ଗୁଜରାଟ ରାଜ୍ୟସଭା ନିର୍ବାଚନ ଡ୍ରାମାରେ ନୂଆ ମୋଡ଼ ! ଗୋଟିଏ ଆସନ ପାଇଁ ଦୁଇ ଚାଣକ୍ୟଙ୍କ ଭୋଟ୍ ଗଣିତରେ ବାଜି ମାରିନେଇଛି କଂଗ୍ରେସ

25

କନକ ବ୍ୟୁରୋ : କଂଗ୍ରେସ ପ୍ରାର୍ଥୀ ଅହମ୍ମଦ ପଟେଲଙ୍କ ବିଜୟ ସହ ଗୁଜରାଟ୍ ରାଜ୍ୟସଭା ନିର୍ବାଚନର ହାଇଭୋଲଟେଜ ଡ୍ରାମାରେ ଆସିଛି ନୂଆମୋଡ । ଗୋଟିଏ ଆସନ ପାଇଁ ଦୁଇ ଚାଣକ୍ୟଙ୍କ ଭୋଟ୍ ଗଣିତରେ ବାଜି ମାରିନେଇଛି କଂଗ୍ରେସ । ୪୪ଟି ଭୋଟ୍ ପାଇ ତୃତୀୟ ଆସନରେ ବିଜୟୀ ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ରାଜନୈତିକ ସଚିବ ଅହମ୍ମଦ ପଟେଲ ।

ତୃତୀୟ ପ୍ରାର୍ଥୀ ଭାବେ ୪୪ ଭୋଟ୍ ପାଇ ବିଜୟୀ ହେଲେ ଅହମ୍ମଦ ପଟେଲ । ହେଲେ ଏହି ବିଜୟ ଏତେ ସହଜ ନଥିଲା । ଦୁଇ ବିଦ୍ରୋହୀ କଂଗ୍ରେସ ବିଧାୟକ ଦଳ ବିରୋଧରେ ଯାଇ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିବାବେଳେ, ସେମାନଙ୍କ ବାଲଟକୁ ବିଜେପି ପ୍ରତିନିଧିଙ୍କୁ ଦେଖାଇଥିବା ଅଭିଯୋଗ ଆଣିଥିଲା କଂଗ୍ରେସ । ଏପରିକି ଭୋଟିଂ ସରିବା ପରେ ନିର୍ବାଚନ କମିଶନଙ୍କୁ ଭେଟି ଦୁଇଟି ଭୋଟ୍ ନାକଚ କରିବାକୁ ଦାବି ଜଣାଇଥିଲା । ଏହା ପ୍ରତିବାଦରେ ବିଜେପିର ଏକ ପ୍ରତିନିଧି ଦଳ ମଧ୍ୟ ନିର୍ବାଚନ କମିଶନଙ୍କୁ ଭେଟିଥିଲା । ଏମିତି ରାତି ତମାମ ଚାଲିଥିଲା ରାଜନୈତିକ ଛକାପଂଝା ଆଉ ବିଳମ୍ବିତ ହୋଇଚାଲିଥିଲା ଭୋଟ ଗଣତି ।

ଯେଉଁ କ୍ରସ୍ ଭୋଟିଂର ଫାଇଦା ବିଜେପି ଖାତାକୁ ଯିବ ବୋଲି ଚର୍ଚ୍ଚାହେଉଥିଲା, ଏବେ ଅହମ୍ମଦ ପଟେଲଙ୍କ ବିଜୟ ପରେ ସେହି କ୍ରସଭୋଟିଂ ଚର୍ଚ୍ଚା ଜୋର ଧରିଛି । କାରଣ ଗୁଜରାଟ ବିଧାନସଭାରେ କଂଗ୍ରେସର ୫୧ ସଦସ୍ୟଙ୍କ ଭିତରୁ ୬ଜଣଙ୍କ ଇସ୍ତଫା ପରେ ଥିଲେ ୪୫ଜଣ । ଏମାନଙ୍କ ଭିତରୁ ୨ଜଣଙ୍କ ଭୋଟ୍ ନାକଚ ହେବା ପରେ ଏହି ସଂଖ୍ୟା ୪୩କୁ ଖସିଆସିଥିବାବେଳେ ଅହମ୍ମଦଙ୍କୁ ମିଳିଛି ୪୪ଟି ଭୋଟ୍ । ତେଣୁ ଚର୍ଚ୍ଚାହେଉଛି ୨ ଏନସିପି ଓ ଜଣେ ଜେଡିୟୁ ବିଧାୟକଙ୍କ ମଧ୍ୟରୁ କେହି ତାଙ୍କ ସପକ୍ଷରେ ଭୋଟ ଦେଇଥାଇପାରନ୍ତି ।

ସେପଟେ ଅନ୍ୟଜଣେ ବିଜେପି ବିଧାୟକ ନଳିନ କୋଟ।ଡିଆ ମଧ୍ୟ ପଟେଲଙ୍କୁ ଭୋଟ ଦେଇଥିବା କହିିଛନ୍ତି । ଏପରି ସ୍ଥିତିରେ ସ୍ୱାଭାବିକ ଭାବେ ସ୍ପଷ୍ଟ ହେଉଛି ଯେ, ଅହମ୍ମଦ ପଟେଲଙ୍କ ବିରୋଧରେ ଆଉକିଛି କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରିଛନ୍ତି । ସେପଟେ ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ପରେ କଂଗ୍ରେସ ଚାଣକ୍ୟଙ୍କ ବିଜୟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ବିଜେପି । ଆଗକୁ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତ ହେଉଛି ଦଳ । ତେଣୁ ଏହି ହାଇ ଭୋଲଟେଜ ଡ୍ରାମା ଏବେ ଶେଷ ହେଲାଭଳି ଲାଗୁନାହିଁ ।