ସ୍କୁଲ ଭିତରେ ଥିଲେ ଛାତ୍ରଛାତ୍ରୀ ! ବାହାରୁ ଚାବି ପକାଇ ଘରକୁ ପଳାଇଲେ ପ୍ରଧାନଶିକ୍ଷକ ।

58

ଉତ୍ତରପ୍ରଦେଶରେ ଜଣେ ପ୍ରଧାନଶିକ୍ଷକଙ୍କ ଅବହେଳା କିଛି କୋମଳମତୀ ଶିଶୁ ଏବଂ ଲୋକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଉତ୍ତରପ୍ରଦେଶର ମହୋବା ଠାରେ ଏକ ସ୍କୁଲ ମଧ୍ୟରେ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ରହିଛି । ତେବେ ପ୍ରଧାନଶିକ୍ଷକଙ୍କ ଦାୟିତ୍ୱହୀନତା ଏବଂ ଅବହେଳା ପାଇଁ ଉକ୍ତ ଅଙ୍ଗନୱାଡିର କିଛି ଶିକ୍ଷୟତ୍ରୀ, କର୍ମଚାରୀ ଏବଂ କିଛି କୋମଳମତୀ ଶିଶୁଙ୍କୁ ସ୍କୁଲରେ ବନ୍ଦୀ ହୋଇ ରହିବାକୁ ପଡିଛି । ପ୍ରଧାନଶିକ୍ଷକ ସ୍କୁଲରେ ଚାବି ପକାଇ ପଳାଇଥିଲେ ।

୧ ଘଣ୍ଟା ପରେ ସହାୟକ ଅଧ୍ୟାପକ ସେଠାରେ ପହଞ୍ଚିବା ପରେ ମୁଖ୍ୟ ଫାଟକର ଚାବି ଖୋଲିଥିଲେ ।  ଜୈତପୁର ବ୍ଲକ ଥୁରଟ ଠାରେ ପୂର୍ବ ମାଧ୍ୟମିକ ବିଦ୍ୟାଳୟ ଏବଂ ଅଙ୍ଗନୱାଡି  କେନ୍ଦ୍ର ଗୋଟିଏ ପରିସର ମଧ୍ୟରେ ସଞ୍ଚାଳିତ ହେଉଛି । ଶନିବାର ଦିନ ସ୍କୁଲର ପ୍ରଧାନ ଶିକ୍ଷକ ବିନୋଦ କୁମାର ସକାଳ ୧୧ଟାରେ ସ୍କୁଲ ଛୁଟି ହେବା ପରେ ମୁଖ୍ୟ ଫାଟକରେ ଚାବି ଲଗାଇ ଘରକୁ ପଳାଇଥିଲେ । କିନ୍ତୁ ସେଠାରେ ଥିବା ଅଙ୍ଗନୱାଡି କର୍ମଚାରୀ ଏବଂ କେନ୍ଦ୍ରରେ ଗର୍ଭବତୀ ମହିଳା ଏହି ଘଟଣା ବିଷୟରେ ଜାଣିପାରିନଥିଲେ ।

କିଛି ସମୟ ପରେ ଯେତେବେଳେ କର୍ମଚାରୀ ପିଲାମାନଙ୍କ ପାଇଁ ପାଣି ଆଣିବା ପାଇଁ ବାହାରକୁ ଆସିଥିଲେ ସେତେବେଳେ ଦେଖିଥିଲେ ଯେ, ସ୍କୁଲ ଗେଟରେ ଚାବି ଲାଗିଛି ଏବଂ ସ୍କୁଲ ମଧ୍ୟ ଛୁଟି ହୋଇସାରିଲାଣି । ଏହା ପରେ କର୍ମଚାରୀମାନେ ଫୋନ ଯୋଗେଁ ଏହି ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ । ଗ୍ରାମବାସୀ ବିଏସଏକୁ ଏହି ସମ୍ପର୍କରେ ଅବଗତ କରାଇଥିଲେ ।

ଏହା ପରେ ବିଏସଏର ନିର୍ଦ୍ଦେଶ ଅନୁଯାୟୀ, ପ୍ରଧାନଶିକ୍ଷକ ବିନୋଦ କୁମାର ସହାୟକ ଅଧ୍ୟପକଙ୍କୁ ସେଠାକୁ ପଠାଇ ଚାବି ଖୋଲାଇଥିଲେ । ୧ ଘଣ୍ଟା ପର୍ଯ୍ୟନ୍ତ ସ୍କୁଲରେ ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ମହିଳାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ବନ୍ଦୀ ହୋଇରହିଥିଲେ । ବିଏସଏ ଅମିତ କୁମାର କହିଛନ୍ତି ଯେ, ଏହି ଅବହେଳା ପାଇଁ ପ୍ରଧାନଶିକ୍ଷକଙ୍କୁ ରିପୋର୍ଟ ପଠାଯାଇ ତାଙ୍କ ଠାରୁ ଉତ୍ତର ମଗାଯାଇଛି ।