ଝଡ଼ ପୂର୍ବର ନିରବତା ! ଆଶ୍ରମରେ ଭକ୍ତ, ବାହାରେ ସୁରକ୍ଷା ଛାଉଁଣୀ

28

କନକ ବ୍ୟୁରୋ : ହରିୟାଣାର ସୀରସା ସ୍ଥିତ ରାମରହିମଙ୍କ ଆଶ୍ରମ ଉପରେ ଏବେ ସମସ୍ତଙ୍କ ନଜର । ଆଶ୍ରମ ଭିତରେ ବହୁ ସଂଖ୍ୟାରେ ଭକ୍ତ ଥିବା ବେଳେ ଆଶ୍ରମ ଖାଲି କରିବା ପାଇଁ ବାହାରେ ପ୍ରସ୍ତୁତ ହୋଇ ରହିଛି ଭାରତୀୟ ସେନା । କୁହାଯାଉଛି ଆଶ୍ରମ ଭିତରେ ୧୦ ରୁ ୨୦ ହଜାର ଭକ୍ତ ଅଛନ୍ତି । ସେପଟେ ସେନା ଅଧିକାରୀ ମାନେ କହିଛନ୍ତି, ଆଶ୍ରମ ଭିତରେ ବଳପୂର୍ବକ ପ୍ରବେଶ ପାଇଁ ନିର୍ଦ୍ଦେଶ ଆସିନାହିଁ । ତେବେ ଯେକୌଣସି ସମୟରେ ଆଶ୍ରମ ଖାଲି କରିବା ପାଇଁ ସେନା ପ୍ରବେଶ କରିପାରେ ବୋଲି ଚର୍ଚା ହେଉଛି ।

ବାବା ରାମ୍ ରହିମ ବଳାକ୍ରାର ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଅଶାନ୍ତ ହୋଇ ଉଠିଛି ହରିୟାଣା । ଆଉ ସ୍ଥିତିର ମୁକାବିଲା ପାଇଁ ସିର୍ସା ସହରରେ ପଡ଼ିଛି ସେନା ଓ ପୁଲିସ୍ ଛାଉଁଣୀ । ଶାନ୍ତି ବଜାୟ ରଖିବା ପାଇଁ ସହର ମଧ୍ୟରେ ଫ୍ଲାଗ୍ ମାର୍ଚ୍ଚ କରିଛନ୍ତି ଯବାନ । ଆଉ ଏପଟେ ବାବା ରାମ୍ ରହିମଙ୍କ ଡେରା ସଚ୍ଚ ସୌଧ ଆଶ୍ରମ ଆଗରେ ପଇଁତରା ମାରୁଛନ୍ତି, ସୁରକ୍ଷାକର୍ମୀ । କୁହାଯାଉଛି-ଆଶ୍ରମ ଭିତରେ ମାରଣାସ୍ତ୍ର ଧରି ଛକି ରହିଛନ୍ତି ପ୍ରାୟ ୧୦ ହାଜର ସମର୍ଥକ । ପୁରା ଆଶ୍ରମ ଉପରେ ସେନାର ନଜର ରହିଥିଲେ ବି, ଆଶ୍ରମ ଭିତରକୁ ପ୍ରବେଶ କରିନଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ତୁଟୁନି ବାବା ପ୍ରୀତି : ବାବାଙ୍କ ବ୍ୟାଗ୍ ଉଠାଲ ହିନସ୍ତା 

ଯେଉଁ ବାବାଙ୍କୁ ନେଇ ଏବେ ହରିୟାଣା ଏବଂ ପଂଜାବରେ ନିଆଁ ଜଳୁଛି, ସେହି ବଳାକ୍ରାରୀ ବାବା ରାମ ରହିମଙ୍କ ବ୍ୟାଗ୍ ଉଠାଇବାକୁ ବି ପଛାଇନଥିଲେ ସରକାରୀ ବାବୁ । ବାବା ରାମ ରହିମ୍ କୋର୍ଟରେ ହାଜର ହେବା ବେଳର ଏହି ଚିତ୍ର, ଏବେ ହରିୟାଣାର ଟେପୁଟୀ ଆଡଭୋକେଟ୍ ଜେନେରାଲଙ୍କୁ ହିନସ୍ତା ହେବାକୁ ପଡ଼ିଛି । ଏମିତିକି ଗୁରଦାସ ସିଂହଙ୍କୁ ଚାକିରିରୁ ବହିସ୍କାର ହେବାକୁ ପଡ଼ିଛି ।

ସରକାରଙ୍କ ଅଭିମୁଖ୍ୟକୁ କଡ଼ା ଭାଷାରେ ଉର୍ତ୍ସନା କରିଛନ୍ତି ପଂଜାବ ହରିୟାଣା ହାଇକୋର୍ଟ, ରାଜନୈତିକ ଫାଇଦା କାରଣରୁ ଏଭଳି ହୋଇଥିବା କହିବା ସହ ହିଂସାକାଣ୍ଡରେ ଲିପ୍ତ ଥିବା ଲୋକଙ୍କୁ ଚିହ୍ନଟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୧୪୪ ଧାରା ସତ୍ୱେ କିଭଳି ହଜାର ହଜାର ସଂଖ୍ୟାରେ ସମର୍ଥକ ଏକାଠି ହେଲେ ସେନେଇ ପ୍ରଶ୍ନ କରିଛନ୍ତି ।

ଏପଟେ ହିଂସାକାଣ୍ଡ ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ରଗୃହମନ୍ତ୍ରୀ ରାଜନାଥ ସିଂହ । ଘଟଣାସ୍ଥଳରେ ଏଯାଏଁ ଉତେଜନା ଲାଗି ରହିଥିବା ବେଳେ ସ୍ଥିତି ନିୟନ୍ତ୍ରଣରେ ଥିବା କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ଏହାରି ଭିତରେ ୩୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଛନ୍ତି ।

ରାମରହିମଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ଭିତରେ ଏବେ ତାଙ୍କର ରହସ୍ୟମୟ ଗୁମ୍ଫାକୁ ନେଇ ସବୁଠି ଆଲୋଚନା । ଇଏ ଏକ ଏମିତି ଗୁମ୍ଫା ଯାହା ଆପଣ ଆଗରୁ କେବେ ଶୁଣିନଥିବେ ।

ହରିୟାଣାରେ ଶିର୍ଶା ସହରରେ, ପ୍ରାୟ ଶହେ ଏକର ଜମିରେ ଅବସ୍ଥିତ, ଡେରା ସ୍ୱଚ୍ଚା ସୌଦାର ମୁଖ୍ୟ ରାମରହିମଙ୍କ ଆଶ୍ରମରେ ରହିଛି ଅନେକ ରହସ୍ୟ । ଆଉ ଏହି ରହସ୍ୟ ଭିତରେ, ସବୁଠାରୁ ରହସ୍ୟମୟ ହେଉଛି ରାମରହିମଙ୍କ ଗୁମ୍ଫା । ରାମ ରହିମଙ୍କ ବିଷୟରେ କୋଟି କୋଟି ଲୋକ ଜାଣନ୍ତି, କିନ୍ତୁ ତାଙ୍କର ଗୁମ୍ଫା ବିଷୟରେ ମାତ୍ର କିଛି ଖାସ୍ ଲୋକ ହିଁ ଅବଗତ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆଶ୍ରମ ଭିତରେ ଏହି ରହସ୍ୟମୟ ଗୁମ୍ଫା ରହିଛି । ଆଉ ଗୁମ୍ଫା ଭିତରକୁ ପ୍ରବେଶ କରିବା ପାଇଁ, ଗୋଟିଏ ମାତ୍ର ପ୍ରବେଶ ଦ୍ୱାର ରହିଛି । ଯେଉଁ ପ୍ରବେଶ ଦ୍ୱାର ଦେଇ, ବିବାଦୀୟ ବାବା ରାମ ରହିମଙ୍କ ଗାଡ଼ି ଭିତରକୁ ଯାଏ ।

ଆଉ କୌଣସି ବ୍ୟକ୍ତିଙ୍କୁ ଏହା ଭିତରେ ପ୍ରବେଶ ନିଷେଧ । ଗୁମ୍ଫାର ଚାରିଆଡେ ଜଗିରହିଛନ୍ତି, ସାଧା ପୋଷାକରେ ବନ୍ଧୁକଧାରୀ କମାଣ୍ଡୋ । କୁହାଯାଏ, ଏହି ଗୁମ୍ଫା ଭିତରେ ଦୁନିଆର ସବୁ ବିଳାସବ୍ୟସନର ସାଧନ ମଜଜୁତ୍ । ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି, ଏହି ଗୁମ୍ଫା ଭିତରେ, ବାବା ରାମରହିମଙ୍କ ସେବା କରିବା ପାଇଁ, ୨୦୯ଜଣ ଶିଷ୍ୟା ଅଛନ୍ତି, ଯେଉଁମାନେ ବାବାଙ୍କର ଖାଇବଠାରୁ ଆରମ୍ଭ କରି, ତାଙ୍କୁ ଷ୍ଟେଜ୍କୁ ନେବା ପର୍ଯ୍ୟନ୍ତ ସବୁ କାମ କରନ୍ତି । ସେମାନେ, ସାଧାରଣତଃ ଗେରୁଆ କିମ୍ବା ଧଳା ବସ୍ତ୍ର ପରିଧାନ କରନ୍ତି । ଚୁଟିକୁ ମୁକୁଳା ରଖିବାକୁ ନିର୍ଦ୍ଦେଶ ବି ରହିଛି ।

ଏହି ଶିଷ୍ୟାମାନଙ୍କ ସହ ବାହାରର କୌଣସି ଭକ୍ତ କିମ୍ବା ବ୍ୟକ୍ତି, କଥା ହୋଇ ପାରିବେ ନାହିଁ କିମ୍ବା ଫୋନ୍ ମାଧ୍ୟମରେ ବି କୌଣସି ଯୋଗାଯୋଗ କରିପାରିବେ ନାହିଁ । ଆପଣଜାଣି ଆଶ୍ଚର୍ଯ୍ୟ ହେବେ ଏହି ଗୁମ୍ଫା ଭିତରେ ରହିଛି ହଟ୍ଲାଇନ୍ ଟେଲିଫୋନ୍ ବ୍ୟବସ୍ଥା । ଯାହା ସାହାର୍ଯ୍ୟରେ ଦୁନିଆର କୋଣଅନୁକୋଣକୁ ଫୋନ୍ ଯୋଗେ, ଯୋଗାଯୋଗ କରୁଥିଲେ ଏହି ବବାଦୀୟ ବାବା । ଆଉ ଗୁରୁତ୍ୱପୂର୍ଣ କଥା ହେଲା, ବାବା ରାମରହିମ ଏହି ଗୁମ୍ଫା ଭିତରେ ଥିବା ସମୟରେ ତାଙ୍କୁ କେହିଁ ବାଧା ଦେଇ ପାରିବେ ନାହିଁ କିମ୍ବା ଯୋଗାଯୋଗ କରିବାରିବେ ନାହିଁ ।

ଯଦି କୌଣସି ଭିଭିଆଇପି ବ୍ୟକ୍ତି ଆସନ୍ତି, ତାଙ୍କୁ ପାଖକୁ ଗୁପ୍ତଭାବରେ ବାର୍ତା ଯାଏ । ହେଲେ କେହିଁ ଭିତରକୁ ପ୍ରବେଶ କରିପାରନ୍ତି ନାହିଁ । ବାବା ନିଜେ ନଆସିବା ଯାଏଁ ସେମିତି ଅପେକ୍ଷା କରିଥାନ୍ତି ତାଙ୍କୁ ଭେଟିବାକୁ ଯାଇଥିବା ବିଶେଷ ବ୍ୟକ୍ତି ବା ଭିଭିଆଇପି । ବଳାକ୍ରାର ମାମଲାରେ ବାବା ରାମରହିମ୍ ଜେଲ ଯିବା ପରେ ଏହି ଭଳି ଅନେକ ରହସ୍ୟମୟ ତଥ୍ୟ ସବୁ ଗୋଟିଏ ପରେ ଗୋଟିଏ ପଦାକୁ ଆସୁଛି ।

ବାବା ରାମ ରହିମ୍ ଦୋଷୀ ସାବ୍ୟସ୍ତ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିବେଶକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୁରୀ ମେରାଇନ୍ ଡ୍ରାଇଭ୍ ରୋଡ୍ରେ ଥିବା ଡେରା ସଚ୍ଚା ଆଶ୍ରମ ନିକଟରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଏପଟେ, ନ୍ୟାୟିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ଆଶ୍ରମରେ ଥିବା ଅନ୍ତେବାସୀ । ଏହି ମାମଲାକୁ ନେଇ ସୁପ୍ରମିକୋର୍ଟ ଯାଏଁ ଯିବେ ବୋଲି ସେମାନେ ମତ ଦେଇଛନ୍ତି । ଅନ୍ୟପଟେ ଆଶ୍ରମ ଆଗରେ ସ୍ଥାନୀୟ ଲୋକମାନେ ବାବାଙ୍କୁ ବିରୋଧ ପ୍ରଦର୍ଶନ କରିଛନ୍ତି । ଏଭଳି ଏକ ବିବାଦୀୟ ବାବାଙ୍କ ଆଶ୍ରମକୁ ପୁରୀରୁ ହଟାଯାଉ ବୋଲି ଦାବି କରିଛନ୍ତି ।