ଦିନେ ରଜନୀକାନ୍ତଙ୍କୁ ନିର୍ଦ୍ଦେଶକ କହିଥିଲେ ‘ତାମିଲ୍ ଶିଖ’ ! ଆଜି ସେ ତାମିଲନାଡୁର ସୁପରଷ୍ଟାର

44

ସୁପରଷ୍ଟାର ରଜନୀକାନ୍ତ ସିନେମା ଦୁନିଆର ଜଣେ ଉଜ୍ୱଳ ତାରକା । ରଜନୀକାନ୍ତଙ୍କ ପ୍ରସଂଶକ ତାଙ୍କୁ ପସନ୍ଦ କରିବା ସହିତ ପୂଜା ମଧ୍ୟ କରନ୍ତି । ସୁପରଷ୍ଟାର ହୋଇଥିଲେ ବି ସେ କେବେ ଗର୍ବ ଅନୁଭବ କରନ୍ତି ନାହିଁ । ସବୁବେଳେ ସାଧାରଣ ବ୍ୟକ୍ତିଙ୍କ ପରି ରହିବାକୁ ପସନ୍ଦ କରନ୍ତି । ଏହି ସଫଳତା ତାଙ୍କୁ ସହଜରେ ମିଳିନାହିଁ । ଏଥିପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଛି । ରଜନୀକାନ୍ତ ବେଙ୍ଗାଲୁରୁ ପରିବହନ ସେବାର ମାମୁଲି ବସ କଣ୍ଡକ୍ଟର ଓ କୁଲିରୁ ଆଜି ସୁପରଷ୍ଟାର ହୋଇପାରିଛନ୍ତି ।

ରଜନୀକାନ୍ତଙ୍କ ଜନ୍ମ ବେଙ୍ଗାଲୁରୁରେ ୧୨ ଡିସେମ୍ବର ୧୯୫୦ରେ ହୋଇଥିଲା । ତାଙ୍କ ମା ଜୀଜାବାଇ ଓ ପିତା ରାମୋଜୀ ରାଓ ଗାୟକୱାଡ ବାଲ୍ୟକାଳରୁ ତାଙ୍କୁ ଶିବାଜୀ ରାଓ ଗାୟକୱାଡ କହି ଡାକୁଥିଲେ । ଶିବାଜୀଙ୍କ ପିତା ପେଶାରେ ଜଣେ ହାବିଲଦାର ଥିଲେ । ୪ ବର୍ଷ ବୟସରେ ସେ ତାଙ୍କ ମା’ଙ୍କୁ ହରାଇଥିଲେ । ରଜନୀକାନ୍ତ ତାଙ୍କ ଭାଇ ଭଉଣୀଙ୍କ ମଧ୍ୟରେ ସବୁଠାରୁ ଛୋଟଥିଲେ । କିନ୍ତୁ ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ କୁଲି ଭାବେ କାମ କରିବା ପାଇଁ ସ୍ଥିର କରିଥିଲେ ।

ରଜନୀକାନ୍ତ ନିଜ କ୍ୟାରିଅରର ଆରମ୍ଭ ପୌରାଣିକ କନ୍ନଡ ନାଟକରୁ କରିଥିଲେ । ଏଥିରେ ସେ ଦୁର୍ଯୋଧନ ଭୂମିକାରେ ଅଭିନୟ କରିଥିଲେ । ଏଥିରେ ତାଙ୍କର ଘନିଷ୍ଠ ବନ୍ଧୁ ରାଜ ବାହାଦୁର ତାଙ୍କୁ ସାହାର୍ଯ୍ୟ କରୁଥିଲେ । ସେ ରଜନୀଙ୍କୁ ଅଭିନୟ କ୍ଷେତ୍ରରେ ଭଲ କରିବା ପାଇଁ ଉତ୍ସାହ ଦେଉଥିଲେ ଓ ମାଡ୍ରାସ ଫିଲ୍ମ ଇନଷ୍ଟିଟ୍ୟୁଟରେ ଭର୍ତ୍ତି ହେବାପାଇଁ କହିଥିଲେ । ଇତିମଧ୍ୟରେ କନ୍ନଡ ନାଟକ କରିବା ବେଳେ ନିର୍ଦ୍ଦେଶକ କେ. ବାଲଚନ୍ଦର ରଜନୀକାନ୍ତଙ୍କୁ ନୋଟିସ କରିଥିଲେ । ନାଟକ ସରିବା ପରେ ନିର୍ଦ୍ଦେଶକ ରଜନୀଙ୍କୁ କହିଥିଲେ ଯେ ତାମିଲ ଶିଖ । ଏହାପରେ ଅନେକ ନେଗେଟିଭ ରୋଲ କରିବା ପରେ ଏସପି ମୁଥୁରମନ ତାଙ୍କୁ ଏକ ପଜିଟିଭ ରୋଲ କରିବାର ସୁଯୋଗ ଦେଇଥିଲେ ।

ମୁନ୍ଦରୁ ମୁଗମରେ ରଜନୀକାନ୍ତ ଟ୍ରିପଲ ରୋଲରେ ଅଭିନୟ କରିଥିଲେ । ଏଥିପାଇଁ ତାଙ୍କୁ ତାମିଲନାଡୁ ସରକାରଙ୍କ ତରଫରୁ ବେଷ୍ଟ ଅଭିନେତା ଆୱାର୍ଡ ମିଳିଥିଲା । ରଜନୀକାନ୍ତ ବଲିଉଡ ଫିଲ୍ମ ‘ଅନ୍ଧା କାନୁନ’ ଜରୀଆରେ ବଲିଉଡରେ ଡେବ୍ୟୁ କରିଥିଲେ । ସେହିପରି ୧୯୮୮ ମସିହାରେ ଇଂରେଜୀ ଫିଲ୍ମ ‘ଆଡଭେନଚର ବ୍ଲଡଷ୍ଟୋନ’ରେ ମଧ୍ୟ ନଜର ଆସିଥିଲେ । ସୁପରଷ୍ଟାର ରଜନୀ ତାମିଲ, ହିନ୍ଦୀ, ମାଲାୟଲମ, କନ୍ନଡ, ତେଲଗୁ ଓ ବଙ୍ଗଳା ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇସାରିଛନ୍ତି । ଫିଲ୍ମ ରିଲିଜ ପରେ ରଜନୀକାନ୍ତ ସବୁବେଳେ ହିମାଚଳର ସୁନ୍ଦର ସ୍ଥାନକୁ ଯିବା ପାଇଁ ପସନ୍ଦ କରନ୍ତି ।