ମାନବିକତା ଦେଖାଇଲେ ଡ୍ରାଇଭର୍ ! ଦୂର୍ଘଟଣାରେ ସଡକରେ ପଡିଥିବା ଆହତଙ୍କୁ ଡାକ୍ତରଖାନା ଆଣିବା ସହ ଫେରାଇଲେ ୫୦ ହଜାର ଟଙ୍କା

561

ମାନବିକତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର ଓ ଫାର୍ମାସିଷ୍ଟ । ଦୁର୍ଘଟଣାରେ ୨ ଆହତଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ଆଣିଥିଲେ । ପରବର୍ତ୍ତି ସମୟରେ ଦୁର୍ଘଟଣାସ୍ଥଳରେ ପଡିଥିବା ୫୦ ହଜାର ଟଙ୍କା ଗୋଟାଇବା ପରେ ତାଙ୍କୁ ହସ୍ତାନ୍ତର ମଧ୍ୟ କରିଥିଲେ । ତେବେ ଏପରି ଲୋଭହୀନ ବ୍ୟକ୍ତିତ୍ୱ ଓ ମାନବିକତା ରଖିଥିବା ଡ୍ରାଇଭର ଓ ଫାର୍ମାସିଷ୍ଟ ଏବେ ଜିଲ୍ଲାଞ୍ଚଳରେ ପ୍ରଶଂସା ସାଉଁଟିଛନ୍ତି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କୋଷାବାହାଲ ନିକଟ ମୁଖ୍ୟରାସ୍ତାରେ ବାଇକରେ ଆସୁଥିବାବେଳେ ହଠାତ୍ ଆଗ ଚକା ଫାଟିଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ୨ ବାଇକ୍ ଆରୋହୀ । ସେମାନେ ହେଲେ ଛତିଶଗଡ ରାଜ୍ୟ ସୁକମା ଅଞ୍ଚଳର ଭି. ଆପାଲ ରାଜୁ (୪୦) ଓ ଡି. ନାଗା ରାଜୁ (୪୫) । ଉଭୟେ ମିଶି ଜୟପୁର ଅଭିମୂଖେ କୌଣସି କାମରେ ହାତରେ ୫୦ ହଜାର ଟଙ୍କା ଧରି ଯାଉଥିଲେ । ଏତିକିବେଳେ କୋଷାବାହାଲ ନିକଟରେ ଦୁର୍ଘଟଣା ହେବାରୁ ଧରିଥିବା ଅର୍ଥ ଏଣେତେଣେ ହେବା ସହିତ ୨ ଆରୋହୀ ମଧ୍ୟ ମୁଖ୍ୟରାସ୍ତା ଉପରେ ଛିଟିକି ପଡିଥିଲେ । ଏହି ରାସ୍ତା ଦେଇ ଅନ୍ୟ ଏକ ରୋଗୀଙ୍କୁ ବୋହି ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା । ପରେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଏ. କ୍ରିଷ୍ଣା ରାଓ ଏବଂ କାର‌୍ୟ୍ୟରତ ଫାର୍ମାସିଷ୍ଟ ରାମକୃଷ୍ଣ ସ୍ୱାଇଁ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାରେ ପଡିଥିବା ୨ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରିବା ସହିତ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ । ଏହାସହିତ ଗୋଟି ଗୋଟି କରି ରାସ୍ତା ଉପରେ ପଡିଥିବା ସମସ୍ତ ଟଙ୍କା ଗୋଟାଇଥିଲେ ।

ଉଭୟ ଆରୋହୀଙ୍କ ଚେତା ଫେରିବା ପରେ ଆମ୍ବୁଲାନ୍ସ ଡ୍ରାଇଭର ରାଓ ଏବଂ ଫାର୍ମାସିଷ୍ଟ ସ୍ୱାଇଁ ମିଳିତ ଭାବେ ଆରୋହୀଙ୍କ ୫୦ ହଜାର ଟଙ୍କା ଫେରସ୍ତ କରିଥିଲେ । ମାନବିକତା ଦେଖାଇ ସମସ୍ତ ଅର୍ଥ ଫେରସ୍ତ କରିଥିବାରୁ ଉଭୟେ ଡ୍ରାଇଭର ଓ ଫାର୍ମାସିଷ୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଘଟଣା ଏବେ ଜିଲ୍ଲାଞ୍ଚଳରେ ଚର୍ଚ୍ଚା ପାଲଟିଛି । ମାନବିକତା ଦେଖାଇଥିବା ଏହି ୨ କର୍ମଚାରୀଙ୍କ ନିସ୍ୱାର୍ଥପର କାମ ଓ ବ୍ୟକ୍ତିତ୍ୱକୁ ସମଗ୍ର ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।