମିକ ୬ ଡିଗ୍ରୀ, ବୌଦ୍ଧରେ ୪୨ ଦଶମିକ ୫ ଡିଗ୍ରୀ, ହୀରାକୁଦ, ସୋନପୁର, ଝାରସୁଗୁଡାରେ ୪୨ ଦଶମିକ ୨ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୨ ଡିଗ୍ରୀ ଓ ଫୁଲବାଣୀରେ ୪୧ ଦଶମିକ ୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।