ହକି ବିଶ୍ୱକପ୍ ପାଇଁ ବଢୁଛି ହୃଦ୍ ସ୍ପନ୍ଦନ ! ପହଁଚିଲେ ମାଧୁରୀ, ଅପେକ୍ଷା ଶାହାରୁଖଙ୍କୁ, ସଲମାନଙ୍କୁ ନେଇ ବଢୁଛି ଉତ୍କଣ୍ଠା ।

280

କନକ ବ୍ୟୁରୋ : ବିଶ୍ୱର ବଡ ବଡ ହକି ତାରକାଙ୍କ ସହ ଗୋଟିଏ ମଂଚରେ ନଜର ଆସିବେ ବଲିଉଡର ଏକାଧିକ ସୁପରଷ୍ଟାର । କିଙ୍ଗ ଖାନ୍ ଶାହରୁଖ, ଧକ୍ ଧକ୍ ଗାର୍ଲ ମାଧୁରୀ ଦିକ୍ଷିତ ଏବଂ ଓସ୍କାର ବିଜେତା ଏ.ଆର୍ ରେହମାନ । ହକି ବିଶ୍ୱକପର ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ ପାଇଁ ଆଜି ଭୁବନେଶ୍ୱରରେ ପହଁଚିଛନ୍ତି ମାଧୁରୀ ଦିକ୍ଷୀତ । ଆସନ୍ତାକାଲି ମଂଚରେ ମାଧୁରୀ ୪୦ ମିନିଟ୍ ଧରି ନୃତ୍ୟ ପରିବେଷଣ କରିବେ । ଶାହାରୁଖ ବି ଦର୍ଶକଙ୍କ ମନ ମୋହିବେ । ଏସବୁ ଭିତରେ ଚର୍ଚ୍ଚା ହେଉଛି ୨୮ ତାରିଖରେ କଟକରେ ହେବାକୁ ଥିବା ହକି ଉଦଘାଟନୀ ମ୍ୟାଚ୍ ସମାରୋହରେ ଆସିପାରନ୍ତି ବଲିଉଡ୍ ଭାଇଜାନ୍ ସଲମାନ ଖାନ ।

କଳିଙ୍ଗରେ କିଙ୍ଗ୍ ଖାନ୍ । ବାରବାଟୀରେ ଭାଇଜାନ୍ ? ଧମକା କରିବେ ଧକ୍ ଧକ୍ ଗାର୍ଲ । ଅପେକ୍ଷା ସେହି ମୁହୂର୍ତକୁ ଯେତେବେଳେ ହାତ ହଲାଇ ହକି ପ୍ରେମୀଙ୍କୁ ଉତ୍ସାହିତ କରୁଥିବେ ବଲିଉଡ ବାଦଶାହା ଶାହାରୁଖ୍ ଖାନ୍ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ନିଜର ଜଲ୍ୱା ଦେଖାଉଥିବେ ମାଧୁରୀ ଦୀକ୍ଷିତ । ହକିର ଉତ୍ସାହ ଭିତରେ ସମସ୍ତେ ଚାହିଁ ରହିଛନ୍ତି ବିଶ୍ୱକପର ଉଦଘାଟନୀ ଉତ୍ସବକୁ । ଯେଉଁଠି ବିଶ୍ୱର ବଡ ବଡ ହକି ତାରକାଙ୍କ ସହ ଗୋଟିଏ ସ୍ଥାନରେ ନଜର ଆସିବେ ବଲିଉଡର ଏକାଧିକ ସୁପରଷ୍ଟାର । ଆଜି ଭୁବନେଶ୍ୱରରେ ପହଂଚିଛନ୍ତି ମାଧୁରୀ, ଆସନ୍ତାକାଲି ଆସୁଛନ୍ତି ଶାହାରୁଖ୍୍ । ଆଉ ନିଜ ଟିମ୍ ନେଇ ପ୍ରସ୍ତୁତ ରହିଛନ୍ତି ଏ.ଆର୍ ରେହେମାନ । ଏବେ କେବଳ ଅପେକ୍ଷା ବିଶ୍ୱକପର ଉଦଘାଟନୀ ଉତ୍ସବକୁ ।

ପ୍ରାୟ ୧୧ଶହ କଳାକାରଙ୍କ ସହ ପ୍ରଦର୍ଶନ କରିବେ ମାଧୁରୀ । ମାଧୁରୀଙ୍କ ଜଲୱାରେ ଦେଖିବାକୁ ମିଳିବ କଂଟେମ୍ପୋରାରି ଏବଂ କ୍ଲାସିକାଲ ଫର୍ମର ୫ରୁ ଅଧିକ ଦେଶୀ ଓ ବିଦେଶୀ ଶୈଳୀ ନୃତ୍ୟ । ପ୍ରାୟ ୪୦ ମିନିଟ୍ ଧରି ଦର୍ଶକଙ୍କୁ ବାନ୍ଧି ରଖିବେ ଧକ୍ ଧକ୍ ଗାର୍ଲ । ଆଉ ଏଥିପାଇଁ କଳିଙ୍ଗ ଷ୍ଟାଡିୟମରେ ଷ୍ଟେଜ୍ ରିହଲର୍ସଲ ବି କରିଛନ୍ତି ମାଧୁରୀ ଦୀକ୍ଷିତ । ପାରୋ ଥିବେ ଆଉ ଦେବଦାସ ଆସିବେନି ଏମିତି କ’ଣ ହୋଇପାରିବ । ରିଲ୍ ଲାଇଫର ଏହି ଦୁଇ ଚରିତ୍ର, ରିୟଲ ଲାଇଫ୍ ଦେଖାଇବେ କମାଲ । ଚକ୍ ଦେ’ ଇଣ୍ଡିଆର ନାରା ଦେଇ କଳିଙ୍ଗ ଷ୍ଟାଡିୟମରେ ପହଂଚିବେ ଶାହାରୁଖ୍ ଖାନ୍ । ଆଉ ଶାହାରୁଖଙ୍କୁ ସ୍ୱାଗତ କରିବା ପାଇଁ ପୁରା ପ୍ରସ୍ତୁତ ଓଙ୍ଗ଼ିଶା ।

କୁହାଯାଏ, ହକି ଖେଳ ପ୍ରତି ଶାହାରୁଖଙ୍କ ଏକ ବିଶେଷ ଦୁର୍ବଳତା ରହିଛି । ସେଇଥି ପାଇଁ ତ ବିଶ୍ୱକପ୍ ହକିର ଥିମ୍ ସଙ୍ଗଠୁ ଆରମ୍ଭ କରି ବାରମ୍ବାର ଟ୍ୱିଟ୍ ଜରିଆରେ ଖେଳ ପ୍ରେମୀକୁ ଉତ୍ସାହିତ କରି ଆସିଛନ୍ତି କିଙ୍ଗ ଖାନ୍ । ଏମିତି କି ଓଡ଼ିଶା ଆସିବା ପାଇଁ ବେଶ ଉତ୍ସାହିତ ଥିବା ଖୋଦ୍ ସ୍ୱୀକାର କରିଛନ୍ତି । ଭୁବନେଶ୍ୱରରେ ଶାହାରୁଖ୍, କଟକରେ ସଲମାନ । ଭାଇଜାନଙ୍କୁ ଚାହିଁ ରହିଛି ବାରବାଟୀ ଷ୍ଟାଡିୟମ୍ । କଟକରେ ହେବାକୁ ଥିବା ଉଦଘାଟନୀ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସଲମାନଙ୍କ ଅଫିସକୁ ଯୋଗଯୋଗ କରାଯାଇଛି । ଅପେକ୍ଷା କେବଳ ଗ୍ରୀନ୍ ସିଗନାଲକୁ ।