କଟକ କିଶନନଗର ଥାନାରେ ଅଘଟଣ ! ବନ୍ଧୁକ ସଫା ବେଳେ ଗୁଳି ଫୁଟି ହାବିଲଦାରଙ୍କ ମୃତ୍ୟୁ

35

କନକ ବ୍ୟୁରୋ: ବନ୍ଧୁକ ସଫା କଲାବେଳେ ଗୁଳି ଫୁଟି ହାବିଲଦାର ମୃତ । କଟକ କିଶନନଗର ଥାନାରେ ଆର୍ମରି ହାବିଲଦାର ସରୋଜ କୁମାର ପଟ୍ଟନାୟକ ବନ୍ଧୁକ ସଫା କଲା ବେଳେ ଗୁଳି ଫୁଟି ଯିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଛି । ସେ ଆର୍ମରୀ ହାବିଲଦାର ଭାବେ କଟକ ରିଜର୍ଭ ବ୍ୟାଟାଲିୟନରୁ ତାଙ୍କ ସହଯୋଗୀ ଆର୍ମରୀ ହାବିଲଦାର ଅମରେଶ ସେଠୀଙ୍କ ସହ କଟକ ଜିଲ୍ଲା କିଶନନଗର ଥାନାକୁ ଯାଇଥିଲେ । ତାଙ୍କ ସହଯୋଗୀ ଅମରେଶ ଏଏସଆଇ ଦିଗମ୍ବର ମୁଦୁଲିଙ୍କ ସର୍ଭିସ ରିଭଲଭର ସଫା କରିବାବେଳେ ଅସାବଧାନତା ଯୋଗୁଁ ସେଥିରୁ ଗୁଳି ଫୁଟି ପାଖ ଚେୟାରରେ ବସିଥିବା ସରୋଜ ପଟ୍ଟନାୟକଙ୍କ କାନମୁଣ୍ଡାରେ ବାଜିଥିଲା ବୋଲି ଏସଡିପିଓ କହିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡମେଡିକାଲକୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ମୁତାବକ, ଆର୍ମରୀ ହାବିଲଦାର ସରୋଜ କୁମାର ପଟ୍ଟନାୟକ (୫୪) ତାଙ୍କ ସହଯୋଗୀ କନଷ୍ଟେବଳ ଅମରେଶ ସେଠୀଙ୍କୁ ଧରି ଆଜି ଅପରାହ୍ନ ପ୍ରାୟ ଅଢ଼େଇଟାରେ କିଶନନଗର ଥାନାରେ ପହଞ୍ଚିଥିଲେ । ପ୍ରଥମେ ସେ ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁଙ୍କ ସର୍ଭିସ୍ ରିଭଲଭର ସଫା କରିଥିଲେ । ଏହାପରେ ସେ ଏଏସଆଇ ଦିଗାମ୍ବର ମୁଦୁଲିଙ୍କ ରିଭଲଭର ସଫା କରିବା ପାଇଁ ତାଙ୍କ ଟେବୁଲ ନିକଟକୁ ଆସିଥିଲେ । ସାମ୍ନାରେ ପଡ଼ିଥିବା ଚୌକିରେ ବସି ସରୋଜ ଏଏସଆଇ ଶ୍ରୀ ମୁଦୁଲିଙ୍କ ରିଭଲଭର୍ ନେଇ ସଫା କରିବା ଆରମ୍ଭ କରିଥିଲେ । ତେବେ ବନ୍ଧୁକରେ ଗୁଳିଭର୍ତ୍ତି ଥିବା ସଂପୃକ୍ତ ଏଏସଆଇ କନଷ୍ଟେବଳ ଅମରେଶଙ୍କୁ ଜଣାଇଥିଲେ ମଧ୍ୟ ସେ ବନ୍ଧୁକରୁ ମ୍ୟାଗାଜିନ୍ କାଢ଼ି ନଥିଲେ । ତାଙ୍କ ସହଯୋଗୀ ଅମରେଶ ଏଏସଆଇ ଦିଗମ୍ବର ମୁଦୁଲିଙ୍କ ସର୍ଭିସ ରିଭଲଭର ସଫା କରିବାବେଳେ ଅସାବଧାନତା ଯୋଗୁଁ ସେଥିରୁ ଗୁଳି ଫୁଟି ପାଖ ଚେୟାରରେ ବସିଥିବା ସରୋଜ ପଟ୍ଟନାୟକଙ୍କ କାନମୁଣ୍ଡାରେ ବାଜିଥିଲା ।

ଫଳରେ ସରୋଜ ତଳେ ପଡ଼ିଯାଇଥିଲେ । ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଆଇଆଇସି ଓ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀମାନେ ତାଙ୍କୁ ତୁରନ୍ତ ଥାନା ପିସିଆର୍ ଭ୍ୟାନ ଯୋଗେ କଟକ ବଡ଼ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଶବକୁ ବ୍ୟବଚ୍ଛେଦ ଗୃହକୁ ନେବା ପାଇଁ ପ୍ରାୟ ୧୦ମିନିଟ କାଳ ହନ୍ତସନ୍ତ ହୋଇଥିଲେ ପୁଲିସ କର୍ମଚାରୀ । ଷ୍ଟ୍ରେଚର ମିଳି ନଥିଲା କି ବ୍ୟାଟେରି ଗାଡି ଶବ ନେବାକୁ ମନାକରିଦେଇଥିଲା । ଫଳରେ ପୁଲିସ ଗାଡିରେ ନେବାକୁ ଚେଷ୍ଟା କରିଥିଲେ ସହଯୋଗୀମାନେ । ଏହା ମଧ୍ୟ ସମ୍ଭବ ହୋଇ ନଥିଲା ଫଳରେ ସହଯୋଗୀମାନେ ରାସ୍ତାରେ ଚାଲି ଚାଲି ବ୍ୟବଚ୍ଛେଦ ଗୃହକୁ ନେଇଥିଲେ ମୃତଦେହ । ଖବର ପାଇ ସାଲେପୁର ଏସଡିପିଓ ପି.କେ ଜେନା ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ସାଇଣ୍ଟିଫିକ୍ ଟିମ୍ ସହ ଥାନାରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

ବନ୍ଧୁକ ସଫା କରିବା ପୂର୍ବରୁ ସେଥିରୁ ଗୁଳିକାଢି ସଫା କରିବା ପାଇଁ ଦିଆଯିବା କଥା । କିନ୍ତୁ ଏଭଳି କରା ନଯାଇ ଗୁଳିଭର୍ତ୍ତି ଥିବା ବନ୍ଧୁକକୁ କିପରି କିଶନନଗର ଥାନା ଏଏସଆଇ ସଫା କରିବା ପାଇଁ ଦେଲେ, ତାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ମାଗାଜିନ୍ କାଢି ବନ୍ଧୁକ ସଫା କରିବା ପାଇଁ କନଷ୍ଟେବଲଙ୍କୁ ଏଏସଆଇ କହିଥିଲେ ମଧ୍ୟ ସେ କ’ଣ ପାଇଁ ଗୁଳି କାଢି ନଥିଲେ, ତାହା ମଧ୍ୟ ପ୍ରଶ୍ନବାଚି ସୃଷ୍ଟି କରିଛି । ଅନ୍ୟପଟେ ପୁଲିସ ସଂପୃକ୍ତ କନଷ୍ଟେବଳଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡିଛି । ଏ ନେଇ କଟକ ଗ୍ରାମାଞ୍ଚଳ ଏସପି ମାଧବ ଚନ୍ଦ୍ର ସାହୁଙ୍କୁ ଯୋଗାଯୋଗ କରାଯିବାରୁ ଏନେଇ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି ବୋଲି କହିଛନ୍ତି । ତେବେ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ । କନଷ୍ଟେବଳ ଅମରେଶଙ୍କୁ ନେଇ ଘଟଣାର ତଦନ୍ତ ଜାରି ରହିଛି ।