ଆଷାଢ଼ ମାସରେ ବୈଶାଖର ତାତି ! ୮ଟି ଜିଲ୍ଲା ପାଇଁ ହିଟୱେଭ ସର୍ତକତା ଜାରି କଲା ପାଣିପାଗ ବିଭାଗ

37

କନକ ବ୍ୟୁରୋ : ମୌସୁମୀରେ ଗ୍ରୀଷ୍ମ ପ୍ରବାହ । ୨୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏହି ଗ୍ରୀଷ୍ମ ପ୍ରବାହ । ମୌସୁମୀ ଓଡ଼ିଶାରେ ଛୁଇଁଥିଲେ ସୁଦ୍ଧା ଏବେ ବି ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା । ମୌସୁମୀ ଦୁର୍ବଳ ହେବାରୁ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି କହିଛି ଆଂଚଳିକ ପାଣିପାଗ ବିଭାଗ । ଏଥିପାଇଁ ୮ଟି ଜିଲ୍ଲାରେ ଆଗାମୀ ୪୮ ଘଂଟା ପାଇଁ ସତର୍କତା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା, ଅନୁଗୁଳ, ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲା ପାଇଁ ଏହି ସତର୍କତା ଜାରି କରାଯାଇଛି ।

ମୌସୁମୀ ଆସିଥିଲେ ବି ତିନି ଦିନ ହେଲାଣି ଲଗାତାର ଭାବରେ ଅସହ୍ୟ ତାତି ଅନୁଭୂତ ହେଉଛି । ସତେ ଯେମିତି ମୌସୁମୀ କୋଉଠି ହଜି ଯାଇଛି । ଆଜି ବି ରାଜ୍ୟର ୮ଟି ଜିଲ୍ଲାର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା । ଏଥର ଓଡ଼ିଶାରେ ଶୀଘ୍ର ମୌସୁମୀ ଆସିଥିଲେ ମଧ୍ୟ ପ୍ରବଳ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆଉ ଏସବୁ ଭିତରେ ବଢ଼ିଲା ଖରା ଛୁଟି । ଜୁନ୍ ୧୮ ବଦଳରେ ୨୧ରେ ଖୋଲିବ ସ୍କୁଲ୍ । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ୩ଦିନ ଛୁଟି ବଢ଼ାଇବାକୁ ଘୋଷଣା କରିଛନ୍ତି ସରକାର । ଗ୍ରୀଷ୍ମପ୍ରବାହକୁ ଆଖିରେ ରଖି ଏହି ନିଷ୍ପତି ନିଆଯାଇଛି । ଏବଂ ଆଗକୁ ଯଦି ଏହିଭଳି ତାତି ଲାଗିରହେ ତେବେ ପରବର୍ତି ନିଷ୍ପତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର । ପୂର୍ବରୁ ଜୁନ୍ ୧୭ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା । ଆସନ୍ତା ସୋମବାର ସ୍କୁଲ ଖୋଲିବାର ଥିଲା । ମୌସୁମୀ ଆସିଥିଲେ ବି ଗତ ଦୁଇଦିନ ହେଲା ପ୍ରବଳ ଗୁଳିଗୁଳି ଅନୁଭୂତ ହେଉଛି । ତେଣୁ ଏଭଳି ନିଷ୍ପତି ନେଇଛନ୍ତି ସରକାର ।