ଆକାଶରୁ ଅଗ୍ନିବର୍ଷା ! ରହି ହେଉନି କି ସହି ହେଉନି, ରାଜ୍ୟରେ ୧୦ ସହରରେ ୪୦ ଉପରେ ତାପମାତ୍ରା

40

କନକ ବ୍ୟୁରୋ : ସାରା ଓଡିଶାରେ ଅସହ୍ୟ ଗରମ ଓ ଗୁଳୁଗୁଳି । ଆଜି ୪୨ ଦଶମିକ ୩ ଡିଗ୍ରୀରେ ସିଝିଛି ଭୁବନେଶ୍ୱର । ପାଲଟିଛି ରାଜ୍ୟର ସବୁଠୁ ଉତପ୍ତ ସହର । ଉପକୂଳରୁ ପଶ୍ଚିମ ସବୁଠି ନିଆଁ ବର୍ଷୁଛି । ଏହାରି ଭିତରେ ତାତିକୁ ଆହୁରି ବଢାଇଦେଇଛି ଘନ ଘନ ବିଜୁଳି କାଟ୍ । ସେପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତା ୨୫ ତାରିଖ ଯାଏଁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।
ଜୁନରେ ଜଳୁଛି ସାରା ଓଡିଶା । ଉପକୂଳରୁ ପଶ୍ଚିମ, ଉତରରୁ ଦକ୍ଷିଣ । ଚାରିଆଡେ ଅଗ୍ନିବର୍ଷା । ପାରଦ ୪୨ ଡେଇଁଲାଣି । ସବୁଠୁ ଉତପ୍ତ ପାଲଟିଛି ଭୁବନେଶ୍ୱର । ପାଣିପାଗ ବିଭାଗ କହିଛି, ପଶ୍ଚିମରୁ ଆସୁଥିବା ତତଲା ପବନ, ତାତି ବଢାଇଦେଇଛି । ଯାହା ଆସନ୍ତା ୨୫ ତାରିଖ ଯାଏଁ ଲାଗି ରହିବ ।

ଅସହ୍ୟ ଖରାରେ ଡହଳ ବିକଳ ହେଉଛନ୍ତି ରାଜ୍ୟବାସୀ । ଏଭଳି ସ୍ଥିତିରେ ନିଦ ହଜାଇଦେଇଛି ବିଜୁଳି କାଟ୍ । ନା ପଦାକୁ ବାହାରି ହେଉଛି ନା ଘରେ ବସି ହେଉଛି । କାନ୍ଥ-ବାଡ ତାତି ଉଠୁଛି, ଦେହରୁ ଝାଳ ବୋହିଯାଉଛି । କେମିତି କେମିତି ଦିନ କଟିଯାଉଛି ହେଲେ ରାତିରେ ବିନା ବିଜୁଳିରେ ଅସମ୍ଭାଳ ହୋଇପଡୁଛି ଗରମ । ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ବି ଘଂଟା ଘଂଟା ଧରି ଗାଏବ ହୋଇଯାଉଛି ବିଦ୍ୟୁତ୍ । ସେପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବଢିଛି ସ୍କୁଲ୍ ଛୁଟି । ଆସନ୍ତା ୨୫ ତାରିଖ ଯାଏଁ ସମସ୍ତ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । ଏଣିକି ୨୧ ବଦଳରେ ୨୬ ତାରିଖରେ ଖୋଲିବ ସ୍କୁଲ୍ ।

ପ୍ରବଳ ଗରମ ଓ ଗୁଳୁଗୁଳି ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ଭୁବନେଶ୍ୱରରେ ଅପରାହ୍ନରେ ଝଡତୋଫାନ୍ ସହ ଅସରାଏ ବର୍ଷା ଲୋକଙ୍କ ମଧ୍ୟରେ କିଛିଟା ଆଶ୍ୱସ୍ତି ଆଣିଛି ।