ସମ୍ବଲପୁର ଜେଲ ଅନ୍ତେବାସୀଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତକୁ ମିଳିଲା ‘ହ୍ୟାଣ୍ଡଲୁମ୍ ମାର୍କ ଟ୍ୟାଗ୍’ । ଏଣିକି ବିଦେଶରେ ଦେଖିବାକୁ ମିଳିବ କଏଦୀଙ୍କ ହସ୍ତକଳା ।

203

କନକ ବ୍ୟୁରୋ : ବିଦେଶରେ ଆଦୃତ ହେବ କଏଦୀଙ୍କ ହସ୍ତକଳା । ସମ୍ବଲପୁର ଜେଲରେ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ହସ୍ତତନ୍ତ ଏବେ ବିଦେଶକୁ ଯିବ । ଜେଲ୍ ନିର୍ମିତ ହସ୍ତତନ୍ତ ସାମଗ୍ରୀକୁ ମିଳି ସାରିଛି ସରକାରଙ୍କ ବୟନ କଳା ମନ୍ତ୍ରଣାଳୟର ହ୍ୟାଣ୍ଡଲୁମ୍ ମାର୍କ ଟ୍ୟାଗ୍ ।

ସମ୍ବଲପୁର ମଣ୍ଡଳ କାରାଗରରେ ରହୁଥିବା କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ହସ୍ତତନ୍ତ ଏବେ ବିଦେଶରେ ଆଦୃତ ହେବ । ଜେଲ୍ ଅନ୍ତେବାସୀଙ୍କ ହାତ ତିଆରି ସାମଗ୍ରୀକୁ ସରକାରଙ୍କ ହ୍ୟାଣ୍ଡଲୁମ୍ ମାର୍କ ଟ୍ୟାଗ୍ ମିଳି ଯାଇଛି । ଯାହା ଫଳରେ ଏହାର ବିକ୍ରି ଆହୁରି ବଢିଯିବ । ଅନ୍ତେବାସୀଙ୍କ ଦ୍ୱାରା ନିର୍ମିତ ଆକର୍ଷଣୀୟ ବେଡସିଟ୍, ସତରଞ୍ଜି, ଗାମୁଛା, ଚାଦର ଆଦି ସାମଗ୍ରୀକୁ ଏହି ଟ୍ୟାଗ୍ ମିଳିବା ପରେ ଜେଲ୍ ଅନ୍ତେବାସୀ, କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି । ଓରମାସ୍ ସହାୟତାରେ ବିଦେଶ ପଠାଯିବ । କେବଳ ସେତିକି ନୁହେଁ ପଲ୍ଲିଶ୍ରୀ ମେଳା, ତୋଷାଳି ମେଳା, ହସ୍ତତନ୍ତ ମେଳା ଆଦିରେ ମଧ୍ୟ ବିକ୍ରି କରାଯିବ ।

କଏଦୀଙ୍କ ଦ୍ୱାରା ନିର୍ମିତ ଏହି ସବୁ ସୁନ୍ଦର ସୁନ୍ଦର ସାମଗ୍ରୀ ପୂର୍ବରୁ କେବଳ ଜେଲ୍ ଭିତରେ ହିଁ ବିକ୍ରି କରାଯାଉଥିଲା । ଉପଯୁକ୍ତ ପ୍ଲାଟଫର୍ମ ଅଭାବରୁ ଏହାର ବିକ୍ରି ଓ ପ୍ରଚାର ପ୍ରସାର ସଠିକ୍ ଭାବେ ହୋଇ ପାରୁ ନଥିଲା । ମାତ୍ର ଏବେ ସରକାରଙ୍କ ହ୍ୟାଣ୍ଡଲୁମ୍ ମାର୍କ ଟ୍ୟାଗ୍ ମିଳିବା ପରେ ଏହି ସବୁ ସାମଗ୍ରୀର ଚାହିଦା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ବିଦେଶୀକୁ ରପ୍ତାନୀ ହେଲେ ଏହି ସାମଗ୍ରୀ ଜରିଆରେ ଜେଲ୍ ଦଣ୍ଡ ଭୋଗୁଥିବା କଏଦୀମାନେ ମଧ୍ୟ ବେଶ ଦୁଇ ପଇସା ରୋଜଗାର କରି ପାରିବେ । ଏହାସହ ଜେଲ୍ରେ ଥିବା ଅନ୍ୟ କଏଦୀ ମଧ୍ୟ ଅନୁପ୍ରାଣିତ ହୋଇ ହସ୍ତତନ୍ତ କଳା ଶିଖିପାରିବେ ।